ଇଣ୍ଢୋଭେନ (ନେଦରଲାଣ୍ଡ୍ସ) : ଏଫ୍ଆଇଏଚ୍ ପ୍ରୋ ଲିଗ୍ ଲାଗି ନେଦରଲାଣ୍ଡ୍ସ ଗସ୍ତରେ ଥିବା ଭାରତ ପୁଣି ଘରୋଇ ଦଳଠୁ ପରାସ୍ତ ହୋଇଛି। ନେଦରଲାଣ୍ଡ୍ସ ବିପକ୍ଷ ପ୍ରଥମ ଚରଣ ମ୍ୟାଚ୍କୁ ୧-୪ ଗୋଲ୍ରେ ହାରିଥିବା ଭାରତ ଶନିବାର ଦ୍ବିତୀୟ ଚରଣରେ ୨-୩ ଗୋଲ୍ରେ ପରାସ୍ତ ହୋଇଛି। ମ୍ୟାଚ୍ର ପ୍ରଥମ ମିନିଟ୍ରେ ୨ଟି ବ୍ୟାକ୍ ଟୁ ବ୍ୟାକ୍ ପେନାଲ୍ଟି କର୍ଣ୍ଣର ଭାରତ ଅର୍ଜନ କରିଥିଲେ ମଧ୍ୟ ଗୋଲ୍ରେ ପରିଣତ କରିନପାରି ଅଗ୍ରଣୀ ନେବା ସୁଯୋଗକୁ ହାତଛଡ଼ା କରିଥିଲା।
ତେବେ ଷଷ୍ଠ ମିନିଟ୍ରେ ତେଲଗେନକାମ୍ପ ଡୁକୋଙ୍କ ଗୋଲ୍ରେ ଘରୋଇ ନେଦରଲାଣ୍ଡ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଅଭିଷେକ (୧୮ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରଥମାର୍ଦ୍ଧକୁ ୧-୧ରେ ଶେଷ କରିଥିଲା। ତୃତୀୟ କ୍ବାର୍ଟରରେ ବୁର୍ଖାର୍ଦତ ବୋରିସ (୪୧ ମିନିଟ୍) ଓ ହୋଏଡେମେକର୍ସ ଟିଜେପ୍ (୪୩ ମିନିଟ୍) ଦୁଇଟି ଗୋଲ୍ ଦେଇ ନେଦରଲାଣ୍ଡ୍ସ ୩-୧ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଗୁର୍ଜାନ୍ତ ସିଂହ (୪୬ ମିନିଟ୍) ଗୋଟିଏ ଗୋଲ୍ ଶୁଝି କେବଳ ପରାଜୟ ବ୍ୟବଧାନକୁ କମାଇଥିଲେ। ଭାରତ ସମ୍ପ୍ରତି ୧୫ ମ୍ୟାଚ୍ରୁ ୨୭ ପଏଣ୍ଟ ପାଇ ଶୀର୍ଷରେ ସ୍ଥିର ରହିଛି। ଭାରତ ଏହି ଗସ୍ତର ଶେଷ ମ୍ୟାଚ୍ ରବିବାର ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ।