ଧର୍ମଶାଳା: ଶୃଙ୍ଖଳା ହାତଛଡ଼ା କରିସାରିଥିବା ଇଂଲଣ୍ଡ ପାଇଁ ପରାଜୟ ବ୍ୟବଧାନ କମାଇବାର ଶେଷ ସୁଯୋଗ ରହିଛି। ଧର୍ମଶାଳାରେ ଗୁରୁବାରଠୁ ଭାରତ ବିପକ୍ଷ ଶୃ୍ଙ୍ଖଳାର ଅନ୍ତିମ ମ୍ୟାଚ୍‌ ଇଂଲଣ୍ଡ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ପ୍ରଥମ ଥର ପାଇଁ ବାଜ୍‌ବଲ୍‌କୁ ‌ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ବେଳେ ଯଦି ଭାରତ ଏହାକୁ ୪-୧ରେ ଜିତିଯାଏ, ତାହେଲେ ଶୋଚନୀୟ ପରାଜୟ ଭାବେ ଗଣାହେବ। ତେଣୁ ଚତୁର୍ଥ ଟେଷ୍ଟ୍‌ ଶେଷ ହେବା ପରେ ଇଂଲଣ୍ଡ ଲମ୍ବା ବିଶ୍ରାମ ନେବା ସହ ଭାରତକୁ ହରାଇବା ପାଇଁ ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ କରି ରଣନୀତି ଚୂଡ଼ାନ୍ତ କରିଛି। କିନ୍ତୁ ଧର୍ମଶାଳାରେ ଅଶ୍ବିନ ଶତକୀୟ ଟେଷ୍ଟ୍‌ ଖେଳିବାକୁ ଯାଉଥିବାରୁ ଏହାକୁ ଜିତି ଭାରତ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଛି। ଯଶପ୍ରୀତ୍‌ ବୁମ୍‌ରା ଶେଷ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଭାରତ ତାହାର ବଡ଼ ଅସ୍ତ୍ର ଫେରିପାଇଛି। ହେଲେ ୭୦୦ ୱିକେଟ୍‌ର ମାଇଲ୍‌ଖୁଣ୍ଟ ଠାରୁ ମାତ୍ର ଦୁଇ ୱିକେଟ୍‌ ଦୂରରେ ଥିବା ଇଂଲଣ୍ଡ ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ଙ୍କ ଉପରେ ବିଶ୍ବର ନଜର ରହିବ। କିନ୍ତୁ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଶୃଙ୍ଖଳାକୁ ୩-୨ରେ ଶେଷ କରିବେ ବୋଲି ଆତ୍ମବିଶ୍ବାସ ଦେଖାଇଛନ୍ତି। ହେଲେ ଇଂଲଣ୍ଡ ଶିବିରରେ ଅସୁସ୍ଥତା ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି। ସୋଏବ ବଶିର ଓ ମାର୍କ ଉଡ୍‌ଙ୍କ ପେଟ ଖରାପ ହେବାରୁ ସେମାନେ ଅଭ୍ୟାସ ବେଳେ ହୋଟେଲ୍‌ ରୁମ୍‌ରେ ରହିବାକୁ ପସନ୍ଦ କରିଥିଲେ। ଏଭଳିସ୍ଥିତିରେ ଭାରତ ପାଇଁ କିନ୍ତୁ କୌଣସି ଚିନ୍ତା କରିବା ଭଳି ଘଟଣା ନାହିଁ। ବିରାଟ କୋହଲି ଓ କେଏଲ୍‌ ରାହୁଲ୍‌ଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ଯୁବତାରକା ଯଶସ୍ବୀ ଜୟସ୍ବାଲ୍‌ଙ୍କ ଆତ୍ମବିଶ୍ବାସ ମଧ୍ୟ ଉଚ୍ଚରେ ରହିଛି। ସେପଟେ କ୍ରମାଗତ ଭାବେ ବିଫଳ ହୋଇଆସୁଥିବା ରଜତ ପଟିଦାର କିମ୍ବା ଯୁବ ତାରକା ଦେବଦତ୍ତ ପଡ଼ିକଲଙ୍କ ଭିତରୁ କାହାକୁ ଖେଳାଇବେ, ସେହି ଦ୍ବନ୍ଦ୍ବରେ ରୋହିତ ରହିଛନ୍ତି। ସମୁଦ୍ର ପତନଠୁ ୫ହଜାର ଫୁଟ୍‌ ଉଚ୍ଚତାରେ ଅତି କୋହଲା ପାଗରେ ଦୁଇ ଦଳ ପ୍ରସ୍ତୁତି ଶେ‌ଷ କରିଛନ୍ତି। ତେବେ ଭାରତ ଶୃଙ୍ଖଳାକୁ ୩-୧ ନା ୪-୧ରେ ଶେଷ କରିବ ତାହା ଉପରେ ନଜର ରହିବ। ମ୍ୟାଚ୍‌ର ପାଞ୍ଚ ଦିନ ଭିତରୁ ଅନ୍ୟୂନ ତିନି ଦିନ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ମଧ୍ୟ ଉଭୟ ଦଳକୁ ଚିନ୍ତାରେ ପକାଇପାରେ। ୬ବର୍ଷ ପରେ ଟେଷ୍ଟ୍ ଫେରୁଥିବାରୁ ହିମାଚଳ କ୍ରିକେଟ୍ ସଂଘ ସହ ସ୍ଥାନୀୟ କ୍ରିକେଟ୍‌ପ୍ରେମୀ ଏହି ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ରଜତ ପଟିଦାର, ରବୀନ୍ଦ୍ର ଜାଡ଼େଜା, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ/ଆକାଶ ଦୀପ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା।
ଇଂଲଣ୍ଡ ଏକାଦଶ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ବେନ୍‌ ଫୋକ୍ସ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ୍‌ ବଶିର।

୧୦୦ ଟେଷ୍ଟ୍‌: କିଏ ସଂଖ୍ୟାରେ ଶ୍ରେଷ୍ଠ?
ଚଳିତ ସପ୍ତାହରେ ୪ ଜଣ ସଦସ୍ୟ ୧୦୦ତମ ଟେଷ୍ଟ୍‌ କ୍ଲବ୍‌ରେ ସାମିଲ ହୋଇଯିବେ। ଗୁରୁବାରଠାରୁ ଆରମ୍ଭ ହେ‌ଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍‌ରେ ଆର୍ ଅଶ୍ବିନ, ଜନି ବେୟାରଷ୍ଟୋ ଏବଂ ଶୁକ୍ରବାରଠାରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍‌‌ରେ ଟିମ୍ ସାଉଦି ଓ କେନ୍ ୱିଲିୟମସନ୍‌ ଏହି କ୍ଲବ୍‌ରେ ଯୋଡ଼ିହେବେ। ଏଥି ସହିତ ଶତକ ଟେଷ୍ଟ୍‌ କ୍ଲବ୍ ସଦସ୍ୟଙ୍କ ସଂଖ୍ୟା ୮୦ ‌ହୋଇଯିବ।
ଶତକ ଟେଷ୍ଟ୍ ଖେଳିବା ବେଳକୁ ପ୍ରାଧାନ୍ୟ ବିସ୍ତାର କରିବାରେ ମୁଥୟା ମୁରଲୀଧରନଙ୍କ ତୁଳନାରେ ଅଶ୍ବିନ୍ ଦ୍ବିତୀୟ ଶ୍ରେଷ୍ଠ। ମୁରଲୀଧରନ ୧୦୦ ଟେଷ୍ଟ୍ ବେଳକୁ ୫୯୩ ୱିକେଟ୍ ନେଇ ସାରିଥିଲେ ୪୯ ଥର ୫ ୱିକେଟ୍ ସଫଳତା ଓ ୧୪ ଥର ୧୦ ୱିକେଟ୍ ସଫଳତା ସହାୟତାରେ। ମୁରଲୀଙ୍କ ପରେ ଅଶ୍ବିନ୍ ଏକମାତ୍ର ବୋଲର ଯିଏ ୧୦୦ ଟେଷ୍ଟ୍ ପୂର୍ବରୁ ୫୦୦ରୁ ଅଧିକ ୱିକେଟ୍ ନେଇଛନ୍ତି।
୧୦୦ ଟେଷ୍ଟ୍‌ ବେଳକୁ ଷ୍ଟିଭେନ୍ ସ୍ମିଥ୍‌ ୯୧୩୭ ରନ୍ ସହ ଅଗ୍ରଣୀ ଥିଲେ। ସ୍ମିଥ୍ ଓ ୱିଲିୟମସନ୍ କିନ୍ତୁ ୩୨ ଶତକ ସହ ଯୁଗ୍ମ ଶୀର୍ଷରେ ରହିଛନ୍ତି।
ବ୍ରେଣ୍ଡନ୍ ମ୍ୟାକଲମ ଏକମାତ୍ର ଖେଳାଳି ଯିଏ ପଦାର୍ପଣଠାରୁ ୧୦୦ ଟେଷ୍ଟ୍ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ମିସ୍ କରି ନଥିଲେ। ୫ ଜଣ ଅନ୍ୟ ଖେଳାଳି ଅଛନ୍ତି ଯିଏ ପଦାର୍ପଣଠାରୁ ଆରମ୍ଭ କରି ଅବସର ପର୍ଯ୍ୟନ୍ତ ଗୋଟିଏ ବି ମିସ୍ କରି ନଥିଲେ। କପିଳ ଦେବ ୧୯୮୪ ମସିହା କୋଲ୍‌କାତା ଟେଷ୍ଟ୍‌ ଦଳରୁ ବାଦ୍ ପଡ଼ିବାକୁ ଛାଡ଼ିଦେଲେ ପଦାର୍ପଣଠାରୁ ଅବସର ଯାଏଁ କୌଣସି ଟେଷ୍ଟ୍ ମିସ୍ କରି ନଥିଲେ।
ଇଂଲଣ୍ଡର ‌ଆଲେଷ୍ଟର୍ କୁକ୍‌ ପଦାର୍ପଣଠାରୁ ୧୦୦ ଟେଷ୍ଟ୍‌ ପର୍ଯ୍ୟନ୍ତ ୭ ବର୍ଷ ୨୮୭ ଦିନ ସମୟ ନେବା ସବୁଠାରୁ ସଂକ୍ଷିପ୍ତ।
ଗୋଟିଏ ଟେଷ୍ଟ୍‌ରେ ୩ ଜଣ ଶତକ ଟେଷ୍ଟ୍ ଖେଳିବାର ଏକମାତ୍ର ଉଦାହରଣ ରହିଛି। ୨୦୦୬ ସେଞ୍ଚୁରିଅନ୍ ଟେଷ୍ଟରେ ଜ୍ୟାକ୍ କାଲିସ୍‌, ସନ୍ ପୋଲକ, ଷ୍ଟି‌ଫେନ୍ ‌ଫ୍ଲେମିଂ ଏହି ଅବସର ପାଇଥିଲେ।
୩ ଜଣ ଖେଳାଳି ଶତକ ଟେଷ୍ଟ୍‌ରେ ୫ ୱିକେଟ୍ ସଫଳତା ପାଇଛନ୍ତି। ସେମାନେ ହେଲେ-ସେନ୍ ୱର୍ଣ୍ଣ, ମୁଥୟା ମୁରଲୀଧରନ, ଅନିଲ କୁମ୍ବଲେ।
୧୦ ଜଣ ଖେଳାଳି ୧୦୦ତମ ଟେଷ୍ଟ୍‌ରେ ଶତକ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଏହାକୁ ଦ୍ବିଶତକରେ ପରିଣତ କରିଥିଲେ। ଜୋ ରୁଟ ଓ ଡେଭିଡ୍ ୱାର୍ଣ୍ଣର ହେଉଛନ୍ତି ଏହି ଦୁଇ ବ୍ୟାଟର୍। ରିକି ପଣ୍ଟିଂ ଏକମାତ୍ର ଖେଳାଳି ଯିଏ ଶତକ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ହାସଲ କରିଛନ୍ତି।