ଆଶଙ୍କା ଟଳିଲା: ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌ ଆଜିଠୁ

ମାଞ୍ଚେଷ୍ଟର୍‌ : ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ୍‌କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଟଳିଯାଇଛି। ଗୁରୁବାର ସକାଳେ ଭାରତୀୟ‌ ଖେଳାଳିମା‌େନ ଦେଇଥିବା ଆରଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍ ଆସିବାରୁ ମ୍ୟାଚ୍‌ ଯଥାରୀତି‌ ଖେଳାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ଭାରତୀୟ ଦଳର ଆଉ ଜଣେ ସହକାରୀ ସଦସ୍ୟ କୋଭିଡ୍‌ ପଜିଟିଭ ବାହାରିବାରୁ ଏଭଳି ପ୍ରଶ୍ନବାଚୀ ଲାଗିଥିଲା। ଭାରତୀୟ ଦଳ ମଧ୍ୟ ଗୁରୁବାର ଅଭ୍ୟାସ ନକରି ହୋଟେଲ୍ ଭିତରେ ରହିଥିଲେ। ଭାରତୀୟ ଦଳର କୌଣସି ଖେଳାଳି ସଂକ୍ରମିତ ହୋଇନଥିଲେ ମଧ୍ୟ ସହକାରୀ ଫିଜିଓ ଯୋଗେଶ ପାର୍ମରଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ପାର୍ମର ବୁଧବାର ଏକାଧିକ ଭାରତୀୟ ଖେଳାଳିଙ୍କ ଚିକିତ୍ସା କରିଥିଲେ। ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁ ଏବଂ ‌ଚେତେଶ୍ବର ପୂଜାରାଙ୍କ ଗୋଇଠି ସମସ୍ୟା ସହିତ ଚତୁର୍ଥ ଟେଷ୍ଟ୍ ଖେଳିନଥିବା ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମାଙ୍କୁ ସେ ଚିକିତ୍ସା କରିଥିଲେ। ସମସ୍ତ ଖେଳାଳିଙ୍କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ‌ହୋଟେଲ୍ ରୁମ୍‌ରେ ଆବଦ୍ଧ ରହିବାକୁ କୁହାଯାଇଛି। ଏପଟେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ବିସିସିଆଇ-ଇସିବି ଆଲୋଚନା ଚାଲିଛି। ଚତୁର୍ଥ ଟେଷ୍ଟ୍ ଚତୁର୍ଥ ଦିନରୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଆର୍‌ ଶ୍ରୀଧର କରୋନା ସଂକ୍ରମିତ ହେବାରୁ ଏବେ ୧୦ ଦିନିଆ ସଙ୍ଗରୋଧରେ ରହିଛନ୍ତି। ସେହିଭଳି ପ୍ରତିଶେଧକ ମୂଳକ ପଦକ୍ଷେପ ଭାବେ ଫିଜିଓ ନୀତିନ ପଟେଲ୍‌ ମଧ୍ୟ ଦଳଠାରୁ ଦୂରେଇ ରହିଛନ୍ତି। ଏମାନେ ଦ ଓଭାଲ୍‌ରେ ‌ହୋଟେଲ୍‌ ରୁମରେ ଆବଦ୍ଧ ରହିଛନ୍ତି। ଅବିଶିଷ୍ଟ ସଦସ୍ୟମା‌ନେ ପଞ୍ଚମ ଟେଷ୍ଟ୍ ଖେଳିବାକୁ ମା‌‌‌ଞ୍ଚେଷ୍ଟର୍‌ ପହଞ୍ଚିଥିଲେ ମଧ୍ୟ କୋଭିଡ୍ ଦଳକୁ ପିଛା କରିଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ମାଞ୍ଚେଷ୍ଟର୍‌ ଟେ‌ଷ୍ଟ୍‌ ପରେ ସେଠାରୁ ଦୁବାଇ ଗସ୍ତ କରି ଆଇପିଏଲରେ ଦ୍ବିତୀୟ ଚରଣରେ ଖେଳିବା ଯୋଜନା ରହିଛି। ମୂଳ ଯୋଜନା ଅନୁସାରେ ଖେଳାଳିମାନେ ସେପ୍ଟେମ୍ବର ୧୫ ତାରିଖରେ ଦୁବାଇ ଯାତ୍ରା କରିବା କଥା। ଏବେ ରବି ଶାସ୍ତ୍ରୀ, ଭରତ ଅରୁଣ, ଆର୍‌ ଶ୍ରୀଧର, ଯୋଗେଶ ପାର୍ମର୍‌ ଦଳ ସହ ‌ଦୁବାଇ ଗସ୍ତ କରିପାରିବେ ନାହିଁ। କାରଣ ବ୍ରିଟେନ୍‌ କୋଭିଡ୍‌ ନିୟମ ଅନୁସାରେ ୧୦ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ରହିଛି।

