ଏଫ୍‌ଆଇଏଚ୍ ହକି: ଭାରତୀୟ ଦଳରେ ଅମିତ, ବୀରେନ୍ଦ୍ର

ବୀରେନ୍ଦ୍ରଙ୍କୁ ଜନ୍ମଦିନ ବଧେଇ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ୮ ଓ ୯ ତାରିଖ ଦୁଇ ଦିନ ଧରି ଖେଳାଯିବାକୁ ଥିବା ବେଲ୍‌ଜିୟମ ବିପକ୍ଷ ଦୁଇ ଟିକିଆ ଏଫ୍‌ଆଇଏଚ୍ ହକି ପ୍ରୋ-ଲିଗ୍ ମ୍ୟାଚ୍ ଲାଗି ସୋମବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲ୍‌ଜିୟମ ବିପକ୍ଷ ଏହି ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ରୂପରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି। ହରମନପ୍ରୀତ ସିଂହ ଉପଅଧିନାୟକ ପଦ ପାଇଥିଲା ବେଳେ ଏକମାତ୍ର ନୂଆ ମୁହଁ ଭାବେ ରାଜକୁମାର ପଟେଲ ଜାତୀୟ ଦଳକୁ ଡାକରା ପାଇଛନ୍ତି। ନେଦରଲାଣ୍ଡ ବିପକ୍ଷ ହକି ପ୍ରୋ-ଲିଗ୍ ମ୍ୟାଚ୍ ଖେଳିଥିବା ଭାରତୀୟ ଦଳର ଅଧିକାଂଶ ଖେଳାଳି ନିଜ ନିଜ ସ୍ଥାନ କାଏମ ରଖିଛନ୍ତି। ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ କହିଛନ୍ତି ଯେ ଏଫ୍‌ଆଇଏଚ୍ ହକି ପ୍ରୋ-ଲିଗ୍ ଖେଳିବାର ମୂଳ ଲକ୍ଷ୍ୟ ହେଲା ଟୋକିଓ ଅଲିମ୍ପିକ୍ସ ପାଇଁ ଏକ ସନ୍ତୁଳିତ ଦଳ ବାଛିବା। ଶ୍ରେଷ୍ଠ ପ୍ରଦର୍ଶନ ସହ ଶକ୍ତିଶାଳୀ ଦଳଗୁଡ଼ିକୁ ଆମେ ମଧ୍ୟ କଡ଼ା ଟକ୍କର ଦେଇ ପାରିବୁ ବୋଲି ପ୍ରମାଣିତ କରିବା। ନିକଟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ରାଜକୁମାରଙ୍କୁ ଦଳରେ ନିଆଯାଇଛି। ତାଙ୍କ ପାଖରେ ଅସାଧାରଣ ହକି କୌଶଳ ଏବଂ ଗତି ରହିଛି। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲ୍‌ଜିୟମ ବିପକ୍ଷରେ ସୁଯୋଗ ପାଇଲେ, ସେ ନିଶ୍ଚିତ ଭାବେ ପ୍ରଭାବୀ ପ୍ରଦର୍ଶନ କରିବେ। ଏଫ୍‌ଆଇଏଚ୍ ହକି ପ୍ରୋ-ଲିଗ୍‌ର ପ୍ରଥମ ମୁକାବିଲାରେ ଖେଳିଥିବା ନେଦରଲାଣ୍ଡ ବିପକ୍ଷ ଉଭୟ ମ୍ୟାଚ୍‌କୁ ଭାରତ ଜିତି ନେଇଥିଲା।

ଭାରତୀୟ ଦଳ: ମନପ୍ରୀତ ସିଂହ (ଅଧିନାୟକ), ହରମନପ୍ରୀତ ସିଂହ (ଉପଅଧିନୟକ), ପିଆର ଶ୍ରୀଜେଶ, କ୍ରିଷନ୍ ବାହାଦୂର ପାଠକ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ଜର୍ମନପ୍ରୀତ ସିଂହ, ରୂପୀନ୍ଦର ପାଲ ସିଂହ, ବିବେକ ସାଗର ପ୍ରସାଦ, ଚିଙ୍ଗଲେସାନା ସିଂହ, ରାଜ କୁମାର ପାଲ, ଦିଲପ୍ରୀତ ସିଂହ, ହାର୍ଦିକ ସିଂହ, ରମଣଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ସମଶେର ସିଂହ, ଗୁରସାହିବଜିତ ସିଂହ, କୋଥାଜିତ ସିଂହ କାଦଙ୍ଗବାଦ, ବୀରେନ୍ଦ୍ର ଲାକ୍ରା, ନୀଳକାନ୍ତ ଶର୍ମା, ଗୁରଜାନ୍ତ ସିଂହ, ଏସ୍‌ଭି ସୁନିଲ।

ଭୁବନେଶ୍ବର: ସୋମବାର ଥିଲା ରାଜ୍ୟ ହକିର ଅନ୍ୟ ସଫଳ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ୩୦ତମ ଜନ୍ମଦିବସ। ଏହି ଅବସରରେ ତାଙ୍କ ପାଖକୁ ସାଥୀ ଖେଳାଳି ଓ ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ସାମାଜିକ ଗଣାମଧ୍ୟମରେ ମଧ୍ୟ ପ୍ରଶଂସକମାନେ ତାଙ୍କ ପାଇଁ ଆବେଗଭରା ଜନ୍ମ ଦିନ ବାର୍ତା ପ୍ରକାଶ କରିଥିଲେ। ସୋମବାର ବେଲଜିୟମ ବିପକ୍ଷ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ଘୋଷିତ ଭାରତୀୟ ଦଳରେ ବୀରେନ୍ଦ୍ର ସ୍ଥାନ ପାଇବା ମଧ୍ୟ ତାଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା।

ବୀରେନ୍ଦ୍ରଙ୍କ ଭଳି ଓଡ଼ିଶା କ୍ରୀଡ଼ାର ଜାଜ୍ଜୁଲ୍ୟମାନ ତାରକା ତଥା ଦୌଡ଼ରାଣୀ ଦୂତି ଚାନ୍ଦଙ୍କର ମଧ୍ୟ ଆଜି ୨୩ତମ ଜନ୍ମ ଦିବସ ଥିଲା। ଏହି ଦୁଇ ତାରକାଙ୍କ ଜନ୍ମଦିନ ପାଇଁ ରାଜ୍ୟ କ୍ରୀଡ଼ା ଜଗତ ସୋମବାର ବେଶ୍ ଚଳଚଞ୍ଚଳ ଥିଲା। ଦୂତି କିଟ୍ ଏବଂ କ୍ରାଉନ୍‌ ହୋଟେଲରେ ବେଶ୍ ଧୁମଧାମରେ ଜନ୍ମଦିନ ପାଳନ କରିଥିଲା ବେଳେ ବୀରେନ୍ଦ୍ର ସାଥୀ ଖେଳାଳିଙ୍କ ସହ କେକ୍ କାଟିଥିବା ଜଣାପଡ଼ିଛି। ପ୍ରକାଶଯୋଗ୍ୟ ଯେ ଅଲିମ୍ପିଆନ୍ ବୀରେନ୍ଦ୍ର ୧୯୯୦ ମସିହା ଫେବ୍ରୁଆରି ୩ ତାରିଖରେ ଓଡ଼ିଶା ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର