ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟା‌ୟ ଲାଗି ଆଜି ଲଢ଼େଇ

ସେମିରେ ଭାରତ ୧୧-୦

ଭୁବନେଶ୍ବର: ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଶୁକ୍ରବାର କଳିଙ୍ଗରେ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସର ଦୁଇଟି ସେମିଫାଇନାଲ୍‌ ଖେଳାଯିବ। ପ୍ରଥମ ସେମିଫାଇନାଲ୍‌ରେ ପୁଲ୍‌-ବି ବିଜେତା ଆମେରିକା ଭେଟିବ ଦକ୍ଷିଣ ଆଫ୍ରିକାକୁ ଏବଂ ଦ୍ବିତୀୟରେ ପୁଲ୍‌-ଏ ବିଜେତା ଆୟୋଜକ ଭାରତ ସହ ଖେଳିବ ପୂର୍ବରୁ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିସାରିଥିବା ଜାପାନ୍‌। ଏସୀୟ ବିଜେତା ଏବଂ ଆୟୋଜକ ଦଳ ଭାବେ ଅଲିମ୍ପିକ୍‌ ଟିକେଟ୍‌ ହାସଲ କରି ସାରିଥିବାରୁ ଜାପାନ୍‌ ଲାଗି ଏହି ମ୍ୟାଚ୍‌ ସେତେ‌ ଗୁରୁତ୍ବପୂର୍ଣ୍ଣ ନୁହେଁ। ହେଲେ ଜାପାନ୍‌ ଏଠାରେ ଟ୍ରଫି ଜିତିବା ଲାଗି କୌଣସି ସୁଯୋଗ ଛାଡ଼ିବନି। କିନ୍ତୁ ଏହା ବିପକ୍ଷରେ ଖେଳିବାକୁଥିବା ଆୟୋଜକ ଦଳ ଲାଗି ସେମିଫାଇନାଲ୍‌ ମ୍ୟାଚ୍‌ ବେଶି ଗୁରୁତ୍ବପୂର୍ଣ୍ଣ। କାରଣ ‌ଫାଇନାଲ୍‌ରେ ପହଞ୍ଚିଥିବା ଦୁଇ ଦଳ ହିଁ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ ହାତେଇବେ।

ଆମ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତିରେ ରହିଛି। ଆମେ ନିଶ୍ଚିତ ଏହି ମ୍ୟାଚ୍‌ ଜିତି ଆଗକୁ ବଢ଼ିବୁ ବୋଲି କହିଛନ୍ତି ଭାରତୀୟ ଦଳର ଉପଅଧିନାୟକ ତଥା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ। ଏହା ନିଶ୍ଚିତ ଭଲ ମ୍ୟାଚ୍‌ ହେବ। କାରଣ ଜାପାନ୍‌ ମଧ୍ୟ ଆମକୁ ମୁକାବିଲା କରିବାକୁ ରଣନୀତି କରିଛି। ଆଜି ଆମେ ଗୋଟେ ଅଧିବେଶନ ଅଭ୍ୟାସ କରିଛୁ। ଏଥିରେ ପେନାଲ୍ଟି କର୍ଣ୍ଣର ସହ କିଭଳି ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରିପାରିବୁ ତା’ ଉପରେ ବେଶି ଧ୍ୟାନ ଦେଇଥିଲୁ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ‌କହିଛନ୍ତି ବୀରେନ୍ଦ୍ର। ଆମେ ଏଠାକୁ ଜିତିବା ଲାଗି ଆସିଛୁ। ଅଲିମ୍ପିକ୍‌ ପୂର୍ବରୁ ଆମେ ଚାହୁଁଛୁ କିଭଳି ଉଚ୍ଚ ମାନ୍ୟତା ଦଳଠୁ ଜିତିବୁ। ଭାରତ ନିଶ୍ଚିତ ଆମଠୁ ଦୃଢ଼ ଦଳ। ଆମର ଇଛା ବିଶ୍ବର ଶୀର୍ଷ ଦଳକୁ ହରାଇବା। ଏହି ପ୍ରତିଯୋଗିତାର ସବୁଠୁ ଶୀର୍ଷ ଦଳ ହେଉଛି ଭାରତ। ଏଥିପାଇଁ ଏହି ମ୍ୟାଚ୍‌ ଜିତିବାକୁ ଆମେ ପୁରା ପ୍ରସ୍ତୁତ ବୋଲି କହିଛନ୍ତି ଜାପାନ ଦଳର ପ୍ରଶିକ୍ଷକ ଏଇକମ୍ୟାନ୍‌ ସିଏଗଫ୍ରାଏଡ୍‌। ଭାରତ ନିଶ୍ଚିତ ଭଲ ଖେଳିଛି। କିନ୍ତୁ ଆସନ୍ତା କାଲି ମ୍ୟାଚ୍‌ରେ ଜିତିବ ବୋଲି କିଛି ନିଶ୍ଚିତ ନୁହେଁ। ଆମେ ଲିଗ୍‌ ପର୍ଯ୍ୟାୟରେ ସବୁ ଦଳ ବିପକ୍ଷରେ ଭଲ ଖେଳିଥି‌ଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଶୀର୍ଷରେ ରହି ପାରିନଥିଲୁ। କିନ୍ତୁ ଆମର ବିଶ୍ବାସ ରହିଛି ଭାରତକୁ ନିଶ୍ଚିତ ଅଟକାଇବୁ ବୋଲି ଏଇକମ୍ୟାନ୍‌ କହିଛିନ୍ତି।

ପ୍ରଥମ ସେମିଫାଇନାଲ୍‌ରେ ବିଶ୍ବର ୧୬ତମ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ପୁରା ଟକ୍କର ଦେବାକୁ ଆମେରିକା ପ୍ରସ୍ତୁତ। ଲିଗ୍‌ ମ୍ୟାଚ୍‌ରେ ଆମେରିକା ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ସହ ପୁଲ୍‌ର ଶୀର୍ଷ ଦଳ ଭାବେ ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭରରେ ରୁଷିଆକୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛି।

ଭୁବନେଶ୍ବର: ଦୁଇ ଏସୀୟ ଦେଶ ଭାରତ ଏବଂ ଜାପାନ ମଧ୍ୟରେ ହକି ସମ୍ପର୍କ ବହୁ ପୁରୁଣା। କିନ୍ତୁ ଭାରତର ପ୍ରାଧାନ୍ୟ ଅବ୍ୟାହତ ରହିଛି। ଦୁଇ ଦେଶ ମଧ୍ୟରେ ମୋଟ ୮୩ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୭୫ ଜିତିଛି। ୪ଟିରେ ହାରିଥିବା ବ‌େଳେ ୪ଟି ଅମୀମାଂସିତ ରହିଛି। ସେହିଭଳି କେବଳ ବିଭିନ୍ନ ପ୍ରତିଯୋଗିତାର ସେମିଫାଇନାଲ୍ ଦେଖିଲେ ଭାରତ ସମସ୍ତ ୧୧ ମ୍ୟାଚ୍‌ ଜିତି ନେଇଛି। ୮ ଥର ଏସୀୟ କ୍ରୀଡ଼ା, ୨ ଥର ଏସିଆ କପ୍‌ ଏବଂ ଥରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଏହି ସବୁ ସେମିଫାଇନାଲ୍ ଖେଳାଯାଇଛି। କେବଳ ଭୁବନେଶ୍ବରର କଳିଙ୍ଗ ହକି କଂପ୍ଲେକ୍ସରେ ଦୁଇ ଦେଶ ଶୁକ୍ରବାର ପଞ୍ଚମ ଥର ମୁକାବିଲା କରିବେ। ପୂର୍ବ ୪ଟିରୁ ଭାରତ ୩ଟି ଜିତିଥିବା ବେଳେ ଗୋଟିଏ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିବା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି ବିଶିଷ୍ଟ ହକି ପରିସଂଖ୍ୟାନବିତ୍ ଜି ବି‌ ଯୋଶୀ। ଶ୍ରୀ ଯୋଶୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ରହି ଏବେ ପ୍ରତି ମ୍ୟାଚ୍‌କୁ କଭର କରୁଛନ୍ତି। ଗତବର୍ଷ ହକି ବିଶ୍ବକପ୍‌ ସମୟରେ ଓଡ଼ିଶା ସରକାରଙ୍କ ପୁସ୍ତିକା ପ୍ରକାଶନରେ ମଧ୍ୟ ପରିସଂଖ୍ୟାନବିତ୍ ଭାବେ କାର୍ଯ୍ୟ ତୁଲାଇଥିଲେ।

ସମ୍ବନ୍ଧିତ ଖବର