ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ଭାରତର ବିଜୟ ଧାରା ଅଟକିଲା, ବିଶ୍ବ ବିଜେତାଠୁ ଦ୍ବିତୀୟ ମ୍ୟାଚ୍‌ ହାରିଲା

ସୁଯୋଗ ହାତଛଡ଼ା କରିବାରୁ ହାରିଲୁ: ମନ୍‌ପ୍ରୀତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ଭାରତୀୟ ହକି ଦଳର ବିଜୟ ଧାରା ଅଟକିଛି। ଚଳିତ ବର୍ଷ ପ୍ରୋ-ଲିଗ୍‌ ପଦାର୍ପଣ କରିଥିବା ଭାରତ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରୁ ହିଁ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ୩ ମ୍ୟାଚ୍‌ ଜିତି ଭଲ ଆରମ୍ଭ ମଧ୍ୟ କରିଥିଲା। ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ନେଦରଲାଣ୍ଡ (ତୃତୀୟ)କୁ ଗତ ମାସରେ ଏବଂ ବିଶ୍ବ ବିଜେତା ବେଲ୍‌ଜିୟମକୁ ଶନିବାର ପ୍ରଥମ ମ୍ୟାଚ୍‌ରେ ହରାଇ‌ ଦେଇଥିଲା ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତ। ହେଲେ ରବିବାର ଦୃଢ଼ ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇଥିବା ଏହି ଘରୋଇ ଦଳ ୨-୩ ଗୋଲ୍‌ରେ ‌ବେଲ୍‌ଜିୟମଠୁ ହାରିଯାଇଥିଲା। ଫଳରେ ଭାରତ ନିଜର ଦ୍ବିତୀୟ ପର୍ଯ୍ୟାୟର ଦୁଇ ମ୍ୟାଚ୍‌ରୁ ୩ ପଏଣ୍ଟ୍‌ କରାୟତ୍ତ କରିପାରିଛି। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ରେ ଭାରତକୁ ହରାଇ ବେଲ୍‌ଜିୟମ ୩ ପଏଣ୍ଟ୍‌ ହାତେଇବା ସହ ୬ ମ୍ୟାଚ୍‌ରୁ ୪ ବିଜୟ, ୨ ପରାଜୟରୁ ମୋଟ ୧୪ ପଏଣ୍ଟ୍‌ ପାଇ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ୪ ମ୍ୟାଚ୍‌ରୁ ୩ ବିଜୟ ଓ ଗୋଟିଏ ପରାଜୟରୁ ୮ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଛି।

ଶନିବାରର ପ୍ରଥମ ମ୍ୟାଚ୍‌ ହାରିବା ପରେ ବେଲ୍‌ଜିୟମ ରବିବାର ଆରମ୍ଭରୁ ହିଁ ଭାରତୀୟ ଗୋଲ୍‌ପୋଷ୍ଟ୍‌ ଉପରେ ଆକ୍ରମଣ କରିଥିଲା। ଏହାର ଫଳ ସ୍ବରୂପ ଅତିଥି ଦଳକୁ ତୃତୀୟ ମିନିଟ୍‌ରେ ପେନାଲ୍‌ଟି ‌କର୍ଣ୍ଣର (ପିସି) ଆକାରରେ ସଫଳତା ମିଳିଥିଲା। ଏହାକୁ ଗୋଲ୍‌ରେ ପରିଣତ କରି ଆଲେକ୍‌ଜାଣ୍ଡର ହେଡ୍ରିକ୍ସ (୩ ମିନିଟ୍‌) ଅତିଥି ଦଳକୁ ଆଗୁଆ କରିଥିଲେ। ‌ତେବେ‌ ପ୍ରଥମ କ୍ବାର୍ଟର୍‌ ଶେଷ ମିନିଟ୍‌ରେ ଭରତ ଏହି ଗୋଲ୍‌ ଶୁଝି ଦେଇଥିଲା। ସୁରେନ୍ଦର କୁମାରଙ୍କ ସୁନ୍ଦର ପାସ୍‌କୁ ବିବେକ ସାଗ‌ର (୧୫ ମିନିଟ୍‌) ଗୋଲ୍‌ରେ ପରିଣତ କରି ସ୍ଥିତି ସମାନସ୍ତରକୁ ଆଣିଥିଲେ। ଫଳରେ ପ୍ରଥମ କ୍ବାର୍ଟର୍‌ ୧-୧ରେ ଶେଷ ହୋଇଥିଲା।

ଦ୍ବିତୀୟ କ୍ବାର୍ଟର୍‌ରେ ମଧ୍ୟ ବେଲ୍‌ଜିୟମ୍‌ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ମାକ୍ସିମେ ପ୍ଲେନେଭୌକ୍ସ (୧୭ ମିନିଟ୍‌)ଙ୍କ ଫିଲ୍ଡ୍‌ ଗୋଲ୍‌ ଜରିଆରେ ଅତିଥି ଦଳ ପୁଣି ଅଗ୍ରଣୀ ପାଇଥିଲା। ଏହି ସମାନ ମିନିଟ୍‌ରେ ହିଁ ଭାରତ ପେନାଲ୍‌ଟି କର୍ଣ୍ଣର ପାଇ ଯାଇଥିଲା। ‌ଓଡ଼ିଆ ତାରକା ଅମିତ ରୋହିଦାସ (୧୭ ମିନିଟ୍‌) ଏହି ପିସିକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ଘରୋଇ ଦଳ ପୁଣି ସମାନ ସ୍ଥିତିକୁ ଫେରିଥିଲା। ୨୬ତମ ମିନିଟ୍‌ରେ ନିକୋଲାସ ଡି’କାର୍ପେଲଙ୍କ ପାସ୍‌କୁ ପ୍ଲେନେଭୌକ୍ସ କୌଣସି ତୃଟି ନ କରି ସିଧା ଭାରତୀୟ ଗୋଲ୍‌ପୋଷ୍ଟ୍‌କୁ ପଠାଇ ବ୍ୟକ୍ତିଗତ ଯୁଗଳ ସଫଳତା ମୁଠାଇ ଥିଲେ। ଏହି ଗୋଲ୍‌ ଜରିଆରେ ବେଲ୍‌ଜିୟମ ୩-୨ରେ ପ୍ରଥମାର୍ଧ ‌ଶେଷ କରିଥିଲ‌ା। ପ୍ରଥମାର୍ଧରେ ପଛୁଆ ରହିବା ପରେ ଭାରତ ଦ୍ବିତୀୟାର୍ଧରେ ଚମତ୍କାର ଖେଳିଥିଲା। ୩୩ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ମଧ୍ୟ ପାଇଥିଲା ଭାରତ। ହେଲେ ଗୋଲ୍‌ କରିବାରେ ସଫଳ ହୋଇ ନଥିଲା। ତୃତୀୟ କ୍ବାର୍ଟର ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ମଧ୍ୟ ଆଉ ଏକ ପିସି ପାଇଥିଲା। ଏଥିରେ ମଧ୍ୟ ବିଫଳ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ସରିଥିଲା। ଚତୁର୍ଥ କ୍ବାର୍ଟର୍‌ରେ ଭାରତ ମ୍ୟାଚ୍‌ ସମାନସ୍ତରକୁ ଆଣିବାକୁ ବହୁ ଉଦ୍ୟମ କରିଥିଲା। ଭଲ ଖେଳିଥିଲେ ମଧ୍ୟ ଘରୋଇ ଦଳ ବେଲ୍‌ଜିୟମର ରକ୍ଷଣଭାଗକୁ ପରାସ୍ତ କରି ନ ପାରି ପରାଜୟ ବରଣ କରିଥିଲା। ଦ୍ବିତୀୟାର୍ଧରେ ଗୋଟିଏ ବି ଗୋଲ୍‌ ‌ଦେଖିବାକୁ ମିଳି ନଥିଲା। ନିକୋଲସ୍‌ ଡି’କେର୍ପେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

ସୁଯୋଗ ହାତଛଡ଼ା କରିବାରୁ ହାରିଲୁ: ମନ୍‌ପ୍ରୀତ
ଆମେ ଏହି ଦୁଇ ମ୍ୟାଚ୍‌ରୁ ବହୁ ଶିକ୍ଷା ପାଇଲୁ। ବହୁ ସୁବର୍ଣ୍ଣ ସୁ‌ଯୋଗ ପାଇଥିଲୁ। କିନ୍ତୁ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହେବାରୁ ପରାଜୟର ମୁହଁ ଦେଖିଲୁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ। ମୁଁ ଆମ ଦଳକୁ ନେଇ ଗର୍ବ ଅନୁଭବ କରୁଛି। ଆମେ ପ୍ରଥମ ୩ ମ୍ୟାଚ୍‌ ଜିତି ଭଲ ଆରମ୍ଭ କରିଥିଲୁ। ବେଲ୍‌ଜିୟମ ବିପକ୍ଷ‌ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଆମେ ଭଲ ଲଢ଼ିଥିଲୁ। ହେଲେ କିଛି ସୁଯୋଗ ହାତଛଡ଼ା ପାଇଁ ପରାସ୍ତ ହେଲୁ ବୋଲି କହିଛନ୍ତି ମନ୍‌ପ୍ରୀତ।

ହକି‌ର ମଜା ନେଲେ ମୁକ ବଧିର ପିଲା
ଭୁବନେଶ୍ବରରେ ଥିବା ସତ୍ୟଭାମା ଦେବୀ ଉଚ୍ଚ ମାଧ୍ୟମିକ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବେଲ୍‌ଜିୟମ ହକି ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିଛି। ଏହି ବିଦ୍ୟାଳୟରେ ୧୯୮ ଜଣ ପିଲା ଶିକ୍ଷା ଗ୍ରହଣ କରୁଥିବା‌ ବେ‌ଳେ ରବିବାର ଛୁଟି ଦିବସ ଥିବାରୁ ୧୫୦ ଛାତ୍ରଛାତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ହକି ଖେଳର ମଜା ନେଇଥିଲେ। ପିଲାମାନେ ମଧ୍ୟ ‌‌ଭାରତୀୟ ଖେଳାଳିଙ୍କ ସହ ସେଲ୍‌ଫି ନେଇଥିଲେ। ପିଲାମାନଙ୍କ ଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରବେଶ ପାସ୍‌ ଯୋଗାଇଦେବା ସହ ଯାତାୟତର ସୁବିଧା ମଧ୍ୟ କରାଯାଇଥିଲା। ଏଭଳି ସୁଯୋଗ ‌ଦେଇଥିବାରୁ ବିଦ୍ୟାଳୟ ସମ୍ପାଦିକା ନିରୋଜ ଲକ୍ଷ୍ମୀ ମହାପାତ୍ର ବିଭାଗୀୟ ପଦାଧିକାରୀ ଓ ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି।

ଓଲି ନାଚିଲା, ନଚେଇଲା
ମାସ୍କଟ୍‌ ଓଲି କଳିଙ୍ଗ ‌ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବେଲ୍‌ଜିୟମ ମ୍ୟାଚ୍‌ ବେଳେ ନାଚିବା ସହ ଦର୍ଶକଙ୍କୁ ନଚାଇଥିଲା। ଶନିବାର ବର୍ଷା ଯୋଗୁଁ ଭାରତ-ବେଲ୍‌ଜିୟମ ପ୍ରଥମ ମ୍ୟାଚ୍‌ରେ ଦର୍ଶକ ସଂଖ୍ୟା କମ୍‌ ଥିଲା। ରବିବାର ଦ୍ବିତୀୟ ମ୍ୟାଚ୍‌ରେ କିନ୍ତୁ ଷ୍ଟାଡିୟମ ପୂରିଲା ପୂରିଲା ଲାଗିଥିଲା। ଭରପୂର ଦର୍ଶକ ‌ମାହୋଲରେ ଭାରତ ମ୍ୟାଚ୍‌ ହାରିଥିଲେ ମଧ୍ୟ ଓଲି ସଂଗୀତ‌ର ତାଳେ ତାଳେ ନାଚି ପରାଜୟର ଦୁଃଖ କିଛିମାତ୍ରାରେ ଲାଘବ କରିଥିଲା। ଓଲି ସହ ତାଳ ଦେଇ ଦର୍ଶକମାନେ ମଧ୍ୟ ନାଚି ଉଠିଥିଲେ। ଓଲି ସବୁ ଗ୍ୟାଲେରି ବୁଲିଥିଲା। ଦର୍ଶକ ମଧ୍ୟ ଓଲି ସହ ସେଲ୍‌ଫି ନେବାର ସୁଯୋଗ ହାତଛଡ଼ା କରି ନଥିଲେ।

ସମ୍ବନ୍ଧିତ ଖବର