ପ୍ୟାରିସ୍‌: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ (ଏସ୍‌ଏଚ୍‌୧)ରେ ରୁବିନା ଫ୍ରାନ୍‌ସିସ୍‌ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ବନ୍ଧୁକ ଚାଳନାରୁ ଭାରତକୁ ଚତୁର୍ଥ ପଦକ ମିଳିଛି। ଏହି ଇଭେଣ୍ଟରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିଥିଲେ। ଇରାନ୍‌ର ସାରେ ଜବାନମାର୍ଦି ୨୩୬.୮ ପଏଣ୍ଟ ସ୍କୋର ସହ ସ୍ବର୍ଣ୍ଣ ଓ ତୁର୍କୀର ଆ‌ୟସେଲ୍‌ ଓଜଗାନ୍‌ ୨୩୧.୧ ପଏଣ୍ଟ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି। ଏଥିପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ରୁବିନା ୫୫୬-୧୩ଏକ୍ସ ସ୍କୋର କରି ଷଷ୍ଠ ସ୍ଥାନରେ ରହିବା ସହ ୮ଜଣିଆ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ। 

Advertisment

ସ୍ବରୂପ ଫାଇନାଲ୍‌ରେ ପହଞ୍ଚିପାରିଲେନି
ଭାରତୀୟ ସୁଟର୍‌ ସ୍ବରୂପ ଉନହଲକର ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ (ଏସ୍‌ଏଚ୍‌୧)ର ଫାଇନାଲ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ଚତୁର୍ଦଶ ସ୍ଥାନରେ ରହିବାରୁ ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ସ୍ବରୂପ ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ କାଂସ୍ୟ ପଦକ ହାତଛଡ଼ା କରିଥିଲେ। ଶନିବାର ୬ଟି ସିରିଜ୍‌ରେ ସେ ୧୦୧.୮, ୧୦୩.୦, ୧୦୧.୭, ୧୦୧.୮, ୧୦୨.୪, ୧୦୨.୭ ସ୍କୋର କରି ମୋଟ ୬୧୩.୪ ପଏଣ୍ଟ୍‌ ପାଇଥିଲେ। 

ବ୍ୟାଡ୍‌ମିଣ୍ଟନ୍‌ ସେମିରେ ନୀତେଶ, ସୁକାନ୍ତ
ଭାରତୀୟ ସଟ୍‌ଲର୍‌ ନୀତେଶ କୁମାର ଓ ସୁକାନ୍ତ କଦମ ପୁରୁଷ ଏକକ ଏସ୍‌ଏଲ୍‌୩ ଓ ଏସ୍‌ଏଲ୍‌୪ ବିଭାଗର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏବେ ପଦକଠୁ ଉଭୟ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ନୀତେଶ ଶନିବାର ଥାଇଲାଣ୍ଡର ମଙ୍ଗଖୋନ୍‌ ବନସନ୍‌ଙ୍କୁ ୨୧-୧୩, ୨୧-୧୪ରେ ପରାସ୍ତ କରିଥିଲେ। ଫଳରେ ଗ୍ରୁପ୍‌ ଏ’ରେ ନୀତେଶ ସମସ୍ତ ୩ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ତାଙ୍କ ବ୍ୟତୀତ ଏହି ବିଭାଗରେ ଅନ୍ୟତମ ଭାରତୀୟ ମନୋଜ ସରକାର ପୂର୍ବରୁ ବନସନ୍‌ ଓ ନୀତେଶଙ୍କଠୁ ପରାଜିତ ହୋଇଥିଲେ ମଧ୍ୟ ଶନିବାର ଚୀନ୍‌ର ୟାଙ୍ଗ ଜିଆନ୍‌ୟୁଆନ୍‌ଙ୍କୁ ୨୧-୧, ୨୧-୧୧ରେ ପରାସ୍ତ କରି ବିଦାୟ ନେଇଛନ୍ତି।

ଏସ୍‌ଏଲ୍‌୪ରେ ଶନିବାର ସୁକାନ୍ତ ଗ୍ରୁପ୍‌ ବି’ ମୁକାବିଲାରେ ଥାଇଲାଣ୍ଡର ଟିମାରୋମ୍‌ ସିରିପୋଙ୍ଗଙ୍କୁ ୨୧-୧୨, ୨୧-୧୨ରେ ହରାଇ ଶୀର୍ଷ ସ୍ଥାନରେ ରହିବା ସହ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଫଳରେ ସୁହାସ ୟାଥିରାଜଙ୍କ ସହିତ ସୁକାନ୍ତ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ବିଭାଗରେ ଅନ୍ୟତମ ଭାରତୀୟ ତରୁଣ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଶନିବାର ପରାଜିତ ହୋଇ ସେମି‌ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟପକ୍ଷରେ ମହିଳା ଏକକ ଏସ୍‌ଏଲ୍‌୩ ବିଭାଗରେ ମନଦୀପ କୌର ୨୧-୨୩, ୨୧-୧୦, ୨୧-୧୭ରେ ଅଷ୍ଟ୍ରେଲିଆର ଭିନୋଟ୍‌ ସେଲିନ୍‌ ଔରେଲିଙ୍କୁ ହରାଇ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି।