ଭୁବନେଶ୍ବର: ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ ନିଜ ଖେଳ ଜୀବନରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ପେଟ୍ରୋଲିୟମ୍ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ପିଏସ୍ପିବି)ର ପ୍ରତିନିଧିତ୍ବ କରିଥିବା ପଦ୍ମିନୀ ଅହମଦାବାଦରେ ସୋମବାର ଶେଷ ହୋଇଥିବା ୪୯ତମ ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଅନେକ ଟାଇଟଲ୍ଧାରୀଙ୍କୁ ପଛରେ ପକାଇ ଟ୍ରଫି ଜିତି ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ ଏହି ପ୍ରମୁଖ ଜାତୀୟ ମହିଳା ପ୍ରତିଯୋଗିତା ଜିତି ପଦ୍ମିନୀ ମଧ୍ୟ ପଞ୍ଚମ ଥର ପାଇଁ ଏହି ମର୍ଯ୍ୟଦାଜନକ ଟ୍ରଫି ହାସଲ କରିଛନ୍ତି। ପୂର୍ବରୁ ସେ ୨୦୧୪, ୨୦୧୫, ୨୦୧୬, ୨୦୧୭ରେ କ୍ରମାଗତ ଭାବେ ୪ ବର୍ଷ ଏହି ଜାତୀୟ ମହିଳା ମୁକୁଟ ଜିତିଥିଲେ। ଜାତୀୟ ମୁକୁଟ ବିଜୟ ମୋ ଆତ୍ମବିଶ୍ବାସ ବଢ଼ାଇଛି, ଏବେ ମୋ ପରବର୍ତୀ ଲକ୍ଷ୍ୟ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ବୋଲି ପଦ୍ମିନୀ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଦ୍ମିନୀଙ୍କ ପାଖରେ ଏବେ ଗୋଟିଏ ମାତ୍ର ଗ୍ରାଣ୍ଡମାଷ୍ଟର ନର୍ମ ରହିଛି। ଆଉ ଦୁଇଟି ନର୍ମ ସହିତ ୨୪୦୦ ରେଟିଂ ଛୁଇଁବା ନିଶ୍ଚିତ ପଦ୍ମିନୀଙ୍କ ଲକ୍ଷ୍ୟ ରହିଛି।
୧୧ ରାଉଣ୍ଡ ବିଶିଷ୍ଟ ଜାତୀୟ ମହିଳା ପ୍ରତିଯୋଗିତାରେ ପଦ୍ମିନୀ ମୋଟ ୯ ପଏଣ୍ଟ ସହ ସ୍ପଷ୍ଟ ଭାବେ ଶୀର୍ଷରେ ରହିଥିଲେ। ତାଙ୍କ ପିଏସ୍ପିବି ସାଥି ଡବଲ୍ୟୁଜିଏମ୍ ମାରି ଆନ ଗୋମ୍ସ ଏବଂ ବେଙ୍ଗଲର ଡବଲ୍ୟୁଆଇଏମ୍ ଅର୍ପିତା ମୁଖାର୍ଜୀ ସମାନ ୮.୫ ପଏଣ୍ଟ ପାଇ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ପଦ୍ମିନୀ ୧୧ ରାଉଣ୍ଡ ମଧ୍ୟରେ ମାତ୍ର ଗୋଟିଏ ପରାଜୟ ବରଣ କରିଥିବାବେଳେ ୨ଟି ଗେମ୍ ଡ୍ର ରଖିଥିଲେ। ଅବଶିଷ୍ଟ ୮ ରାଉଣ୍ଡରେ ବିଜୟୀ ହୋଇ ସମ୍ପୂର୍ଣ୍ଣ ପଏଣ୍ଟ କରାୟତ କରିଥିଲେ। ନବମ ରାଉଣ୍ଡରେ ତୃତୀୟ ମାନ୍ୟତାପ୍ରାପ୍ତ ଗୋଆ ଆଇଏମ୍ ଭକ୍ତି କୁଲକର୍ଣ୍ଣିଙ୍କ ସହ ପଏଣ୍ଟ ଭାଗ କରିବା ପରେ ଅନ୍ତିମ ଦୁଇ ରାଉଣ୍ଡରେ ମହାରାଷ୍ଟ୍ର ଖେଳାଳି ଡବଲ୍ୟୁଆଇଏମ୍ ମୃଦୁଲ ଦେହଙ୍କର ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ଡବଲ୍ୟୁଜିଏମ୍ ଦିବ୍ୟା ଦେଶମୁଖଙ୍କୁ ପରାସ୍ତ କରିବାରୁ ପଦ୍ମିନୀ ଅପ୍ରତ୍ୟାଶିତ ଭାବେ ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଏଲ୍ଆଇସିର ପ୍ରତିନିଧିତ୍ବ କରିଥିବା ଡବଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ୭.୫ ଏବଂ ୟାଶିତା ରାଉତ ୭ ପଏଣ୍ଟ ସହ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସାଇନା ସଲୋନିକା ଓ ଅପରାଜିତା ଗୋଚ୍ଛିକାର ଉଭୟ ସମାନ ୪.୫ ପଏଣ୍ଟରେ ସୀମିତ ରହିଥିଲେ। ପଦ୍ମିନୀଙ୍କ ସଦ୍ୟତମ ସଫଳତା ପାଇଁ ତାଙ୍କୁ ସର୍ବଭାରତୀୟ ଚେସ୍ ସଂଘ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ସମ୍ପାଦକ ଦେବବ୍ରତ ଭଟ୍ଟ ଏବଂ ଚେସ୍ ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
ଗ୍ରାଣ୍ଡ ଚେସ୍ ଟୁର୍ ଗୁକେଶ ପଞ୍ଚମ, ଆନନ୍ଦ ସପ୍ତମ
ଜାଗ୍ରେବ: ଗ୍ରାଣ୍ଡ ଚେସ୍ ଟୁର୍ ଅନ୍ତର୍ଗତ ସୁପର ୟୁନାଇଟେଡ୍ ରାପିଡ ଓ ବ୍ଲିଜ୍ ପ୍ରତିଯୋଗିତାରେ ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ହେଲେ ତାଙ୍କ ଆଦର୍ଶ ୫ ଥରର ବିଶ୍ବବିଜେତା ବିଶ୍ବନାଥନ ଆନନ୍ଦ ସପ୍ତମ ସ୍ଥାନରେ ରହିଥିଲେ। ବ୍ଲିଜ୍ ବର୍ଗର ପ୍ରଥମ ଦିନରେ ମଧ୍ୟମ ଧରଣର ପ୍ରଦର୍ଶନ ଦେଇଥିବା ଗୁକେଶ ଦ୍ବିତୀୟ ଦିନରେ ଚମତ୍କାର ଖେଳି ୬.୫ କରାୟତ୍ତ କରିଥିଲେ। ମୋଟ ଉପରେ ୧୯.୫ (ରାପିଡ୍+ବ୍ଲିଜ୍) ପଏଣ୍ଟ ସହ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ରାପିଡ ବର୍ଗରେ ସୁନ୍ଦର ପ୍ରଦର୍ଶନ କରିଥିବା ଆନନ୍ଦ ବ୍ଲିଜ୍ର ପ୍ରଥମ ଦିନରେ ୩ ଓ ଦ୍ବିତୀୟରେ ୩.୫ ପଏଣ୍ଟ ପାଇ ମୋଟ ୧୬.୫ ସହ ସପ୍ତମ ସ୍ଥାନରେ ରହିଥିଲେ। କାର୍ଲସେନ (୨୬) ପ୍ରଥମ, ନେପୋମନିଆଚଚି (୨୨.୫) ଦ୍ବିତୀୟ, କାରୁଆନା (୨୧.୫) ତୃତୀୟ ଓ ଫିରୌଜା (୨୧) ଚତୁର୍ଥ ସ୍ଥାନରେ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/f465fh465hhk.jpg)