ଦୋହା: ନେଦରଲାଣ୍ସ ଓ ସେନେଗାଲ୍ ଗ୍ରୁପ୍ ଏ’ରୁ ନିଜ ନିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜିତି ଫିଫା ବିଶ୍ବକପ୍ର ନକ୍ଆଉଟ୍ (ରାଉଣ୍ଡ ୧୬) ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ଅଲ୍ ବାୟତ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨-୦ ଗୋଲ୍ରେ ଆୟୋଜକ କାତାରକୁ ହରାଇ ଏହି ଯୋଗ୍ୟତା ପାଇଥିଲା ବେଳେ ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ୍ ୨-୧ ଗୋଲ୍ରେ ଇକ୍ବେଡ଼ରକୁ ହରାଇଛି। ନେଦରଲାଣ୍ଡ୍ସ ୭ ପଏଣ୍ଟ ପାଇ ଗ୍ରୁପ୍ ବିଜେତା ହୋଇଥିଲା ବେଳେ ସେନେଗାଲ୍ ୬ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ଇକ୍ବେଡ଼ର ୪ ପଏଣ୍ଟ ଓ ଆୟୋଜକ କାତାର ବିନା କୌଣସି ବିଜୟରେ ଅଭିଯାନ ଶେଷ କରିଛନ୍ତି।
୨୦୧୦ ସଂସ୍କରଣର ଉପବିଜେତା ଡଚ୍ ଦଳ ପ୍ରଥମାର୍ଦ୍ଧରୁ ଅଗ୍ରଣୀ ପାଇଥିଲା। ୨୬ତମ ମିନିଟ୍ରେ କଡ଼ି ଗାକ୍ପୋ ପ୍ରଥମ ଗୋଲ୍ ଦେଇଥିଲେ। ଚଳିତ ବିଶ୍ବକପ୍ରେ ଏହା ତାଙ୍କର କ୍ରମାଗତ ତୃତୀୟ ଗୋଲ୍ ଥିଲା। ପୂର୍ବରୁ ସେନେଗାଲ୍ ଓ ଇକ୍ବେଡ଼ର ବିପକ୍ଷରେ ଗାକ୍ପୋ ଗୋଲ୍ ଦେଇଥିଲେ। କାତାର ବିପକ୍ଷ ଗୋଲ୍ ବଳରେ କଡ଼ି ଏହି ବିଶ୍ବକପ୍ରେ ଇନେର ଭାଲେନ୍ସିଆ ଓ କିଲିଆନ୍ ଏମ୍ବାପେଙ୍କ ସର୍ବାଧିକ ଗୋଲ୍ ସ୍କୋରର ସମକକ୍ଷ ହୋଇଛନ୍ତି। ଏଥିସହିତ ଡଚ୍ ଦଳ ପକ୍ଷରୁ ଲଗାତାର ୩ ବିଶ୍ବକପ୍ରେ ସ୍କୋର କରିବାରେ ସେ ଜୋହାନ୍ ନିସକେନ୍ସ (୧୯୭୪), ଡେନିସ୍ ବର୍ଗକାମ୍ପ (୧୯୯୪), ୱେସଲେ ସ୍ନେଇଜଦର (୨୦୧୦) ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ପ୍ରଥମାର୍ଦ୍ଧରେ ୧-୦ ରେ ଅଗ୍ରଣୀ ରହିବା ପରେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଦଳ ଏହି ଚାପକୁ ବଜାୟ ରଖିଥିଲା। ଖେଳ ଆରମ୍ଭ ହେବାର ୪ ମିନିଟ୍ ପରେ ଫ୍ରେଙ୍କି ଡି ଜଙ୍ଗ୍ ଦଳ ପାଇଁ ଦ୍ବିତୀୟ ଗୋଲ୍ ଦେଇଥିଲେ। ଉଭୟ ଗୋଲ୍ରେ ଡେଭି କ୍ଲାସେଁଙ୍କ ସହଭାଗିତା ରହିଥିଲା। ଏପିରିକି ୬୮ତମ ମିନିଟ୍ରେ ନେଦରଲାଣ୍ଡ୍ସ ତୃତୀୟ ଗୋଲ୍ ଦେଇଥିଲା। କିନ୍ତୁ ବଲ୍ ପୋଷ୍ଟ ଭିତରକୁ ଯିବା ପୂର୍ବରୁ ଗାକ୍ପୋଙ୍କ ହାତରେ ବାଜିଯାଇଥିଲା। କାତାର ଖେଳାଳିଙ୍କ ପ୍ରତିବାଦ ପରେ ରେଫରି ଭାର୍ ଯାଞ୍ଚ କରିବାରୁ ଏହି ଗୋଲ୍କୁ ନାକଚ କରିଦେଇଥିଲେ।
