ସେଣ୍ଟ୍ ପିଟର୍ସବର୍ଗ: ଚଳିତ ଏକବିଂଶ ଫିଫା ବିଶ୍ୱକପ୍ର କାଂସ୍ୟ ପଦକ କିଏ ଜିତିବ? କିଏ ହେବ ତୃତୀୟ ଶ୍ରେଷ୍ଠ ଦଳ? ଏବେ ଏହି ସମ୍ମାନ ପାଇଁ ଶନିବାର ଲଢ଼ିବେ ବେଲ୍ଜିୟମ୍ ଏବଂ ଇଂଲଣ୍ଡ। ସେମିଫାଇନାଲ୍ ପରାଜୟ ଦୁଃଖକୁ ଭୁଲି କାଂସ୍ୟ ପଦକ ପାଇଁ ଲଢ଼ିବା କାଠିକର ପାଠ ହୋଇଥିଲେ ବି ଏହା ନୂଆ ମ୍ୟାଚ୍ ଏବଂ ନୂଆ ଆଶା ନେଇ ଆସିଛି। ଏଭଳି ଏକ କଷ୍ଟକର ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ପ୍ରତି ଖେଳାଳିଙ୍କ ନିଆରା ପରୀକ୍ଷା ଭଳି। ଉଭୟ ୟୁରୋପୀୟ ପ୍ରତିପକ୍ଷ ଇଂଲଣ୍ଡ ଓ ବେଲଜିୟମ୍ ନିଜ ନିଜର ବିଗତ ଦୁଇ ଦଶନ୍ଧି ପ୍ରଶଂସକଙ୍କ ପାଇଁ କିଛି ଚିହ୍ନ ଛାଡ଼ିଯିବାକୁ ଚାହିଁବେ ବିଶ୍ୱକପ୍ ମଇଦାନରେ। ଫୁଟ୍ବଲ୍ କୃତିତ୍ୱ ଲାଗି ମହା ମଇଦାନରେ ଏବେ ହେବ ସେମାନଙ୍କ ଶ୍ରେଷ୍ଠତ୍ୱର ପରୀକ୍ଷା। ଭଲ ଲୟ, ପ୍ରତିକି୍ରୟାଶୀଳ ଏବଂ ବ୍ୟତିକ୍ରମ ପ୍ରତିଭାରେ ଭରପୁର ବେଲ୍ଜିୟମ୍କୁ ବିଶ୍ୱ ବିଧ୍ୱଂସୀ କୁହାଯାଉଥିଲା। ଦଳର ସଦସ୍ୟମାନେ ହାରାହାରି ୩୦ ବର୍ଷୀୟ ରହିବା ପ୍ରତିବଂଧକ ଥିଲା। ଫୁଟ୍ବଲ୍ର ସର୍ବୋଚ୍ଚ ସମ୍ମାନକୁ ସେମାନେ ପାଇନାହାନ୍ତି। ଶନିବାର କାଂସ୍ୟ ଜିତିପାରିଲେ ଏହି ଦେଶ ନିଶ୍ଚିତ ଫୁଟ୍ବଲ୍ ବିଶ୍ୱକପ୍ରେ ବି ଶ୍ରେଷ୍ଠ ପ୍ରଦର୍ଶନ ପାଇଯିବ। ୧୯୮୬ ମେକ୍ସିକୋ ବିଶ୍ୱକପ୍ରେ ବେଲ୍ଜିୟମ୍ ଚତୁର୍ଥରେ ରହିପାରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଚଳିତ ବିଶ୍ୱକପ୍ର ଅନ୍ୟତମ ଯୁବବାହିନୀ ଥିଲା। ଶେଷ ସୁଯୋଗ ଭାବେ କାଂସ୍ୟ ପଦକ ଜିତିଲେ ଇଂଲଣ୍ଡ ଦଳ ମଧ୍ୟ ସୁନା ଜୋତା ଦୌଡ଼ରେ ଆଗୁଆ ଥିବା ହ୍ୟାରି କେନ୍ଙ୍କ ପାଇଁ ଅବିସ୍ମରଣୀୟ ରହିବ। କିନ୍ତୁ ଇଂଲଣ୍ଡ ଦଳ ପାଇଁ ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇପାରିବ ନାହିଁ। କାରଣ ୧୯୯୬ରେ ଇଂଲଣ୍ଡ ବିଜେତା ହୋଇଥିଲା। ସେହିଭଳି ୨୦୧୫ ମସିହାରେ କାନାଡ଼ାରେ ଇଂଲଣ୍ଡ ମହିଳା ଦଳ ଫିଫା ବିଶ୍ୱକପ୍ରେର କାଂସ୍ୟ ପଦକ ଜିତିଥିବାରୁ ପୁରୁଷ ଦଳ ସେମାନଙ୍କ ସମକକ୍ଷ ହେବାର ସୁଯୋଗ ରହିଛି।
କାଂସ୍ୟ ପଦକ ପାଇଁ ମୁକାବିଲା କରିବାରେ ନିଜକୁ ପ୍ରବର୍ତାଇବା ମୂଳକଥା। ଥମାସ୍ ମୁନିୟର୍ ଦଳକୁ ଫେରିବା ସହିତ କାଂସ୍ୟ ପଦକକୁ ପ୍ରଥମ ଥର ଜିତିବାର ଗୁରୁତ୍ୱକୁ ବୁଝାଇଛନ୍ତି। ବେଲଜିୟମ୍ ଦଳରେ ଅନେକ ଇଂଲିସ୍ ପ୍ରିମିୟର୍ ଲିଗ୍ ଖେଳାଳି ଥିବାରୁ ଏହି ଲାଲ୍ବାହିନୀ ଦଳ ପାଖରେ ମନସ୍ତାତ୍ତ୍ୱିକ ଫାଇଦା ରହିବ। ପୁଣି ଦୁଇ ସପ୍ତାହ ତଳେ (ଜୁନ୍ ୨୮) ଇଂଲଣ୍ଡକୁ ବେଲଜିମୟମ୍ ୧-୦ରେ ହରାଇଥିଲା। ଯାହାକି ଇଂଲଣ୍ଡ ବିପକ୍ଷରେ ୮୨ ବର୍ଷରେ ବେଲଜିୟମ୍ ପାଇଁ ପ୍ରଥମ ବିଜୟ ଥିଲା। ଅନ୍ୟପକ୍ଷରେ ବିଶ୍ୱକପ୍ ସ୍ୱପ୍ନ ହାତରୁ ଖସିଯିବାର ୭୨ ଘଣ୍ଟା ପରେ ଗ୍ୟାରେଥ୍ ସାଉଥ୍ଗେଟ୍ଙ୍କ ଦଳ ଏବେ ଆସଲ ଆଭିମୁଖ୍ୟକୁ ପୂର୍ଣ୍ଣ କରିବା ଲକ୍ଷ୍ୟରେ ରହିବ। ପ୍ରଶଂସକଙ୍କ ପାଇଁ ଉତ୍ସବ ମନାଇବାର ଅବସର ଆଣିବାକୁ ହେବ ଦଳକୁ। ଇଂଲଣ୍ଡ ଯୁବ ଦଳ ଭବିଷ୍ୟତର ପ୍ରତିଶ୍ରୁତି ରଖିବାକୁ ଏଠାରେ କାଂସ୍ୟ ଜିିତିବାକୁ ମଧ୍ୟ ବ୍ୟଗ୍ର। ଏହି ମ୍ୟାଚ୍ ମଧ୍ୟ ସୁନା ଜୋତା ନିର୍ଣ୍ଣାୟକ ହେବ। କାରଣ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍ ୬ ଗୋଲ୍ ସହ ଆଗରେ ଥିବାବେଳେ ବେଲଜିୟମ୍ ତାରକା ରୋମେଲୁ ଲୁକାକୁ ୪ ଗୋଲ୍ ତାଙ୍କୁ ପିଛା କରୁଛନ୍ତି। ଲୁକାକୁ କିଛି କମାଲ କରି କେନ୍ଙ୍କୁ କାଟିପାରିଲେ ହିଁ ସୁନା ଜୋତା ଛଡ଼ାଇନେବା ନିଶ୍ଚିତ ହେବ।
ବେଲଜିୟମ୍ ଦଳ: ଥିବାଉଟ୍ କୋର୍ଟଉସ୍, ଜାନ୍ ଭେର୍ଟୋଜେନ୍, ଭିନ୍ସେଣ୍ଟ୍ କମ୍ପାନି, ଟବି ଏଲଡର୍େଓ୍ଵର୍ଡ, ଆକ୍ସେଲ୍ ଓ୍ଵିଟ୍ସେଲ୍, କେଭିନ୍ ଡି’ବ୍ରୁଇନ୍, ନାସେର୍ ଚାଡ୍ଲି, ଥମାସ୍ ମୁନିଏର୍, ମାରୌନ୍ ଫେଲାନି, ଇଡେନ୍ ହାଜାର୍ଡ, ରୋମେଲୁ ଲୁକାକୁ।
ଇଂଲଣ୍ଡ ଦଳ: ଜୋର୍ଡାନ୍ ପିକ୍ଫୋର୍ଡ, କାଏଲ୍ ଓ୍ଵାକର୍, ଜନ୍ ଷ୍ଟୋନ୍ସ, ହ୍ୟାରି ମାଗ୍ଵିରେ, ଟ୍ରେଣ୍ଟ୍ ଆଲେକ୍ଜାଣ୍ଡର୍ ଆର୍ଣ୍ଣୋଲ୍ଡ, ରୁବେନ୍ ଲଫ୍ଟସ୍ ଚିକ୍, ଏରିକ୍ ଡାଏର୍, ଜେସେ ଲିଙ୍ଗାର୍ଡ, ଆସଲେ ୟଙ୍ଗ୍, ରହିମ୍ ଷ୍ଟର୍ଲିଂ, ହ୍ୟାରି କେନ୍।