ଏଫଆଇଏଚ୍ ପ୍ରୋ ଲିଗ୍‌: କଳିଙ୍ଗରେ ଆଜି ଭାରତ-ସ୍ପେନ୍‌ 

ନ୍ୟୁଜିଲାଣ୍ଡର ଲଗାତାର ପରାଜୟ

ଭୁବନେଶ୍ବର: ଚଳିତ ଏଫଆଇଏଚ୍ ପ୍ରୋ ଲିଗ୍‌ରେ ଭାରତ ରବିବାର ଭେଟିବ ସ୍ପେନ୍‌କୁ। ଆସନ୍ତା ବର୍ଷ ଜାନୁଆର‌ିରେ ଯେଉଁ ଦେଶ ସହ ‌ଖେଳି ଭାରତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି ସେହି ପ୍ରତିଦ୍ବନ୍ଦ୍ବୀକୁ ଭେଟିବ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ। ଶୁକ୍ରବାର ରାତିରେ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ନ୍ୟୁଜିଲାଣ୍ଡ୍‌କୁ ୪-୩ ଗୋଲ୍‌ରେ ପରାସ୍ତ କରିଥିଲା। ମନଦୀପ ମୋର୍‌ ୧୪ତମ ମିନିଟରେ ଗୋଲ୍ ଦେବା ପରେ ସାମ୍ ଲେନ୍ (୨୩ ଓ ୩୬ ମିନିଟ୍), ଜେକ୍ ସ୍ମିଥ୍‌ (୩୬ ମିନିଟ୍‌) ଭାରତକୁ ପଛରେ ପକାଇ ଦେଇଥିଲେ। ତୃତୀୟ କ୍ବାର୍ଟରରେ କିନ୍ତୁ ଭାରତ ଚମତ୍କାର ଲେଉଟାଣି କରିଥିଲା। ଅଧିନାୟକ ହର୍ମନପ୍ରୀତ୍ ସିଂହ (୪୨ ମିନିଟ୍‌) ଏବଂ ମନଦୀପ୍ ସିଂହ‌ (୫୨ ଓ ୫୭ ମିନିଟ୍‌)ଙ୍କ ଗୋଲ୍ କାରଣରୁ ମୁକାବିଲା ଜିତି ନେଇଥିଲେ। ସ୍ପେନ୍ କିନ୍ତୁ କଷ୍ଟକର ପ୍ରତିଦ୍ବନ୍ଦ୍ବୀ ବୋଲି ସ୍ବୀକାର କରିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ଗ୍ରାହାମ ରିଡ୍‌। କୌଣସି ପରିସ୍ଥିତିରୁ ଏହି ଦେଶ ପ୍ରତ୍ୟାବର୍ତନ କରିବାର ଦକ୍ଷତା ରଖିଥାଏ। ତେଣୁ ପ୍ରତି କ୍ବାର୍ଟରରେ ଆମକୁ ଲୟ ବଜାୟ ରଖିବାକୁ ପଡିବ ବୋଲି ପ୍ରକାଶ କରିଛନ୍ତି ରିଡ୍‌। ଭାରତ ଏକ ଭଲ ଦଳ, ନିକଟରେ ଅଲିମ୍ପିକ୍ସ ପଦକ ମଧ୍ୟ ଜିତିଛି ବୋଲି କହିଛନ୍ତି ସ୍ପେନ୍ ପ୍ରଶିକ୍ଷକ ମ୍ୟାକ୍ସ କାଲଡସ୍। ଦୁଇ ଦେଶ ଗତ ଋତୁରେ ଖେଳି ଗୋଟିଏ ଲେଖାଏଁ ଜିତିଥିଲେ।

ପ୍ରଥମ ମ୍ୟାଚ୍‌ରେ ଭାରତ ୫-୪ରେ ଜିତିବା ପରେ ୩-୫ରେ ହାରିଯାଇଥିଲା। ଶନିବାର ସ୍ପେନ୍‌ କିନ୍ତୁ ୩-୨ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କଳିଙ୍ଗ ଷ୍ଟାଡିୟମ୍‌ରୁ ଅଭିଯାନ ଆରମ୍ଭ କରିଛି। ସ୍ପେନ୍‌କୁ ଅଷ୍ଟମ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ପାଉ କନିଲ୍‌ ପ୍ରଥମ‌ ଗୋଲ୍ ଦେଇଥିଲେ। ୨୬ ଓ ୨୭ ମିନିଟ୍‌ରେ କିନ୍ତୁ ନ୍ୟୁଜିଲାଣ୍ଡ୍‌ ପାଇଁ ଲଗାତାର ଗୋଲ୍ ଦେଇଥିଲେ‌ ହେଡେନ୍ ଫିଲିପ୍ସ ଓ ସାଇମନ୍ ଚାଇଲ୍ଡ। ପ୍ରଥମାର୍ଦ୍ଧ ସୁଦ୍ଧା ପଛୁଆ ପଡ଼ିଥିବା ସ୍ପେନ୍‌ ପାଇଁ ମାର୍କ ରେନ୍ (୩୯ ମିନିଟ୍‌) ଓ ଅମତ ପେରେ (୪୭ ମିନିଟ୍‌) ଦୁଇଟି ଫିଲଡ ଗୋଲ୍ ଦେଇଥିଲେ। ଏନ୍‌ରିକ୍‌ ଗଞ୍ଜାଲେଜ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶାର ବିଶ୍ବରଂଜନ ଷଡ଼ଙ୍ଗୀ ଟେକନିକାଲ୍ ଅଫିସର୍‌ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଏହି ବିଜୟ ସହ ସ୍ପେନ୍ ମଧ୍ୟ ରବିବାର ଭାରତ ମ୍ୟାଚ୍‌ ପାଇଁ ମନୋବଳ ଏକାଠି କରିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଲଗାତାର ପରାଜୟ ବରଣ କରିଛି।

ସମ୍ବନ୍ଧିତ ଖବର