ଇକ୍ବେଡରର ବିଦାୟ
ଫିଫା ବିଶ୍ବକପ୍ ଗ୍ରୁପ୍ ପର୍ଯ୍ୟାୟରୁ ଇକ୍ବେଡର ବିଦାୟ ନେଇଛି। ମଙ୍ଗଳବାର ଖଲିଫା ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଏ’ର ମ୍ୟାଚ୍ରେ ସେନେଗାଲ ୨-୧ ଗୋଲ୍ରେ ଇକ୍ବେଡରକୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛି। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ସେନେଗାଲକୁ ସୁଯୋଗ ମିଳିଥିଲା। ହେଲେ ଇଦ୍ରିସା ଗୁୟେ ଇକ୍ବେଡରର ଗୋଲ୍ ପୋଷ୍ଟ୍କୁ ସଟ୍ ମାରିବାରେ ଭୁଲ୍ କରି ଏହି ସୁବର୍ଣ୍ଣ ହାତଛଡ଼ା କରିଥିଲେ। ଏହାପରେ ସେନେଗାଲ ଆକ୍ରମଣ ଜାରି ରଖି ସୁଯୋଗ ସୃଷ୍ଟି କରୁଥିଲା। କିନ୍ତୁ ଗୋଲ୍ରେ ପରିଣତ କରିପାରୁନଥିଲା। ତେବେ ୪୨ ମିନିଟ୍ରେ ଇସ୍ମାଇଲା ସାର୍ଙ୍କୁ ପିଏରେ ହିନକାପି ଫାଉଲ ମାରିବାରୁ ସେନେଗାଲ୍କୁ ପେନାଲ୍ଟି ମିଳିଥିଲା। ଏହାକୁ ସାର୍ (୪୪ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ପ୍ରଥମାର୍ଦ୍ଧରେ ୧-୦ ଆଗୁଆ ରଖିଥିଲେ।
୬୭ତମ ମିନିଟ୍ରେ ଇକ୍ବେଡର ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲା। ଫେଲିକ୍ସ ଟୋରେସଙ୍କ ପାସ୍କୁ ମୋଇଜେସ୍ କାଇସେଡୋ ଏହି ଗୋଲ୍ ଦେଇଥିଲେ। ଏହି ସମାନ ସ୍ଥିତି ବେଶୀ ସମୟ ରହିନଥିଲା। ଏହାର ୨ ମିନିଟ୍ ପରେ ସେନେଗାଲ୍କୁ ମିଳିଥିବା ଫ୍ରିକିକ୍କୁ ଗୁୟେ ମାରିଥିଲେ। ତାଙ୍କର ଏହି ସ୍ବିଙ୍ଗ୍ ସଟ୍ ଟୋରେସଙ୍କ କାନ୍ଧରେ ବାଜି ଚାଲି ଯାଉଥିଲା ବେଳେ କାଲିଦୋଉ କୋଉଲିବାଲି ଡାହାଣ ଗୋଡ଼ରେ ଏହାକୁ ଇକ୍ବେଡର ପୋଷ୍ଟ୍କୁ ପଠାଇ ଦେବାରୁ ସେନେଗାଲ ପୁଣି ଅଗ୍ରଣୀ ନେଇଥିଲା। ଏହାପରେ ଆଉ ଗୋଲ୍ ନ ହେବାରୁ ସେନେଗାଲ ୨-୧ରେ ବିଜୟୀ ହୋଇ ପ୍ରିକ୍ବାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା।