ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସଭାପତି ତୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ସହ ଓଡ଼ିଶାରେ ଆଗାମୀ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ହକି ଇଣ୍ଡଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ ଓ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁରୁଷ ହକି ବିଶ୍ବକପ୍ ଆୟୋଜନ ବେଳେ ଏଫ୍ଆଇଏଚ୍ର ସହଯୋଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶଂସା କରି କହିଥିଲେ ଯେ ‘‘ଓଡ଼ିଶା ଏବେ ହକିର ଗ୍ଲୋବାଲ୍ ହବ୍ ହୋଇଛି। ଆମେ ଅନେକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିଛୁ। ଆଗାମୀ ପ୍ରୋ ଲିଗ୍ ହକି ଆୟୋଜନ ଲାଗି ଉତ୍ସାହିତ ଅଛୁ। ଆପଣଙ୍କ ସହଯୋଗରେ ଆଗାମୀ ଦିନରେ ରାଜ୍ୟରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିପାରିବୁ’’। ଏହି ବୈଠକରେ ଏଫ୍ଆଇଏଚ୍ ଓ ଓଡ଼ିଶା ସରକାର ସହଯୋଗ ନେଇ ଆଲୋଚନା ହୋଇଥିଲା। ଏଥିସହ ଉଭୟ ପକ୍ଷ ଖେଳାଳି ଓ ପ୍ରଶିକ୍ଷକଙ୍କ ଲାଭ ଲାଗି ଆଥ୍ଲେଟ୍ ବିକାଶ, କ୍ରୀଡ଼ା ବିଜ୍ଞାନ ଓ ଅଭିନବ ଅଭ୍ୟାସ ନେଇ ମତବ୍ୟକ୍ତ କରିଥିଲେ। ଓଡ଼ିଶା ଓ ଭାରତରେ ମହିଳା ହକିର ବିକାଶ ସହ ମହିଳା ଆଥ୍ଲେଟ୍ଙ୍କୁ ସଶକ୍ତ କରିବା ଲାଗି ଗୁରୁତ୍ବ ଦେଇଥିଲେ।
ତୃଣମୂଳ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ହକି ବିକାଶ ଲାଗି ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଇକ୍ରାମ ପ୍ରଶଂସା କରିବା ସହ କହିଥିଲେ ଯେ ‘‘ଏଫ୍ଆଇଏଚ୍ ଓ ଓଡ଼ିଶା ମିଳିତ ଭାବେ ଭବିଷ୍ୟତରେ ସାରାବିଶ୍ବରେ ହକି ବିକାଶରେ ପ୍ରମୁଖ ଭୂମିକା ତୁଲାଇବେ’’। ଆଜି ସକାଳେ ଇକ୍ରାମ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ବିଭାଗ, ଓଡ଼ିଶା ହକି ସଂଘ ଓ ହକି ଇଣ୍ଡିଆର କର୍ମକର୍ତ୍ତା ସ୍ବାଗତ କରିଥିଲେ।
ଭାରତ-ପାକ୍ ହକି ସଂପର୍କ ପୁନର୍ଜୀବିତ କରିବାକୁ ଆଗ୍ରହୀ
ନୂଆଦିଲ୍ଲୀ: ସୁଯୋଗ ମିଳିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ହକି ଶୃଙ୍ଖଳାକୁ ପୁନର୍ଜୀବିତ କରିବାକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଚାହିବ। ଏପରିକି ଅନୁମତି ମିଳିଲେ ଏକ ମାସରେ ମଧ୍ୟ ଶୃଙ୍ଖଳା ଆୟୋଜନ କରିହେବ। ଭାରତ ଗସ୍ତରେ ଥିବା ଏଫ୍ଆଇଏଚ୍ର ପାକିସ୍ତାନ ଜନ୍ମିତ ସଭାପତି ତୟବ ଇକ୍ରାମ ଏଭଳି ମନ୍ତବ୍ୟ ଦେଇଛନ୍ତି। ତେବେ ଦ୍ବିପାକ୍ଷିକ ଶୃଙ୍ଖଳା ଆୟୋଜନ ଅଧିକାର ଏଫ୍ଆଇଏଚ୍ ପାଖରେ ନାହିଁ। ଏଣୁ ଏଭଳି ଏକ ଶୃଙ୍ଖଳା ଆୟୋଜନ ନେଇ ଆମେ ଅସହାୟ ବୋଲି ମତ ଦେଇଛନ୍ତି ସେ। ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ଭାରତ ଓ ପାକିସ୍ତାନ ୨୦୦୬ ମସିହାରେ ଦ୍ବିପାକ୍ଷିକ ହକି ଶୃଙ୍ଖଳା ଖେଳିଥିଲେ। ସେହି ଶୃଙ୍ଖଳାକୁ ପାକିସ୍ତାନ ୩-୧ରେ ଜିତି ନେଇଥିଲା। ସେବେଠାରୁ ଉଭୟ ଦଳ କେବଳ ବହୁ ରାଷ୍ଟ୍ରୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପରସ୍ପରର ମୁକାବିଲା କରିଛନ୍ତି। ହେଲେ ଏଥିରେ ଭାରତର ପଲା ଭାରି ରହିଛି। ପୁଣି ଗତ ଦେଢ଼ ଦଶନ୍ଧି ହେବ ପାକିସ୍ତାନ ହକି ମଧ୍ୟ ତଳକୁ ତଳ ଖସି ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିପାରିନି। ପାକିସ୍ତାନ ହକିର ହୃତ ଗୌରବ ଫେରାଇ ଆଣିବା ଲାଗି ସରକାରୀ ସମର୍ଥନ ସହ ଆର୍ଥିକ ସମର୍ଥନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଇକ୍ରାମ। ଭାରତରେ ହକିର ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରି ସେ କହିଛନ୍ତି ଗତ କିଛି ବର୍ଷ ହେବ ଭାରତ ଏଫ୍ଆଇଏଚ୍ରେ ପ୍ରମୁଖ ବଜାର ସାବ୍ୟସ୍ତ ହୋଇଛି। କନିଷ୍ଠ ବିଶ୍ବକପ୍ର ଆୟୋଜନ ଅଧିକାର ଭାରତକୁ ମିଳିଛି। ଆଉ ଚାରିଟି ପ୍ରତିଯୋଗିତା ଭାରତରେ ଆୟୋଜନ କରିବାକୁ ବିଚାର ବିମର୍ଷ ଚାଲିଛି ବୋଲି ସୂଚନା ଦେଇଛନ୍ତି ଇକ୍ରାମ।