ଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ବିଶ୍ବ ବିଜେତାକୁ ହରାଇଲା ଭାରତ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଚଳିତ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ଭାରତ ତା’ର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି। ବିଶ୍ବର ଏକ ନମ୍ବର ଦଳ ତଥା ବିଶ୍ବ ବିଜେତା ବେଲ୍‌ଜିୟମ ବିପକ୍ଷ ଏହି ମ୍ୟାଚ୍‌ରେ ଦଳ ପୂରା ଆତ୍ମବିଶ୍ବାସର ସହ ଖେଳିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ହିଁ ଘରୋଇ ଦଳ ଆଗୁଆ ହୋଇଯାଇଥିଲା। ଦିଲ୍‌ପ୍ରୀତ ସିଂହଙ୍କ ଏକ ସୁନ୍ଦର ପାସ୍‌କୁ ବେଲ୍‌ଜିୟମ ଗୋଲ୍‌ ପୋଷ୍ଟ୍‌କୁ ମନଦୀପ ସିଂହ (୨ ମିନିଟ୍‌) ପଠାଇ ଭାରତକୁ ଏହି ମହତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ଏହାପରେ ବେଲ୍‌ଜିୟମ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଏହି ସମୟରେ ୪ ପେନାଲ୍‌ଟି କର୍ଣ୍ଣର ମଧ୍ୟ ହାତେଇ ଥିଲା ଅତିଥି ଦଳ। ହେଲେ ଭାରତୀୟ ଗୋଲ୍‌ରକ୍ଷକ କ୍ରିଷନ୍‌ ପାଠକଙ୍କ ଚମତ୍କାର ପ୍ରଦର୍ଶନ ବେଲ୍‌ଜିୟମକୁ ନିରାଶ କରିଥିଲା। ଫଳରେ ପ୍ରଥମ କ୍ବାର୍ଟର୍‌ରେ ଭାରତ ୧-୦ରେ ଅଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଖେଳିଥିଲେ। କେବଳ ଏହି କ୍ବାର୍ଟରରେ ବେଲ୍‌ଜିୟମ ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ଏହି ସୁଯୋଗକୁ ମଧ୍ୟ ଗୋଲ୍‌ରେ ପରିଣତ କରିବାରେ ଅତିଥି ଦଳ ବିଫଳ ହୋଇଥିଲା। ଫଳରେ ପ୍ରଥମାର୍ଧକୁ ଭାରତ ୧-୦ ଅଗ୍ରଣୀ ସହ ଶେଷ କରିଥିଲା।

ଦ୍ବିତୀୟାର୍ଧରେ ଆରମ୍ଭରୁ ବେଲ୍‌ଜିୟମ ପାଇଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣର (ପିସି)କୁ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ ସ୍ତରକୁ ଆଣିଥିଲା। ପିସି ଜରିଆରେ ଏହି ଗୋଲ୍‌ଟିକୁ ଗୌଥିଏର ବୋକାର୍ଡ ଦେଇଥିଲେ। ମ୍ୟାଚ୍‌ ସମାନସ୍ତରକୁ ଆସିବା ପରେ ଭାରତୀୟ ଦଳ ଆକ୍ରମଣ ଆରମ୍ଭ କରି ଦେଇଥିଲା। ଗୋଲ୍‌ ବରଣର ଗୋଟିଏ ମିନିଟ୍‌ ପରେ ଭାରତକୁ ପିସି ମିଳିଯାଇଥିଲା। ଏହାକୁ ଗୋଲ୍‌ରେ ପରିଣତ କରିବାରେ ଘରୋଇ ଦଳ ସଫଳ ହୋଇନଥିଲା। ୪୧ତମ ମିନିଟ୍‌ରେ ଆଉ ଏକ ପିସି ଭାରତ ନିକଟକୁ ଆସିଥିଲା। ଏହାକୁ ଅଧିନାୟକ ମନ୍‌ପ୍ରୀତ ସିଂହ ଗୋଲ୍‌ ପୋଷ୍ଟ୍‌ ଭିତରକୁ ପଠାଇ ଦେଇଥିଲେ। ହେଲେ ସର୍କଲ ଭିତରୁ ବଲ୍‌ ମାରିଥିବାରୁ ରେଫରି ଏହାକୁ ନାକଚ କରି ଦେଇଥିଲେ। ତୃତୀୟ କ୍ବାର୍ଟର୍‌ ୧-୧ରେ ଶେଷ ହୋଇଥିଲା। ଶେଷ କ୍ବାର୍ଟରର ପ୍ରଥମ ମିନିଟ୍‌ରେ ଭାରତକୁ ମିଳିଥିବା ପିସିକୁ ରମଣଦୀପ ସିଂହ (୪୬ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ବେଲ୍‌ଜିୟମ ଲଗାତାର ‌ପିସି ପାଇଥିଲେ ମଧ୍ୟ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିଲା। ଶେଷରେ ବିଶ୍ବ ବିଜେତା ବିପକ୍ଷରେ ଘରୋଇ ଦଳ ପୂରା ୩ ପଏଣ୍ଟ୍‌ କରାୟତ କରିବାକୁ ସକ୍ଷମ ହୋଇଥିଲା। ଏଥି ସହ ଭାରତ ୩ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ପାଇ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଥିଲା ବେଳେ ପୂର୍ବ ପରି‌ ବେଲ୍‌ଜିୟମ (୧୧ ପଏଣ୍ଟ୍‌, ୫ ମ୍ୟାଚ୍‌) ଶୀର୍ଷ‌ ସ୍ଥାନରେ ରହିଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିବା କ୍ରିଷନ ପାଠକଙ୍କୁ ଅତିଥି ଏଫ୍‌ଆଇଏଚ୍‌ ସଭାପତି ନରେନ୍ଦ୍ର ବାତ୍ରା ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ରାଜ କୁମାର ପାଲ୍‌ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ବର୍ଷା ଯୋଗୁଁ ଷ୍ଟାଡିୟମ୍‌ ଖାଁ ଖାଁ
ବର୍ଷା ଯୋଗୁଁ କଳିଙ୍ଗ ଷ୍ଟାଡିୟମ ଖାଁ ଖାଁ ଲାଗୁଥିଲା। ପୂର୍ବ, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ରେ ହାତ ଗଣତି ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ହେଲେ ପଶ୍ଚିମ ଷ୍ଟାଣ୍ଡ୍‌ ଅତିଥି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ କିଛିଟା ପୂରିଲା ଭଳି ଲାଗିଥିଲା। ବର୍ଷାରେ ଦର୍ଶକମା‌ନେ ଭିଜି ଥିଲେ ମଧ୍ୟ ଅଧିକାଂଶ ଛତା ଓ ବର୍ଷାତି ଧରି ଖେଳ ଉପଭୋଗ କରିଥିଲେ। ଶେଷରେ ଭାରତର ବିଜୟ ହିଁ ଦର୍ଶକଙ୍କ ସବୁକଷ୍ଟକୁ ଦୂରେଇ ନେଇଥିଲା।

ସମ୍ବନ୍ଧିତ ଖବର