ପଞ୍ଚମ ଟେଷ୍ଟ୍ ଧାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହେଲେ ଭାରତୀୟ ଦଳ ଐତିହାସିକ ମୁହୂର୍ତ୍ତର ଅପେକ୍ଷାରେ ରହିଛି। ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବାରୁ ବିରାଟ କୋହଲିଙ୍କ ଦଳ ନିଶ୍ଚିତ ସୁରକ୍ଷିତ ରହିଛି। ଶୃଙ୍ଖଳାରେ ବିଜୟୀ ହେବାକୁ କିନ୍ତୁ ଏହି ଟେଷ୍ଟ୍‌ରେ କୋହଲି‌ ସେନାକୁ ବିଜୟ କିମ୍ବା ଆମୀମାଂସିତ ଆବଶ୍ୟକ ପଡ଼ୁଛି। ଦଳୀୟ ଶିବିରକୁ ଖୁସି ଖବର ଦେଇଛି ପାଣିପାଗ। ପ୍ରଥମ ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ଭାବେ ଉଭୟ ଅଷ୍ଟ୍ରେଲିଆ (୨୦୧୮-୧୯) ଏବଂ ଇଂଲଣ୍ଡ (୨୦୨୧)ରେ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିବା ସମ୍ଭାବନା ବଢ଼ିଛି। ପଞ୍ଚମ ଟେ‌ଷ୍ଟ୍‌ରେ କିନ୍ତୁ ଭାରତର ଦୁଇଟି ଖେଳାଳିଙ୍କ ଉପରେ ନଜର ରହିବ। ଯଶପ୍ରୀତ୍‌ ବୁମରାଙ୍କ ସାମର୍ଥ୍ୟରୁ ସର୍ବାଧିକ ଫାଇଦା ଏବଂ ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଜିଙ୍କ୍ୟ ରାହାଣେଙ୍କଠାରୁ ଅବଦାନ। ଗତ ମାସକ ଭିତରେ ବୁମରା ୧୫୧ ଓଭର ବୋଲିଂ କରି ଚାପରେ ରହିଛନ୍ତି। ବିଶେଷ କରି ଚତୁର୍ଥ ଟେଷ୍ଟ୍ ଶେଷ ଦିନରେ ବୋଲିଂ କରିଥିବା ୨୨ ଓଭର ତାଙ୍କ କ୍ଲାନ୍ତିକୁ ବଢ଼ାଇଛି। ବିଗତ ୭ ପାଳିରେ ରାହାଣେଙ୍କ ୬ ବିଫଳତା ଦଳରେ ତାଙ୍କ ସ୍ଥାନକୁ ଅସୁରକ୍ଷିତ କରିଛି। ଏବେ ସମ୍ଭବତଃ ରାହାଣେଙ୍କୁ ତାଙ୍କ ଖେଳ ଜୀବନ ବଞ୍ଚାଇବାକୁ ଶେଷ ସୁଯୋଗ ମିଳିପାରେ। ତାଙ୍କ ବଦଳରେ ଦଳ ସୂର୍ଯ୍ୟକୁମାର ଯାଦବ କିମ୍ବା ହନୁମା ବିହାରୀଙ୍କୁ ସ‌ୁଯୋଗ ଦେବାକୁ ଦଳ ବିଚାର କରୁଛି। ସେହି ଦୃ‌‌ଷ୍ଟିରୁ ଭାରତୀୟ ଦଳର ଚୂଡାନ୍ତ ଏକାଦଶକୁ ନେଇ ନିଶ୍ଚିତ ଦ୍ବନ୍ଦ୍ବ ଦେଖିବାକୁ ମିଳିବ। ଦ ଓଭାଲରେ ସୁଯୋଗ ପାଇଥିବା ଉମେଶ ଯାଦବ ଏବଂ ଶାର୍ଦୁଳ ଠାକୁରଙ୍କ ପ୍ରଦର୍ଶନ ନିଶ୍ଚିତ ତାଙ୍କୁ ଆଉ ବେଞ୍ଚ୍‌ରେ ବସିବାକୁ ଦେବ ନାହିଁ ବୋଲି ବିଶ୍ବାସ କରାଯାଉଛି। ଶୃଙ୍ଖଳା ସ୍ଥିତି ଏଭଳି ନଥିଲେ ଭାରତୀୟ ଦଳ ନିଶ୍ଚିତ ବୁମରାଙ୍କୁ ବିଶ୍ରାମ ଦେଇଥା’ନ୍ତା। ରବୀନ୍ଦ୍ର ଜାଦେଜାଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ବିନ୍‌ ଶେଷରେ ସୁଯୋଗ ପାଇବାର ଆବଶ୍ୟକତା ରହିଛି। ସେହିଭଳି ମହମ୍ମଦ ସିରାଜଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସାମିଲ କରିବା ସମ୍ଭାବନା ରହିଛି।

ଘରୋଇ ଇଂଲଣ୍ଡ କିନ୍ତୁ ଅଧିକ ଚାପରେ ରହିଛି। କେବଳ ଓଭାଲରେ ବିଫଳ ହୋଇଥିବା ରୁଟ୍‌ଙ୍କୁ ସହାୟକ ହେବାକୁ ଉପଅଧିନାୟକ ଜୋସ୍ ବଟଲର୍‌ ଫେରି ଆସିଛନ୍ତି। ଜନି ବେୟାରଷ୍ଟୋଙ୍କଠାରୁ ସେ ୱିକେଟରକ୍ଷଣ ଦାୟିତ୍ବ ସମ୍ଭାଳିବେ। ‌ଜେମ୍ସ ଆଣ୍ଡରସନ୍‌ ଏବଂ କ୍ରେଗ୍‌ ଓଭରଟନ୍‌ ଏହି ଟେଷ୍ଟ୍ ନ ଖେଳିବା ସମ୍ଭାବନା ରହିଛି। ମାର୍କ ଉଡ୍‌ ଏବଂ କ୍ରିସ୍‌ ୱକ୍ସ ନୂଆ ବଲ୍‌ ଦାୟିତ୍ବ ସମ୍ଭାଳିବେ।

ଭାରତୀୟ ଦଳ (ସମ୍ଭାବ୍ୟ ୧୧): ରୋହିତ ଶର୍ମା, କେଏଲ୍ ରାହୁଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ୍ ବୁମରା।

ଇଂଲଣ୍ଡ ଦଳ (ସମ୍ଭାବ୍ୟ ୧୧): ରୋରି ବର୍ଣ୍ଣସ, ହସିବ୍ ହମିଦ୍, ଦାୱିଦ ମଲାନ, ଜୋ ରୁଟ୍‌ (ଅଧିନାୟକ), ଓଲି ପୋପ୍, ଜୋସ୍ ବଟଲର୍‌ (ୱିକେଟରକ୍ଷକ), ମୋଇନ୍ ଅଲୀ, କ୍ରିସ୍‌ ୱକ୍ସ, ଓଲି ରବିନ୍‌ସନ୍‌, ମାର୍କ ଉଡ୍‌, ଜେମ୍ସ ଆଣ୍ଡର୍‌ସନ୍‌।

