ନୂଆଦିଲ୍ଲୀ : ମାଲେସିଆର କୁଆଲାଲୁମ୍ପୁରରେ ଚଳିତ ବର୍ଷ ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍। ଆୟୋଜକ କମିଟି ଶନିବାର ଏହି ପ୍ରତିଯୋଗିତାର ପୁଲ୍ ଓ ସୂଚୀ ଘୋଷଣା କରିଛି। ବିଶ୍ବ ମାନ୍ୟତାର ତୃତୀୟ ଏବଂ ଏସିଆର ଏକ ନମ୍ବର ଦଳ ଭାରତ ପୁଲ୍-ସି’ରେ କୋରିଆ, କାନାଡ଼ା, ସ୍ପେନ୍ ସହ ରହିଛି। ବିଶ୍ବକପ୍ର ଉଦ୍ଘାଟନୀ ଦିବସରେ କୋରିଆ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଏହା ପରେ ୭ ତାରିଖରେ ସ୍ପେନ୍ ଏବଂ ୯ ତାରିଖରେ କାନାଡ଼ା ବିପକ୍ଷରେ ଖେଳି ପୁଲ୍ ପର୍ଯ୍ୟାୟ ଶେଷ କରିବ ଏହି ଏସିଆ କପ୍ ବିଜେତା ଦଳ। ୧୬ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତି ପୁଲ୍ରେ ୪ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତି ପୁଲ୍ର ଶୀର୍ଷ ଦୁଇ ଦଳ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିବେ। ୧୨ ତାରିଖରେ କ୍ବାର୍ଟରଫାଇନାଲ୍ , ୧୪ ତାରିଖରେ ସେମିଫାଇନାଲ୍ ଏବଂ ୧୬ ତାରିଖରେ ଫାଇନାଲ୍ ଖେଳାଯିବ।
ପ୍ରତିଯୋଗିତାର ପୁଲ୍-ଏ’ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଚିଲି, ମାଲେସିଆ, ବି’ରେ ଇଜିପ୍ଟ, ଫ୍ରାନ୍ସ, ଜର୍ମାନି, ଦକ୍ଷିଣ ଆଫ୍ରିକା ଏବଂ ଡି’ରେ ବେଲ୍ଜିୟମ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ ରହିଛନ୍ତି। ନିକଟରେ ଓମାନରେ ଆୟୋଜିତ ଏସିଆ କପ୍ରେ ଭାରତ ବିଜେତା ହେବା ସହ ସିଧାସଳଖ ବିଶ୍ବକପ୍ ଟିକେଟ୍ କରାୟତ୍ତ କରିଥିଲା। ଏହି ଆତ୍ମବିଶ୍ବାସ ନେଇ ଭାରତ ତୃତୀୟ ଥର ବିଶ୍ବକପ୍ କରାୟତ୍ତ କରିବାର ଲକ୍ଷ୍ୟ ରଖିଛି। ୨୦୦୧ ଓ ୨୦୧୬ରେ ଭାରତ ବିଶ୍ବକପ୍ ବିଜେତା ହୋଇଥିଲା ବେଳେ ୧୯୯୭ ଫାଇନାଲ୍ରେ ଅଷ୍ଟ୍ରେଲିଆଠୁ ୨-୩ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଜର୍ମାନି ସର୍ବାଧିକ ୬ ଥର ବିଶ୍ବକପ୍ ଜିତିଛି।