ନବୀନଙ୍କୁ ଏଫ୍ଆଇଏଚ୍ ପୁରସ୍କାର

:ଭୁବନେଶ୍ବର: ହକିର ପ୍ରଚାର-ପ୍ରସାର ପାଇଁ କରିଥିବା ଅତୁଳନୀୟ ଅବଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଦ୍ବାରା ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଚଳିତମାସ ପହିଲାରେ ଆୟୋଜିତ ସ୍ବତନ୍ତ୍ର ରାତ୍ର ଭୋଜନ ଏବଂ ପୁରସ୍କାର ରାତିରେ ନବୀନଙ୍କୁ ସମ୍ମାନଜନକ ‘ଏଫଆଇଏଚ୍ ସଭାପତି’ ପୁରସ୍କାର ମିଳିଛି। ସେହିଭଳି ଚତୁର୍ଦଶ ହକି ବିଶ୍ବକପ୍ ଆୟୋଜନ ନେଇ ଦେଖାଇଥିବା ଅତୁଲ୍ୟ ଉତ୍ସାହ ଲାଗି ଏଫଆଇଏଚ୍ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା‌ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏଫଆଇଏଚ୍‌ର ୪୬ତମ ସମ୍ମିଳନୀରେ କ୍ରୀଡ଼ାପ୍ରେମୀ ନବୀନଙ୍କୁ ଏହି ପୁରସ୍କାର ଲାଗି ବଛା ଯାଇଥିଲା। ଏହି ପୁରସ୍କାର ଲାଗି ହକି ଇଣ୍ଡିଆ ତାଙ୍କୁ ଅଭିନନ୍ଦନ ଜଣାଇଛି। ଜାତୀୟ କ୍ରୀଡ଼ା ହକିର ବିକାଶରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଭୂମିକା ତୁଲାଇଛନ୍ତି ବୋଲି ହକି ଇଣ୍ଡିଆ କହିଛି। ଓଡ଼ିଶାରେ ହକି ବିକାଶ ଲାଗି ନବୀନ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ବିଶ୍ବକପ୍ ଆୟୋଜନ ସହ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ଭାବେ ଓଡ଼ିଶା ସରକାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବିଶ୍ବକପରେ ହକିକୁ ନେଇ ଓଡ଼ିଶା କେତେକ ଗର୍ବିତ ସାରା ବିଶ୍ବ ତାହା ଦେଖିବ ବୋଲି ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ କହିଛନ୍ତି।

ସମ୍ବନ୍ଧିତ ଖବର