ଭୁବନେଶ୍ବର: ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ୭୦ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଆୟୋଜିତ ହେବ। ଭାରତୀୟ ଭଲିବଲ୍ ଇତିହାସରେ ଏହି ପ୍ରତିଯୋଗିତା ଆୟୋଜନ କରିବାରେ କିଟ୍ ମଧ୍ୟ ହ୍ୟାଟ୍ରିକ୍ ଅର୍ଜନ କରିଛି। ଲଗାତାର ତୃତୀୟ ଥର ପାଇଁ କିଟ୍ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏହାର ପୂର୍ବ ଦୁଇ ସଂସ୍କରଣ (୬୮ ଓ ୬୯ତମ)କୁ କିଟ୍ ସଫଳତାର ସହ ଆୟୋଜନ କରିଥିଲା। ଅନ୍ୟପକ୍ଷରେ ଗୋଟିଏ ରାଜ୍ୟ ଭାବେ ଓଡ଼ିଶା ୫ ଜାତୀୟ ଭଲିବଲ୍ ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଛି। ଓଡ଼ିଶା ୨୦୦୯ରେ ୩୬ତମ କନିଷ୍ଠ (ବାଳକ ଓ ବାଳିକା) ଜାତୀୟ, ୨୦୧୯ରେ ୪୧ତମ ଉପକନିଷ୍ଠ (ବାଳକ ଓ ବାଳିକା), ୨୦୨୦-୨୧ରେ ୬୮ତମ, ୨୦୨୧ରେ ୬୯ତମ ବରିଷ୍ଠ ଜାତୀୟ ପ୍ରତିଯୋଗିତା ଆୟୋଜନ କରିସାରିଥିଲା ବେଳେ ଚଳିତ ୨୦୨୨ରେ ୭୦ତମ ବରିଷ୍ଠ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ସଂଯୋଗବଶତଃ ଓଡ଼ିଶାକୁ ମିଳିଥିବା ସମସ୍ତ ୫ ଜାତୀୟ ପ୍ରତିଯୋଗିତା କିଟ୍ ହିଁ ଆୟୋଜନ କରିଛି। ଏଥର ପ୍ରତିଯୋଗିତାରେ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୨୦୦ରୁ ଅଧିକ (ଉଭୟ ବର୍ଗ) ଖେଳାଳି ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଅର୍ଜୁନ ପୁରସ୍କାରପ୍ରାପ୍ତ ଏବଂ ବହୁ ଆନ୍ତର୍ଜାତୀୟ ଓ ଜାତୀୟ ଖେଳାଳି ସାମିଲ ହେବେ। ଏହି ପ୍ରତିଯୋଗିତାରୁ ମଧ୍ୟ ଆଗାମୀ ଏସୀୟ ପ୍ରତିଯୋଗିତା ସହିତ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଚୟନ କରାଯିବ। ୭୦ତମ ଜାତୀୟ ପ୍ରତିଯୋଗିତା ପାଇଁ ଶନିବାର ଉଭୟ ପୁରୁଷ ଓ ମହିଳା ଓଡ଼ିଶା ଦଳ ମଧ୍ୟ ଘୋଷିତ ହୋଇଛି। ଉଭୟ ଦଳରେ ୧୨ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି।
ପୁରୁଷ ଦଳ:ଶୁଭ୍ରାଂଶୁ ଶେଖର ଓଜା, ସେକ୍ ସିରାଜ ଅଲୀ, ପ୍ରତ୍ୟୁଷ କୁମାର ନନ୍ଦ, ମାନସ ରଞ୍ଜନ ପାଣି, ପିପି ଅଫ୍ସଲ, ପତିତପାବନ ସାହୁ, ରାଜେଶ କୁମାର ସାହୁ, ରାହୁଲ ବାରିକ୍, ଶୁଭମ୍ ଶୈଳେଶ ମହାନ୍ତି, ଦୀପ୍ତିରାଜ ମିଶ୍ର (ଅଧିନାୟକ), ପ୍ରତାପ କୁମାର ସ୍ବାଇଁ, ପ୍ରଜ୍ଞାନସାରଥୀ ଜେନା। ପ୍ରଶିକ୍ଷକ: ଏସ୍ଡି ସୋଲେମନ; ସହକାରୀ ପ୍ରଶିକ୍ଷକ: ଉମାକାନ୍ତ ପଟେଲ ଓ ରବୀନ୍ଦ୍ର ମୁରୁଡ଼ି।
ମହିଳା ଦଳ:ମାମାଲି ନାଗ, ଶୁଶ୍ରୀ ସଂଗୀତା ଜେନା, ଉତ୍କର୍ଷ ଧରମା, ଆଞ୍ଜେଲ ଜୋସେଫ୍, ଜୟଶ୍ରୀ ପଲେଇ, ଭାଲା ଚେତନା (ଅଧିନାୟିକା), ଶିବାନୀ ପ୍ରିୟଦର୍ଶିନୀ, ଆଶା ମୁଣ୍ଡାରି, ସୋୟା ଆଲ୍ଫୋନ୍ସା, ବି ମଞ୍ଜୁ, ପାର୍ବତୀ ଗଦ୍ବା, ମୋନାଲିସା ପାତ୍ର। ପ୍ରଶିକ୍ଷକ: ସୁଧାଂଶୁ ଭୂଷଣ ମିଶ୍ର; ସହକାରୀ ପ୍ରଶିକ୍ଷକ: ରମେଶ ଚନ୍ଦ୍ର ଓଝା ଓ ଅଭୟ କୁମାର।
ଲୋତକ ଚୟନ କମିଟି ସଦସ୍ୟ, ବିଶ୍ବଜିତ୍ ରେଫରି ମନୋନୀତ
ସୋମବାରଠୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିଲା ବେଳେ ଶନିବାର ପୂର୍ବତନ ଆନ୍ତର୍ଜାତିକ ଭଲିବଲ ଖେଳାଳି ତଥା ଲେଭଲ୍-୨ ଫିବା ପ୍ରଶିକ୍ଷକ ଲୋତକବିନ୍ଦୁ ଦାଶ ଭାରତୀୟ ମହିଳା ଭଲିବଲ୍ ଦଳର ଚୟନ କମିଟି ସଦସ୍ୟ ନିଯୁକ୍ତ ହୋଇଥିଲା ବେଳେ କିଟ୍ ବିଶ୍ବବିଦ୍ୟାଳୟର ଜାତୀୟ ରେଫରି ବିଶ୍ବଜିତ୍ ଦାସ ୭୦ତମ ସଂସ୍କରଣ ପାଇଁ ଆମନ୍ତ୍ରିତ ରେଫରି ମନୋନୀତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/5d4g5da4gda1ggd312d1d32dggd.jpg)