ଲୌସାନେ: ଭାରତୀୟ ପୁରୁଷ ହକି ଦଳ ପ୍ରଥମ ଥର ଲାଗି ଆୟୋଜିତ ଏଫ୍ଆଇଏଚ୍ ୫ ଏସ୍ ହକି ପ୍ରତିଯୋଗିତାରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ସ୍ବିଜରଲାଣ୍ଡର ଲୌସାନରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାର ଫାଇନାଲ୍ରେ ଭାରତ ୬-୪ ଗୋଲ୍ରେ ପୋଲାଣ୍ଡକୁ ହରାଇ ଟ୍ରଫି କରାୟତ୍ତ କରିଛି। ଭାରତ ପକ୍ଷରୁ ବବି ସିଂହ ଧାମି (୧୦, ୧୮ ମିନିଟ୍) ଓ ମହମ୍ମଦ ରାହିଲ (୧୨, ୧୬ ମିନିଟ୍) ଦୁଇଟି ଲେଖାଏଁ ଏବଂ ସଞ୍ଜୟ (୭ ମିନିଟ୍) ଓ ଗୁରିନ୍ଦର ସିଂହ (୮ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପୋଲାଣ୍ଡର ମାତ୍ୟୁସ ନୋୱାକୋସ୍କି (୧ ମିନିଟ୍), ପାୱଲକ ରୋବର୍ଟ (୪ ମିନିଟ୍), ରୁତକୋସ୍କି ୱଜସିଚ (୪ ମିନିଟ୍) ଓ କୁରୋସ୍କି ଜାସେକ (୧୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ରାଉଣ୍ଡ ରବିନ୍ ଷ୍ଟେଜ୍ରେ ଭାରତ ପ୍ରଥମ ଦିନରେ ସ୍ବିଜରଲାଣ୍ଡକୁ ହରାଇଥିଲା ବେଳେ ପାକିସ୍ତାନ ସହ ଅମୀମାଂସିତ ରଖିଥିଲା। ଦ୍ବିତୀୟ ଦିନରେ ମାଲେସିଆକୁ ୭-୩ ଓ ପୋଲାଣ୍ଡକୁ ୬-୨ରେ ହରାଇ ଫାଇନାଲ୍ରେ ପହଞ୍ଚିଥିଲା।
ଅନ୍ୟ ପକ୍ଷରେ ଭାରତୀୟ ମହିଳା ହକି ଦଳ ଫାଇନାଲ୍ ଖେଳିବାରେ ବଞ୍ଚିତ ହୋଇଥିଲା। ପ୍ରତିଯୋଗିତାର ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଭାରତ ରବିବାର ଆୟୋଜକ ସ୍ବିଜରଲାଣ୍ଡକୁ ୪-୩ରେ ହରାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ସହ ୪-୪ ଅମୀମାଂସିତ ରଖିଥିଲା। ଫଳରେ ସ୍ବିଜରଲାଣ୍ଡ ବିପକ୍ଷରେ ମମ୍ତାଜ ଖାନ (୧୦, ୧୪, ୧୭ ମିନିଟ୍) ହ୍ୟାଟ୍ରିକ୍ ସହ ଋତିଜା ପିସାଲ (୩ ମିନିଟ୍)ଙ୍କ ଗୋଲ୍ ଦେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ଭାରତର ମମତାଜ (୭, ୯ ମିନିଟ୍) ଦୁଇଟି, ଋତଜା (୮ ମିନିଟ୍) ଓ ଓଡ଼ିଆ ଝିଅ ମାରିଆନା କୁଜୁର (୧୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।