ନେଦରଲାଣ୍ଡ୍ସ ସୁଟ୍‌ ଆଉ୍‌ଟ, ଉଭୟ ମ୍ୟାଚ୍‌ ଜିତିଲା ଭାରତ

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ‌ହକି ପ୍ରୋ-ଲିଗ୍‌ରେ ଭାରତ ଚଳିତ ବର୍ଷ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ପଦାର୍ପଣ କରିଥିଲା। ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଭାରତ ସମ୍ମୁଖରେ ରହିଥିଲା ତୃତୀୟ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ସ। ପଦାର୍ପଣରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ବିପକ୍ଷରେ ଖେଳିଥିଲେ ମଧ୍ୟ ଭାରତ ଯଥାକ୍ରମେ ୫-୨ ଓ ୩-୧ (୩-୩) ସୁଟ୍‌ଆଉଟ୍‌ରେ ଦୁଇଟି ଯାକ ମ୍ୟାଚ୍‌ ଜିତି ନେଇଥଲା। ଏହି ଦୁଇ ବିଜୟ ସହ ଭାରତ ମୋଟ ୬ ପଏଣ୍ଟ୍‌ରୁ ୫ (ପ୍ରଥମରୁ ୩ ଓ ଦ୍ବିତୀୟରୁ ୨) ପଏଣ୍ଟ୍‌ କରାୟତ୍ତ କରିଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲା।

ଶନିବାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ୫-୨ ଗୋଲ୍‌ରେ ନେଦରଲାଣ୍ଡ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ରବିବାର ଏହି ଧାରା ଜାରି ରଖିବା ଲାଗି କିନ୍ତୁ ଘରୋଇ ଦଳକୁ ସଂଘର୍ଷ କରିବାକୁ ପଡ଼ିଥିଲା। ହେଲେ ଶେଷରେ ୩-୧ (୩-୩) ସୁଟ୍‌ଆଉଟ୍‌ ଜରିଆରେ ଭାରତ ଘରୋଇ ଦର୍ଶକଙ୍କୁ ବିଜୟ ଭେଟି ଦେଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭ‌ାବେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍ସ ୩-୧ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବା ପରେ ଚତୁର୍ଥ କ୍ବାର୍ଟର୍‌ରେ ଭାରତ ଦୁଇଟି ଗୋଲ୍‌ ଲଦିଦେଇ ସ୍ଥିତି ବରାବର କରିଥିଲା। ନିର୍ଧାରିତ ସମୟରେ ଖେଳ ୩-୩ ରହିବାରୁ ସୁଟ୍‌ ଆଉଟ୍‌ରେ ଫଳାଫଳ ବାହରିଥିଲା। ନିର୍ଧାରିତ ସମୟରେ ଭାରତ ପକ୍ଷରୁ ଲଲିତ ଉପାଧ୍ୟାୟ (୨୫ ମିନିଟ୍‌), ମନଦୀପ ସିଂହ (୫୧ ମିନିଟ୍‌), ରୂପୀନ୍ଦର ପାଲ୍‌ ସିଂହ (୫୫ ମିନିଟ୍‌) ଏବଂ ନେଦରଲାଣ୍ଡ୍ସ ପକ୍ଷରୁ ଭାନ୍‌ ଡର୍‌ ୱିର୍ଦନ ମିଙ୍କ୍‌ (୨୩ ମିନିଟ୍‌), ଜିରନ ହର୍ଟବର୍ଜର (୨୬ ମିନିଟ୍‌) ଓ କିଲରମାନ ଜର୍ନ (୨୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ସୁଟ୍‌ ଆଉଟ୍‌ରେ ଭାରତ ପକ୍ଷରୁ ଗୁର୍‌ଜାଣ୍ଟ ସିଂହ, ଆକାଶଦୀପ ସିଂହ, ବିବେକ ପ୍ରସାଦ ସଫଳ ହୋଇଥିଲା ବେଳେ ହରମନପ୍ରୀତ ସିଂହ ଓ ରୂପୀନ୍ଦର ପାଲ୍‌ ସିଂହ ବିଫଳ ହୋଇଥିଲେ। ‌ନେଦରଲାଣ୍ଡ୍ସ ପକ୍ଷରୁ କେବଳ ପ୍ରୁଇଜସର ମିର୍କୋ ସୁଟ୍‌ ଆଉଟ୍‌ରେ ଗୋଲ୍‌ ସ୍କୋର୍‌ କରିଥିଲେ। ରୂପୀନ୍ଦର ପାଲ୍‌ ସିଂହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

୧୦ ମିନିଟ୍‌ ୧୦ ଜଣରେ ଖେଳିଲା ଭାରତ
ତୃତୀୟ କ୍ବାର୍ଟର୍‌ରେ ଭାରତ ୧୦ ଜଣଙ୍କୁ ନେଇ‌ ଖେଳିଥିଲା। ଭାରତୀୟ ଅଧିନାୟକ ମନ୍‌ପ୍ରୀତ ସିଂହଙ୍କୁ ହଳଦିଆ କାର୍ଡ ଦେଇ ରେଫରି ୧୦ ମିନିଟ୍‌ ପାଇଁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ବାଲ୍‌କ ଲାର୍ସଙ୍କୁ ଫାଉଲ୍‌ ମାରିବାରୁ ମନ୍‌ପ୍ରୀତଙ୍କୁ ଏହି ଦଣ୍ଡ ମିଳିଥିଲା। ଫଳରେ ୧୦ ମିନିଟ୍‌ ଧରି ଭାରତ ୧୦ ଜଣଙ୍କୁ ନେଇ ଖେଳିଥିଲା। ହେଲେ ଏହାର ଫାଇଦା ନେଦରଲାଣ୍ଡ୍ସ ନେଇ ପାରିନଥିଲା। ଏହି କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

କଳିଙ୍ଗରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି
ରବିବାର ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆର କିଛି ଯୁବ (୧୮ ବର୍ଷରୁ କମ୍‌) ହକି ଖେଳାଳି ଉପସ୍ଥିତ ଥିଲେ। ଏହି ଯୁବ ଖେଳଳିମାନେ ଅଷ୍ଟ୍ରେଲିଆର କ୍ରିସ୍‌ ସିରିଏଲୋ ହକି ଏକାଡେମିର ପ୍ରଶିକ୍ଷାର୍ଥୀ। ଗତ ୧୪ ତାରିଖରୁ ଏହି ଏକାଡେମିର ୧୫ ଜଣିଆ ଦଳ ନିଜ ଅଭିଭାବକଙ୍କ ସହ ଭୁବନେଶ୍ବରରେ ରହିଛନ୍ତି। ଏଠାରେ ସେମାନେ ଟାଟା ନାଭାଲ ଏକାଡେମି ଓ କିଟ୍‌ ଦଳ ସହ ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ସୂଚନାଯୋଗ୍ୟ କ୍ରିସ୍‌ ସିରିଏଲୋ ଭାରତୀୟ ହକି ଦଳର ଅଷ୍ଟ୍ରେଲୀୟ ବି‌ଶ୍ଲେଷଣାତ୍ମକ ପ୍ରଶିକ୍ଷକ ଥିବାରୁ ନିଜ ଏକାଡେମିର ପ୍ରଶିକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର