୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଗଣ୍ଡଗୋଳ: ୫ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଦୁବାଇ: ଦକ୍ଷିଣ ଆଫ୍ରିକାରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ବାଂଲାଦେଶ ବିଜେତା ହେବା ପରେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ଗୁରୁତ୍ବର ସହ ନେଇଛି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)। ସୋମବାର ଫାଇନାଲ୍‌ ମ୍ୟାଚ୍‌ ଜିତିବା ପରେ ବାଂଲା ଖେଳାଳିମାନେ ଉନ୍ମାଦିଆ ଉତ୍ସବ ପାଳନ ବେଳେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା। ଏହାକୁ ସାରା ବିଶ୍ବ ନିନ୍ଦା କରିଥିଲା ବେଳେ ମଙ୍ଗଳବାର ଆଇସିସି ଏହି ଘଟଣାକୁ ନେଇ ଉଭୟ ଦଳର ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ୫ ଖେଳାଳିଙ୍କ ଉପରେ ୪ରୁ ୧୦ ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ନିଲମ୍ବନ ଲାଗୁ କରାଯାଇଛି। ସେମାନଙ୍କ ମଧ୍ୟରେ ବିଜେତା ବାଂଲାଦେଶ ଦଳର ତୋୱିଦ୍‌ ହୃଦୟ, ସାମିମ୍‌ ହୋସେନ୍‌ ଓ ରକିବୁଲ୍‌ ହାସନ୍‌ ରହିଥିଲା ବେଳେ ଭାରତୀୟ ଦଳର ଦୁଇ ଜଣ ଆକାଶ ସିଂହ ଓ ରବି ବିଷ୍ଣୋଇ ଅଛନ୍ତି। ଏହି ୫ ଜଣ ଆଇସିସି ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଫାଇନାଲ୍‌ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। କିନ୍ତୁ ମ୍ୟାଚ୍‌ ଶେଷରେ କେତେକ ଖେଳାଳି ଅଶୋଭନୀୟ ଆଚରଣ କରିଥିଲେ, ଯାହାକି କ୍ରିକେଟ୍‌କୁ କଳଙ୍କିତ କରିଛି ବୋଲି କହିଛନ୍ତି ଆଇସିସି ମହା ପ୍ରବନ୍ଧକ ଜିଓଫ୍ ଆଲାରଡିସେ। ଅନ୍ୟପକ୍ଷରେ ବାଂଲା ବ୍ୟାଟ୍‌ସମ୍ୟାନ୍‌ ଅଭିଷେକ ଦାସଙ୍କୁ ଆଙ୍ଗୁଠି ଦେଖାଇ ପାଭିଲିୟନ୍‌ ଫେରିବାର ଇଙ୍ଗିତ ଦେଇଥିବା କାରଣରୁ ରବି ବିଷ୍ଣୋଇଙ୍କୁ ନିଲମ୍ବନ ବ୍ୟତୀତ ବିଯୁକ୍ତ ୨ ପଏଣ୍ଟ୍‌ ଦଣ୍ଡ ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର