ଟ୍ରଫି ପାଇଁ ଲଢ଼ିବେ ହାଲେପ୍‌-ଓ୍ଵଜ୍‌ନିଆକି

ଫାଇନାଲ୍‌ରେ ସିଲିକ୍‌

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଏକକ ଟ୍ରଫି କରାୟତ ଲାଗି ଶନିବାର ଦୁଇ ଶୀର୍ଷ ମାନ୍ୟତା ଖେଳାଳିଙ୍କ ମଧ୍ୟରେ ଲଢ଼େଇ ହେବ। ବିଶ୍ୱ ମାନ୍ୟତାର ଶୀର୍ଷ ସିମୋନା ହାଲେପ୍‌ ଏବଂ ଦ୍ୱିତୀୟରେ ଥିବା କାରୋଲିନେ ଓ୍ଵଜ୍‌ନିଆକି ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଗୁରୁବାର ସେମିଫାଇନାଲ୍‌ରେ ରୋମାନିଆ ଲଳନା ହାଲେପ୍‌ ୬-୩, ୪-୬, ୯-୭ ସେଟ୍‌ରେ ପୂର୍ବ ବିଜେତା ଜର୍ମାନିର ଆଞ୍ଜେଲିକ୍‌ କର୍ବର୍‌ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଏଠାରେ ଫାଇନାଲ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏହି ମ୍ୟାଚ୍‌ ଜିତିବା ଲାଗି ହାଲେପ୍‌ଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗି ଥିଲା। ଅନ୍ୟପକ୍ଷରେ ଡେନ୍‌ମାର୍କ ସୁନ୍ଦରୀ ଓ୍ଵଜ୍‌ନିଆକି ୬-୩, ୭-୬ ସିଧାସଳଖ ସେଟ୍‌ରେ ୩୭ ମାନ୍ୟତା ବେଲ୍‌ଜିୟମ୍‌ର ଏଲିସ୍‌ ମର୍ତିନ୍‌ସଙ୍କୁ ହରାଇ ପ୍ରଥମ ଅଷ୍ଟ୍ରେଲିଆନ୍‌ ଓପନ୍‌ ନିଜ ନାମରେ କରିବା ଲାଗି ଆଉ ଗୋଟିଏ ପାଦ ଆଗେଇଛନ୍ତି।
ଅନ୍ୟପକ୍ଷରେ ୮ ବର୍ଷ ବ୍ୟବଧାନ ପରେ ଏଠାରେ ସେମିଫାଇନାଲ୍‌ ଖେଳୁଥିବା ଷଷ୍ଠ ମାନ୍ୟତା ମାରିନ୍‌ ସିଲିକ୍‌ ପ୍ରଥମ ଥର ଲାଗି ଏହି ବାଧା ଅତିକ୍ରମ କରି ପୁରୁଷ ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଦୁଇଟି ଗ୍ରାଣ୍ଡ୍‌ ସ୍ଲାମ୍‌ ୨୦୧୪ ୟୁଏସ୍‌ ଏବଂ ୨୦୧୭ ଓ୍ଵିମ୍ବଲଡନ୍‌ ଫାଇନାଲ୍‌ ଖେଳି ସାରିଥିବା ଏହି କ୍ରୋଏସିଆ ତାରକା ଗୁରୁବାର ସେମିଫାଇନାଲ୍‌ରେ ୬-୨, ୭-୬, ୬-୨ ସେଟ୍‌ରେ ଅଣମାନ୍ୟତା ପ୍ରାପ୍ତ ବ୍ରିଟେନ୍‌ର କାଏଲ୍‌ ଏଡମୁଡ୍‌ଙ୍କୁ ମାତ୍‌ ଦେଇଥିଲେ। ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ନିଜ ନାମରେ କରିବା ଲାଗି ସେ ୧୬ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ବିଜେତା ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ସ୍ୱିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ଏବଂ କୋରିଆର ଚୁଙ୍ଗ୍‌ ହୁନ୍‌ଙ୍କ ବିଜେତାଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର