ନିଖତଙ୍କୁ ଘାଇଲା କଲେ ମେରି କମ୍‌, ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଲଢ଼ିବେ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅଲିମ୍ପିକ୍‌ସ ପାଇଁ ଚୀନ୍‌ରେ ଆୟୋଜିତ ହେବ ମୁଷ୍ଟିଯୁଦ୍ଧ ଯୋଗ୍ୟତାପର୍ଯ୍ୟାୟ। ଏହି ଯୋଗ୍ୟତାପର୍ଯ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ଟ୍ରାଏଲ୍‌ସ ଅନୁଷ୍ଠିତ ହୋଇଯାଇଛି। ଏହି ଟ୍ରାଏଲ୍‌ସରେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ଙ୍କ ସହ ଲଢ଼ିବା ପାଇଁ ବହୁ ପୂର୍ବରୁ ୨୩ ବର୍ଷ ବୟସ୍କା ପୂର୍ବତନ କନିଷ୍ଠ ବିଶ୍ବ ବିଜୟିନୀ ନିଖତ ଜାରିନ୍‌ ଦାବି କରିଆସିଥିଲେ। ସେ ମଧ୍ୟ ମେରି କମ୍‌ଙ୍କୁ ଏନେଇ ଆହ୍ବାନ କରିଥିଲେ। ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍‌ଆଇ) ମଧ୍ୟ ଶେଷରେ ନିଖତଙ୍କ ଦାବିକୁ ଗ୍ରହଣ କରି ମେରି କମ୍‌ଙ୍କ ସହ ଲଢ଼େଇକୁ ସ୍ବୀକାର କରିଥିଲା। ହେଲେ ଗୁରୁବାରଠାରୁ ଏଠାରେ ଆୟୋଜିତ ଦୁଇ ଦିନିଆ ଟ୍ରାଏଲ୍‌ସର ଫାଇନାଲ୍‌ରେ ନିଖତଙ୍କୁ ଘାଇଲା କରି ମେରି କମ୍‌ ଆହ୍ବାନର କଡ଼ା ଜବାବ ଦେଇଛନ୍ତି। ମେରିଙ୍କ ସହ ଲଢ଼ିବା ପାଇଁ ନିଖତ ସାଧାରଣରେ ଦାବି କରିଆସିଥିବା ଯୋଗୁଁ ଶନିବାର ଫାଇନାଲ୍‌ ଲଢ଼େଇ ପୂର୍ବରୁ ମୁଷ୍ଟିଯୁଦ୍ଧ ହଲ୍‌ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଲଢ଼େଇ ବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ଶୁଣିବାକୁ ମିଳୁଥିଲା। ଶେଷରେ ମହିଳା ୫୧ କେଜି ବର୍ଗର ଏହି ଟ୍ରାଏଲ୍‌ସ ଫାଇନାଲ୍‌ରେ ମେରି କମ୍‌ ୯-୧ରେ ନିଖତଙ୍କୁ ଧରାଶାୟୀ କରିଦେଇଥିଲେ। ଏଥିସହିତ ମେରି କମ୍‌ ଆସନ୍ତାବର୍ଷ ଫେବ୍ରୁଆରି ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ଉହାନ୍‌ଠାରେ ଆୟୋଜିତ ଏସିଆ-ଓସେନିଆ ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିନେଲେ। ଟ୍ରାଏଲ୍‌ସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏତେ ତିକ୍ତତା ରହିଥିଲା ଯେ ବିଜୟ ହାସଲ ପରେ ସାମାନ୍ୟ ଭଦ୍ରତା ଦୃଷ୍ଟିକୋଣରୁ ଜାରିନଙ୍କ ସହ ମାତ ମିଶାଇ ନଥିଲେ ମେରି। ଏପରିକି ରିଙ୍ଗ୍‌ ବାହାରେ ରହିଥିବା ନିଖତଙ୍କ ଘରୋଇ ରାଜ୍ୟ ତେଲେଙ୍ଗାନାରୁ ତାଙ୍କ ସମର୍ଥନରେ ଉପସ୍ଥିତ ଥିବା ପ୍ରତିନିଧିମାନେ ଫଳାଫଳ ଘୋଷଣା ହେବା ପରେ କାନ୍ଦି ପକାଇଥିଲେ। ‌ମେରିଙ୍କ ବ୍ୟବହାର ନେଇ ତେଲେଙ୍ଗାନା ମୁଷ୍ଟିଯୁଦ୍ଧ ସଂଘରୁ ପ୍ରତିନିଧିତ୍ବ କରିଥିବା ଏପି ରେଡ୍ଡୀ ଭାରତୀୟ ସଂଘ ନିକଟରେ ଅଭିଯୋଗ କରିଥିଲେ। ହେଲେ ଭାରତୀୟ ସଂଘର ସଭାପତି ଅଜୟ ସିଂହ ରିଙ୍ଗ୍‌ ବାହାରେ ପରିସ୍ଥିତିକୁ ନିୟଂତ୍ରଣ କରିନେଇଥିଲେ।

୫୧ କେଜି ବର୍ଗରେ ମେରି କମ୍‌ ଚୀନ୍‌ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିନେଇଥିଲା ବେଳେ ଅନ୍ୟ ବର୍ଗଗୁଡ଼ିଙ୍କ ମଧ୍ୟରୁ ୫୭ କେଜିରେ ସାକ୍ଷୀ ଚୌଧୁରୀଙ୍କୁ ପରାସ୍ତ କରି ଦୁଇ ଥର ବିଶ୍ବ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥେର୍‌, ୬୦ କେଜିରେ ପୂର୍ବତନ ବିଶ୍ବ ବିଜୟିନୀ ଏଲ୍‌ ସରିତା ଦେବୀଙ୍କୁ ପରାସ୍ତ କରି ଜାତୀୟ ବିଜୟିନୀ ସିମ୍ରନ୍‌ଜିତ୍‌ କୌର, ୬୯ କେଜିରେ ଲଲିତାଙ୍କୁ ପରାସ୍ତ କରି ଦୁଇ ଥର ବିଶ୍ବ ପଦକ ବିଜୟିନୀ ଲଭ୍‌ଲିନା ବୋର୍ଗୋହେଁ ଏବଂ ୭୫ କେଜିରେ ନୁପୁରଙ୍କୁ ପରାସ୍ତ କରି ପୂର୍ବତନ ଏସୀୟ କାଂସ୍ୟ ବିଜୟିନୀ ପୂଜା ରାଣୀ ଚୀନ୍‌ ଟିକେଟ କରାୟତ କରିଛନ୍ତି।

ଯୋଗ୍ୟତାପର୍ଯ୍ୟାୟ ପାଇଁ ଭାରତୀୟ ଦଳ: ଏମ୍‌ସି ମେରି କମ୍‌ (୫୧ କେଜି), ସାକ୍ଷୀ ଚୌଧୁରୀ (୫୭ କେଜି), ସିମ୍ରନ୍‌ଜିତ୍‌ କୌର (୬୦ କେଜି), ଲଭ୍‌ଲିନା ଭୋର୍ଗୋହେଁ (୬୯ କେଜି) ଓ ପୂଜା ରାଣୀ (୭୫ କେଜି)।

‘‘ମେରି ମୋଠାରୁ ବରିଷ୍ଠ ଥିବାରୁ ରିଙ୍ଗ୍‌ ମଧ୍ୟ‌ରେ ତାଙ୍କଠୁ ଅଧିକ ସୌହାର୍ଦପୂର୍ଣ୍ଣ ବ୍ୟବହାର ଆଶା ରଖିଥିଲି। ଏପରିକି ଜଣେ କନିଷ୍ଠ ପ୍ରତିଯୋଗୀ ଭାବେ ଲଢ଼େଇ ଶେଷରେ ତାଙ୍କଠୁ ଭଲ ବ୍ୟବହାର ମିଳିବ ବୋଲି ଭାବିଥିଲି। ହେଲେ ସାମାନ୍ୟତମ ଭଦ୍ରତା ହେଉ ବା ଖେଳ ଭାବନା ଦୃଷ୍ଟିରୁ ହାତ ମିଳାଇବା ଉଚିତ ଥିଲା। କିନ୍ତୁ ମୋ ସହ ହାତ ତ ମିଳାଇଲେନି ବରଂ ତାଙ୍କ ରୁକ୍ଷ ବ୍ୟବହାର ମୋତେ ବୁହତ କଷ୍ଟ ଦେଇଛି। ମେରି ରିଙ୍ଗ୍ ଭିତରେ ମଧ୍ୟ ମୋ ଉଦ୍ଦେଶ୍ୟରେ ଖରାପ ଭାଷା ବ୍ୟବହାର କରିଥିଲେ।’’
-ନିଖତ ଜାରିନ୍‌

‘‘ମୁ ଆଦୌ ଏହି ବିବାଦ ଆରମ୍ଭ କରିନଥିଲି। କେବେ ବି ଟ୍ରାଏଲ୍‌ସରେ ଲଢ଼ିବା ପାଇଁ କାହାକୁ କହିନଥିଲି। ହେଲେ ନିଖତ ସବୁ ଆରମ୍ଭ କରିଥିଲେ। ତେଣୁ ମୁଁ କ୍ଷୁବ୍‌ଧ ଥିଲି। ଏଥିରେ କୌଣସି ସନ୍ଦେହ ନାହିଁ। କାହିଁକି ନିଖତଙ୍କ ସହିତ ହାତ ମିଶାଇବି? ଏହା ମଧ୍ୟ ମୋର ଭୁଲ୍‌ ନଥିଲା। ତେଣୁ ମୋ ନାମକୁ ବିବାଦ ମଧ୍ୟକୁ ଟାଣନ୍ତୁନି। ଯଦି ସେ ଚାହୁଁଛନ୍ତି ଅନ୍ୟମାନେ ତାଙ୍କୁ ସମ୍ମାନ କରନ୍ତୁ, ତେବେ ସେ ପ୍ରଥମେ ନିଜେ ଅନ୍ୟମାନଙ୍କୁ ସମ୍ମାନ ଦେବା ଶିଖନ୍ତୁ। କେବଳ ରିଙ୍ଗ୍ ଭିତରେ ନିଜକୁ ପ୍ରମାଣିତ କରନ୍ତୁ, ବାହାରେ ନୁହେଁ।’’
-ମେରି କମ୍‌

ସମ୍ବନ୍ଧିତ ଖବର