ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଶୁକ୍ରବାର ଏକ ମୁକାବିଲାରେ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଭାରତ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆକୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭେଟିଥିଲା। ଚଳିତ ବର୍ଷ ପ୍ରୋ-ଲିଗ୍ ପଦାର୍ପଣ କରିଥିବା ଭାରତ ଭଲ ଆରମ୍ଭ ମଧ୍ୟ କରିଥିଲା। ପ୍ରଥମ ସୋପାନରେ ଦଳ ତୃତୀୟ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତିଥିଲା। ଦ୍ବିତୀୟ ସୋପାନରେ ବିଶ୍ବ ମାନ୍ୟତାର ଶୀର୍ଷରେ ଥିବା ବେଲ୍ଜିୟମ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍ ହାରି ଯାଇଥିଲା। ଏହି ଧାରା ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ରଖିଥିଲା ଘରୋଇ ଦଳ। ଚମତ୍କାର ଖେଳିଥିଲେ ମଧ୍ୟ ବିଜେତା ଅଷ୍ଟ୍ରେଲିଆଠୁ ହାର୍ ମାନିଥିଲା ଭାରତ। ଏହି ମ୍ୟାଚ୍କୁ ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ଜିତି ପୂରା ୩ ପଏଣ୍ଟ୍ କରାୟତ୍ତ କରିଥିଲା। ୫ ମ୍ୟାଚ୍ରୁ ୯ ପଏଣ୍ଟ୍ ପାଇ ପ୍ରୋ-ଲିଗ୍ ଟେବୁଲର ତୃତୀୟରେ ପହଞ୍ଚିଯାଇଛି ଅଷ୍ଟ୍ରେଲିଆ। ଭାରତ ସମାନ ସଂଖ୍ୟକ ମ୍ୟାଚ୍ରୁ ୮ ପଏଣ୍ଟ୍ ପାଇ ତାଲିକାର ଚତୁର୍ଥ ସ୍ଥାନକୁ ଖସି ଆସିଛି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଚଲାନ ସାର୍ପକୁ ମିଳିଛି। ପୂର୍ବ ବିଜେତା ଅଷ୍ଟ୍ରେଲିଆ ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଉପରେ ଚାପ ପକାଇଥିଲା। ଷଷ୍ଠ ମିନିଟ୍ରେ ଅଧିନାୟକ ଆରାନ ଜାଲେୱସ୍କିଙ୍କ ସୁନ୍ଦର ପାସ୍କୁ ଦିଲାନ ୱଦରସ୍ପୁନ୍ ଗୋଲ୍ରେ ପରିଣତ କରି ଅତିଥି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟର୍ ୦-୧ରେ ଭାରତ ପଛୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର୍ରେ ମଧ୍ୟ ଅଷ୍ଟ୍ରେଲିଆ ଚମତ୍କାର ଖେଳ ଜାରି ରଖି ଟମ୍ ୱିଖାମ (୧୮ ମିନିଟ୍)ଙ୍କ ଗୋଲ୍ ବଳରେ ୨-୦ ଆଗୁଆ ରହି ପ୍ରଥମାର୍ଧ ଶେଷ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟାର୍ଧରେ ଭାରତ ପ୍ରତ୍ୟାବର୍ତନ କରିଥିଲା। ୩୫ତମ ମିନିଟ୍ରେ ଦଳ ଏକ ପେନାଲ୍ଟି କର୍ଣ୍ଣର ହାତେଇ ନେଇଥିଲା। ହେଲେ ଏହାକୁ ଗୋଲ୍ରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲା ଭାରତ। ଏହାର ଗୋଟିଏ ମିନିିଟ୍ ପରେ ଘରୋଇ ଦଳ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ଲାଭ କରିଥିଲା। ଏହା ମଧ୍ୟରୁ ପ୍ରଥମ ସୁଯୋଗକୁ ହାତଛଡ଼ା କରିଥିଲା। କିନ୍ତୁ ଦ୍ବିତୀୟ ସୁଯୋଗକୁ ହାତ ଛଡ଼ା ନକରି ରାଜ କୁମାର ପାଲ୍ (୩୬ ମିନିଟ୍) ଗୋଟିଏ ଗୋଲ୍ ଶୁଝି ସ୍ଥିତି ୧-୨ କରି ଦେଇଥିଲେ। ଏହା ରାଜ କୁମାରଙ୍କ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ୪୧ ଓ ୪୨ ମିନିଟ୍ରେ ଲଗାତାର ଦୁଇ ଗୋଲ୍ ଦେଇ ପୁଣି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ୪୧ତମ ମିନିଟ୍ରେ ଲାଚଲାନ ସାର୍ପ ଓ ୪୨ତମ ମିନିଟ୍ରେ ଜାକବ ଆଣ୍ଡରସନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଅତିଥି ଦଳକୁ ତୃତୀୟ କ୍ବାର୍ଟର୍ ସୁଦ୍ଧା ୪-୧ର ଅଗ୍ରଣୀ ଦେଇଥିଲେ। ଚତୁର୍ଥ କ୍ବାର୍ଟର ଦ୍ବିତୀୟ ମିନିଟ୍ରେ ରାଜ କୁମାର (୪୭ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ସଫଳତା ମୁଠାଇବା ସହ ସ୍ଥିତି ୨-୪ କରି ଦେଇଥିଲେ। ୫୨ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରୂପୀନ୍ଦର ପାଲ୍ ସିଂହ ଗୋଲ୍ରେ ପରିଣତ କରି ୩-୪ ସ୍ଥିତିକୁ ଆଣିଥିଲେ। ଏହା ପରେ ଭାରତ ଗୋଲ୍ ଦେବା ଲାଗି ଅଷ୍ଟ୍ରେଲିଆ ଗୋଲ୍ ପୋଷ୍ଟ୍କୁ ଘନ ଘନ ଆକ୍ରମଣ କରିଥିଲା। ଶେଷ ମିନିିଟ୍ରେ ମଧ୍ୟ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ହେଲେ ଏହାକୁ ଗୋଲ୍ରେ ରୂପାନ୍ତର କରିବାରେ ବିଫଳ ହୋଇ ପରାଜୟ ନିଶ୍ଚିତ କରିଥିଲା।