ନୂଆଦିଲ୍ଲୀ: ୟୁରୋପରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ କେବଳ ଜଣେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ନବ ନିଯୁକ୍ତ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ଙ୍କ ଅଧିନରେ ଭାରତ ପ୍ରଥମ ଥର ପାଇଁ ବିଦେଶରେ ମ୍ୟାଚ୍ ଖେଳିବାକୁ ଯାଉଥିଲା ବେଳେ ହର୍ମନପ୍ରୀତ ସିଂହ ଓ ହାର୍ଦ୍ଦିକ ସିଂହଙ୍କୁ ଦଳର ଅଧିନାୟକ ଓ ଉପଅଧିନାୟକ ନିଯୁକ୍ତ କରାଯାଇଛି। ବିବାହ କାର୍ଯ୍ୟକ୍ରମ ଯୋଗୁଁ ଘରୋଇ ମ୍ୟାଚ୍ ଖେଳିପାରିନଥିବା ଗୋଲରକ୍ଷକ କ୍ରିଷ୍ଣା ବାହାଦୂର ପାଠକ ଏହି ଗସ୍ତ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ସହିତ ଅଭିଜ୍ଞ ପିଆର୍ ଶ୍ରୀଜେଶ ଦଳର ଅନ୍ୟତମ ଗୋଲ୍ରକ୍ଷକ ରହିଛନ୍ତି। ଡିଫେଣ୍ଡରଙ୍କ ମଧ୍ୟରେ ୫ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ହର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ଜର୍ମନପ୍ରୀତ ସିଂହ, ସଂଜୟ ଓ ମନ୍ଦୀପ ମୋର ସ୍ଥାନ ପାଇଛନ୍ତି। ମିଡଫିଲ୍ଡର ମନପ୍ରୀତ ସିଂହ ଏଥର ସୁମିତ ଓ ଗୁରିନ୍ଦର ସିଂହଙ୍କ ସହିତ ବ୍ୟାକ୍ଲାଇନ୍ ସମ୍ଭାଳିବେ।
ହାର୍ଦ୍ଦିକ ସିଂହଙ୍କ ସହିତ ଦିଲପ୍ରୀତ୍ସିଂହ, ଏମ୍. ରବିଚନ୍ଦ୍ର ସିଂହ, ସାମସେର ସିଂହ, ଆକାଶଦୀପ ସିଂହ ଓ ବିବେକ ସାଗର ପ୍ରସାଦ ମିଡ୍ଫିଲ୍ଡ ଦାୟିତ୍ବରେ ରହିବେ। ୨୦୨୨ ଏସିଆ କପ୍ରେ ଆହତ ହୋଇ ଅଧାରୁ ସ୍ବଦେଶ ଫେରିଆସିଥିବା ସିମ୍ରନଜିତ ସିଂହ ଏଥର ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ଫରୱାର୍ଡରେ ଅଭିଷେକ, ଲଳିତ କୁମାର ଉପାଧ୍ୟାୟ, ଏସ୍. କାର୍ତ୍ତୀ, ଗୁର୍ଜାନ୍ତ ସିଂହ, ସୁଖଜିତ ସିଂହ, ରାଜ କୁମାର ପାଲ୍ ଓ ମନଦୀପ ସିଂହ ସହ ସାମିଲ ହୋଇଛନ୍ତି। ୟୁରୋପ୍ ଗସ୍ତରେ ଭାରତୀୟ ଦଳ ପ୍ରଥମେ ମେ ୨୬ରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବେଲଜିୟମ୍ ଓ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଲଣ୍ଡନରେ ମ୍ୟାଚ୍ ଖେଳିବ। ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ବିପକ୍ଷରେ ନେଦରଲାଣ୍ଡ୍ସରେ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ଲିଗ୍ ଖେଳିବ।