ତୃତୀୟ ଦିନ ଝଡ଼ିଲା ୧୫ ୱିକେଟ୍‌, ପାଳି ପରାଜୟ ଦ୍ବାରରେ ୱେଷ୍ଟଇଣ୍ଡିଜ୍‌

ହାମିଲଟନ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ବି ଘରୋଇ ନ୍ୟୁଜିଲାଣ୍ଡ୍‌ ଆଧିପତ୍ୟ ଜାହିର କରିଛି। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ଦ୍ବିଶତକ ସାଙ୍ଗକୁ ଟମ୍‌ ଲାଥାମ୍‌ ଓ କେଲି ଜାମିସନ୍‌ଙ୍କ ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ଦୁଇ ଦିନକୁ ନିଜ ନିୟତ୍ରଣରେ ରଖିଥିଲା। ଫଳରେ ଦ୍ବିତୀୟ ଦିବସ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ସ୍କୋର୍‌କୁ ୫୧୯/୭ରେ ଘୋଷଣା କରିଥିଲା। ତୃତୀୟ ଦିବସରେ ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଘାତକ ସାବ୍ୟସ୍ତ ହୋଇଥିଲେ। ଘରୋଇ ଦଳର ମିଳିତ ବୋଲିଂ ବାହୀନି ତୃତୀୟ ଦିବସରେ ହିଁ ୧୫ ୱିକେଟ୍‌ ଝଡ଼ାଇ ଦେଇଛନ୍ତି। ଶନିବାର ନ୍ୟୁଜିଲାଣ୍ଡ୍‌ ବୋଲରମାନେ ୨୮୫ ରନ୍‌ ବ୍ୟୟରେ ୱେଷ୍ଟ୍‌ଇଣ୍ଡିଜ୍‌ର ୧୫ ୱିକେଟ୍‌ ଦଖଲ କରିନେଇଛନ୍ତି। ସେଥିରୁ ଟିମ୍‌ ସାଉଦି ୫, ନିଲ୍‌ ୱାଗ୍‌ନର ୪, କେଲି ଜାମିସନ୍‌ ୩, ଟ୍ରେଣ୍ଟ୍‌ ବୋଲ୍‌ଟ ୨ ଏବଂ ଡାରିଲ୍‌ ମିଚେଲ ଗୋଟିଏ ୱିକେଟ୍‌ ପାଇଛନ୍ତି। ସେନ୍‌ ଡୌରିକ୍‌ ଆହତ ଯୋଗୁଁ ପ୍ରଥମ ପାଳିରେ ବ୍ୟାଟିଂ କରିପାରିନଥିଲେ। ଫଳରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୩୮ ରନ୍‌ କରିପାରିଥିଲା ବେଳେ ଦ୍ବିତୀୟ ପାଳିରେ ଜର୍ମିନ୍‌ ବ୍ଲାକ୍‌ଉଡ୍‌ (୮୦*) ଓ ଅଲ୍‌ଜାରି ଯୋସେଫ୍‌ (୫୯*)ଙ୍କ ପ୍ରତିଆକ୍ରମଣ ସତ୍ତ୍ବେ ୧୯୬ ରନ୍‌ରେ ୬ ୱିକେଟ୍‌ ହରାଇ ସାରିଛି। ଏବେ ବି ପାଳି ପରାଜୟ ଏଡ଼ାଇବାକୁ ଇଣ୍ଡିଜ୍‌ ଦଳ ସଂଘର୍ଷ କରୁଛି। ପାଳି ପରାଜୟ ଏଡାଇବାକୁ ଆହୁରି ୧୮୫ ରନ୍‌ ଦରକାର ହେଉଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ଚତୁର୍ଥ ଦିବସ ପ୍ରଥମ ଅଧିବେସନରେ ବଡ଼ ବିଜୟ ହାସଲର ଲକ୍ଷ୍ୟ ରଖିଛି।

ଦ୍ବିତୀୟ ଦିବସ ସ୍କୋର୍‌ ୪୯/୦ରୁ ଶନିବାର ଖେଳିଥିଲା ୱେଷ୍ଟଇଣ୍ଡିଜ୍‌। କ୍ରେଗ୍‌ ବ୍ରାଥ୍‌ୱେଟ୍‌ (୨୧) ଓ ଜନ୍‌ କାମ୍ପବେଲ୍‌ (୨୬) ପ୍ରଥମ ୱିକେଟ୍‌ରେ ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ଦଳୀୟ ସ୍କୋର୍‌ ୫୧ ବେ‌ଳେ କାମ୍ପବେଲ୍‌କୁ ଆଉଟ୍‌ କରି ସାଉଦି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଇଣ୍ଡିଜ୍‌ ପାଳି ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ଦଳ ପରବର୍ତୀ ୮୭ ରନ୍‌ ମଧ୍ୟରେ ୧୦ ୱିକେଟ୍‌ ହରାଇଥିଲା। ଏଥି ସହିତ ଇଣ୍ଡିଜ୍‌ ମଧ୍ୟ ଫ‌ଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଥିଲା। ଫଲୋଅନ୍‌ ପରେ ମଧ୍ୟ ଦଳକୁ ଦ୍ବିତୀୟ ପାଳିରେ ତ୍ରାହି ମିଳିନଥିଲା। ୨୭ ରନ୍‌ରେ ୪ ଏବଂ ୮୯ ରନ୍‌ ବେଳକୁ ୬ ୱିକେଟ୍‌ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। ଏପରିକି ଏହି ପାଳିରେ ମଧ୍ୟ ଏକ ସମୟରେ ୬ ବଲ୍‌ ବ୍ୟବଧାନରେ ୩ ୱିକେଟ୍‌ ହରାଇଥିଲା ଇଣ୍ଡିଜ୍‌। ହେଲେ ବ୍ଲାକ୍‌ଉଡ୍‌ ଓ ଜୋସେଫ୍‌ ପ୍ରତିଆକ୍ରମଣ କରି ପାଳି ପରାଜୟ ଆଶଙ୍କାକୁ ଏଡ଼ାଇବାର ପ୍ରୟାସ କରୁଛନ୍ତି। ଦୁହେଁ ଅସମାପ୍ତ ସପ୍ତମ ୱିକେଟ୍‌ରେ ୧୦୭ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ତୃତୀୟ ଦିବସରେ ମ୍ୟାଚ୍‌ ଶେଷ କରିବାରୁ ରୋକିଥିଲେ। ବ୍ଲାକ୍‌ଉଡ୍‌ ୯୮ ବଲ୍‌ରେ ୯ ଚୌକା ଓ ୨ ଛକା ସହାୟତାରେ ୮୦ ଏବଂ ଯୋସେଫ୍‌ ୭୩ ବଲ୍‌ରେ ୯ ଚୌକା ଓ ୧ ଛକା ସହାୟତାରେ ୫୯ ରନ୍‌ କରି କ୍ରିଜ୍‌ରେ ଜମି ରହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୫୧୯/୭ (୧୪୫ ଓଭର)ରେ ଘୋଷିତ: (ଟମ୍‌ ଲାଥାମ୍‌-୮୬, କେନ୍‌ ୱିଲିୟମ୍‌ସନ୍‌-୨୫୧, କେଲି ଜାମିସନ୍‌-୫୧*, କେମାର ରୋଚ୍‌-୩/୧୧୪, ସାନନ୍‌ ଗାବ୍ରିଏଲ୍‌-୩/୮୯)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୬୪ ଓଭରରେ ୧୩୮ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୨୧, ଜନ୍‌ କାମ୍ପବେଲ୍‌-୨୬, ଜର୍ମିନ୍‌ ବ୍ଲାକ୍‌ଉଡ୍‌-୨୩, ଜାସନ୍‌ ହୋଲ୍‌ଡର-୨୫*, ଟିମ୍‌ ସାଉଦି-୪/୩୫, ଜର୍ମିନ୍‌-୨/୨୫, ୱାଗ୍‌ନର-୨/୩୩) ଏବଂ ଦ୍ବିତୀୟ ପାଳି ୪୨ ଓଭରରେ ୧୯୬/୬ (ବ୍ଲାକ୍‌ଉଡ୍‌-୮୦*, ଯୋସେଫ୍‌-୫୯*, ନିଲ୍‌ ୱାଗ୍‌ନର-୨/୬୨)।

ସମ୍ବନ୍ଧିତ ଖବର