ଜଣା ଅଜଣା
ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ଭାରତ ବିଦେଶରେ ମାତ୍ର ଦୁଇ ଥର ୩ ଲେଖାଏଁ ଟେଷ୍ଟ୍ ସହ ଶୃଙ୍ଖଳା ଜିତିଛି। ୧୯୬୭-୬୮ରେ ନ୍ୟୁଜିଲାଣ୍ଡ୍‌ରେ ୩-୧ରେ ଏବଂ ୨୦୧୭ରେ ଶ୍ରୀଲଙ୍କାରେ ୩-୦ରେ ଏଭଳି ସଫଳତା ପାଇଥିଲା। ଏବେ ତୃତୀୟ ଥର ପାଇଁ ସେଭଳି ସଫଳତା ହାସଲ କରିବା ଲକ୍ଷ୍ୟରେ ରହିଛି। ଜେମ୍ସ ଆଣ୍ଡରସନ୍‌ ତାଙ୍କ ଘରୋଇ ପଡିଆ (ଓଲ୍ଡ ଟ୍ରାଫୋର୍ଡ, ମା‌‌ଞ୍ଚେଷ୍ଟର୍‌)ରେ ଶେଷ ୯ ଟେଷ୍ଟରେ ୫ ୱିକେଟ୍ ସଫଳତା ପାଇନାହାନ୍ତି। ଯଶପ୍ରୀତ୍ ବୁମରା ଚଳିତ ଇଂଲଣ୍ଡ ଋତୁରେ ମୋଟ ୨୦୭.୪ ଓଭରର ବୋଲିଂ କରିଛନ୍ତି ସମସ୍ତ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ। ୨୦୧୮ରେ ଟେଷ୍ଟ୍ ପଦାର୍ପଣ କରିବା ପରଠାରୁ ଏହା ତାଙ୍କ ପାଇଁ ସର୍ବାଧିକ। ୨୦୧୪ରେ ଭୁବ‌ନେଶ୍ବର କୁମାରଙ୍କ ୧୯ ୱିକେଟକୁ ପଛରେ ପକାଇବାକୁ ଆଉ ସେ ୨ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିଅନ୍‌ ପଠାଇବାର ଆବଶ୍ୟକତା ରହିଛି।

ଟସ୍‌ ଓ ପିଚ୍‌: ଓଲ୍ଡ ଟ୍ରାଫୋର୍ଡରେ ପ୍ରଥମ ଦୁଇ ଦିନ ବର୍ଷା ଆଶଙ୍କା ରହିଛି। ତେବେ ପିଚ୍‌ ଏଠାରେ ମନ୍ଥର ରହିବ ଏବଂ ପରବର୍ତୀ ସମୟରେ ସ୍ପିନରଙ୍କୁ ସହାୟକ ହେବ ବୋଲି ବିଶ୍ବାସ କରାଯାଉଛି। ୨୦୧୫ ମସିହା ପରଠାରୁ ଏଠାରେ ପ୍ରଥମ ପାଳି ହାରାହାରି ସ୍କୋର୍‌ ରହିଛି ୪୩୫ ରନ୍‌। ଇଂଲଣ୍ଡରେ ଅନ୍ୟୁନ ଗୋଟିଏ ଟେଷ୍ଟ୍ ଆୟୋଜନ କରିଥିବା ପଡିଆ ମଧ୍ୟରେ ଏହା ସର୍ବାଧିକ। ତେବେ ଦ୍ବିତୀୟ ପାଳିରେ ସ୍ପିନରଙ୍କ ପ୍ରଭାବ ଭିତରେ ଏହା ସର୍ବନିମ୍ନ ହାରାହାରି ରହିଛି ୨୩୮ ରନ୍।

ଖେଳିବାକୁ ରାଜି ନଥିଲା ଇଂଲଣ୍ଡ
ମୁମ୍ବାଇ :‌ ଭାରତୀୟ ଶିବିରରେ ଏକାଧିକ କୋଭିଡ୍‌ ସଂକ୍ରମଣ କାରଣରୁ ଶୁକ୍ରବାରଠାରୁ‌ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍‌ ଆଶଙ୍କାରେ ପଡ଼ିଥିଲା। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ମ୍ୟାଚ୍‌ ନ ଖେଳିବା ସହ ଶୃଙ୍ଖଳାକୁ ଛାଡ଼ିଦେବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା। ବିସିସିଆଇ କିନ୍ତୁ ମ୍ୟାଚ୍‌ ଖେଳାଯିବା ସପକ୍ଷରେ ରହିଥିଲା। ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ସେମାନେ ସ୍ପଷ୍ଟ ଭାବେ ଖେଳିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଭାରତ ଏବେ ୨-୧ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ୍‌ ଶେଷ ଦିନ ବର୍ଷା ହୋଇନଥିଲେ ଫଳାଫଳ କୌଣସି ଦଳ ସପକ୍ଷରେ ଯାଇଥା’ନ୍ତା, ଏବେ ପଞ୍ଚମ ଟେଷ୍ଟ୍‌ ଖେଳାଗଲେ ମଧ୍ୟ କୌଣସି ଦଳ ସପକ୍ଷରେ ଏହି ଫଳାଫଳ ଯାଇପାରେ।

ସମ୍ବନ୍ଧିତ ଖବର