ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପ୍ରତିଶୋଧ ନେଇଯାଇଛି। ତୃତୀୟ ସୋପାନ ମ୍ୟାଚ୍ରେ ଭାରତ ଶୁକ୍ରବାର ଓ ଶନିବାର ଦୁଇଟି ମ୍ୟାଚ୍ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ବିଜେତା ଅଷ୍ଟ୍ରେଲିଆକୁ ଭେଟିଥିଲା। ପ୍ରଥମ ମ୍ୟାଚ୍ରେ ଘରୋଇ ଦଳ ୩-୪ ଗୋଲ୍ରେ ପରାସ୍ତ ହୋଇଥିଲା। ହେଲେ ଶନିବାର ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୩-୧ରେ ସୁଟ୍ ଆଉଟ୍ କରି ଦେଇଥିଲା ଭାରତ। ଫଳରେ ଏହି ଦୁଇ ମ୍ୟାଚ୍ରୁ ଭାରତ ୨ ପଏଣ୍ଟ୍ କରାୟତ୍ତ କରିବାକୁ ସକ୍ଷମ ହୋଇଥିଲ। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିବାରୁ ଫଳାଫଳ ସୁଟ୍ ଆଉଟ୍ରେ ବାହାରିଥିଲା। ନିର୍ଧାରିତ ସମୟରେ ଭାରତ ପକ୍ଷରୁ ରୂପୀନ୍ଦର ପାଲ୍ ସିଂହ (୨୫ ମିନିଟ୍) ଓ ହରମନ୍ପ୍ରୀତ ସିଂହ (୨୭ ମିନିଟ୍) ଏବଂ ଅଷ୍ଟ୍ରେଲିଆର ଟ୍ରେଣ୍ଟ୍ ମିଣ୍ଟନ୍ (୨୩ ମିନିଟ୍) ଓ ଆରାନ ଜାଲେୱସ୍କି (୪୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ସୁଟ୍ ଆଉଟ୍ରେ ଭାରତର ହରମନପ୍ରୀତ ସିଂହ, ବିବେକ ପ୍ରସାଦ ଓ ଲଲିତ ଉପାଧ୍ୟାୟ ସଫଳ ହୋଇଥିଲେ। ହେଲେ ଅଷ୍ଟ୍ରେଲିଆର କୌଣସି ଖେଳାଳି ସୁଟ୍ ଆଉଟ୍ରେ ସଫଳତା ପାଇନଥିଲେ। ଏହି ମ୍ୟାଚ୍ରୁ ୨ ପଏଣ୍ଟ୍ ପାଇ ଭାରତ (୧୦ ପଏଣ୍ଟ୍) ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆ ସମାନ ପଏଣ୍ଟ୍ ସହ ତୃତୀୟରେ ରହିଛି। ହରମନ୍ପ୍ରୀତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ପ୍ରଥମ ମ୍ୟାଚ୍ରେ ହାରିବା ପରେ ଭାରତ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ଭଲ ଖେଳିଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ଅତିଥି ଦଳ ପେନାଲ୍ଟି କର୍ଣ୍ଣର ଲାଭ କରି ନେଇଥିଲା। ହେଲେ ଏହାକୁ ସଫଳ କରିବାକୁ ଦେଇ ନଥିଲେ ଭାରତୀୟ ଗୋଲ୍ ରକ୍ଷକ ପିଆର୍ ଶ୍ରୀଜେସ୍। ଏପରିକି ଅତିଥି ଦଳ ଏହି କ୍ବାର୍ଟର୍ରେ ୪ ପେନାଲ୍ଟି କର୍ଣ୍ଣର ଲାଭ କରିଥିଲା। ଅଷ୍ଟ୍ରେଲିଆର ସବୁ ପ୍ରୟାସକୁ ବେକାର କରିଦେଇଥିଲା ଭାରତ। ଦ୍ବିତୀୟ କ୍ବାର୍ଟର୍ରେ ଟ୍ରେଣ୍ଟ୍ ମିଣ୍ଟନ୍ (୨୩ ମିନଟ୍)ଙ୍କ ଗୋଲ୍ରେ ଅଷ୍ଟ୍ରେଲିଆର ଆଗୁଆ ହୋଇଥିଲା। ଏହାର ୨ ମିନିଟ୍ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ରୂପୀନ୍ଦର ସିଂହ ଗୋଲ୍ରେ ପରିଣତ କରି ସ୍ଥିତି ୧-୧ ସମାନସ୍ତରକୁ ଆଣିଥିଲେ। ୨୬ତମ ମିନିଟ୍ରେ ଭାରତ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ଲାଭ କରିଥିଲା। ଏହା ମଧ୍ୟରୁ ଗୋଟିଏକୁ ହରମନ୍ପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଧକୁ ଭାରତ ୨-୧ରେ ଶେଷ କରିଥିଲା।
ଦ୍ବିତୀୟାର୍ଧରେ ମଧ୍ୟ ଅଷ୍ଟ୍ରେଲିଆ ଆରମ୍ଭରୁ ପେନାଲ୍ଟି କର୍ଣ୍ଣର ଲାଭ କରି ନେଇଥିଲା। ହେଲେ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲେ ଅଷ୍ଟ୍ରେଲିଆ ଖେଳାଳି। ଏହି କ୍ବାର୍ଟର୍ରେ ଅଷ୍ଟ୍ରେଲିଆ ମଧ୍ୟ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା ବେଳେ ପୁଣି ବିଫଳ ହୋଇଥିଲା। ତୃତୀୟ କ୍ବାର୍ଟର୍ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତେବେ ଚତୁର୍ଥ କ୍ବାର୍ଟର୍ ଆରମ୍ଭରୁ ଆରାନ ଜାଲେୱସ୍କି (୪୬ ମିନିଟ୍)ଙ୍କ ଗୋଲ୍ ବଳରେ ଅତିଥି ଦଳ ମ୍ୟାଚ୍କୁ ୨-୨ ସମାନସ୍ତରକୁ ନେଇ ଆସିଥିଲା। ଶେଷ ପର୍ଯ୍ୟନ୍ତ ଉଭୟ ଦଳ ଜିତିବା ଲାଗି ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଗୋଲ୍ ଦେବାରେ ସକ୍ଷମ ହୋଇ ନଥିଲେ। ତେବେ ମ୍ୟାଚ୍ ଶେଷ ହେବାକୁ ୧୨ ସେକେଣ୍ଡ୍ ଥିଲା ବେଳେ ଅଷ୍ଟ୍ରେଲିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରେ ପୁଣି ବିଫଳ ହୋଇ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା ଅତିଥି ଦଳ। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ମୋଟ ୯ ଓ ଭାରତ ୩ ପେନାଲ୍ଟି କର୍ଣ୍ଣର ପାଇଥିଲା। ଭାରତ ୨ଟି ସଫଳତା ପାଇଥିଲା ବେଳେ ଅଷ୍ଟ୍ରେଲିଆ ସବୁତକ ବିଫଳ ହୋଇ ପରାଜୟ ବରଣ କରିଥିଲା।