ଭୁବନେଶ୍ବର : ଚଳିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଶୁକ୍ରବାର ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ନ୍ୟୁଜିଲାଣ୍ଡ୍କୁ ୭-୪ ଗୋଲ୍ରେ ପରାସ୍ତ କରିଛି। ଏଥି ସହିତ କଳିଙ୍ଗରେ ଉଭୟ ମୁକାବିଲାରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଛି। ଗତ ସପ୍ତାହରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ସ୍ପେନ୍ ନିକଟରୁ ହାରିଯାଇଥିଲା। ଭାରତ ନିଜର ପରବର୍ତୀ ମ୍ୟାଚ୍ ସ୍ପେନ୍ ସହିତ ରବିବାର ଖେଳିବ। ଭାରତ ପାଇଁ ଶୁକ୍ରବାର ଅଧିନାୟକ ହର୍ମନପ୍ରୀତ୍ ସିଂହ ଏବଂ ବଦଳ ଖେଳାଳି ଭାବେ ଆସି ଯୁବ ଫରୱାର୍ଡ କାର୍ତ୍ତି ସାଲଭମ୍ ଦୁଇଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ରାଜ କୁମାର ପାଲ୍, ସୁଖଜିତ୍ ସିଂହ, ଯୁଗରାଜ ସିଂହ ଗୋଟିଏ ଲେଖାଏଁ ଦେଇ ଗୋଲ୍ ବର୍ଷାର କାରଣ ସାଜିଥିଲେ। ହାର୍ଦିକ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ନ୍ୟୁଜିଲାଣ୍ଡ-ସ୍ପେନ ମୁକାବିଲା ହେବ।
ପ୍ରଥମ କ୍ବାର୍ଟରରୁ ରୋମାଞ୍ଚ
କଳିଙ୍ଗ ହକି କଂପ୍ଲେକ୍ସରେ ଶୁକ୍ରବାର ସଂଧ୍ୟା ଗୋଲ୍ ରୋମାଞ୍ଚରୁ ଆରମ୍ଭ ହୋଇଥିଲା। ଦ୍ବିତୀୟ ମିନିଟ୍ରେ ହିଁ ସାଇମନ୍ ଚାଇଲ୍ଡ ଗୋଲ୍ ଦେଇ ଭାରତକୁ ପଛୁଆ କରି ଦେଇଥିଲେ। ଦ୍ବିତୀୟ ମିନିଟ୍ରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର। ଲଗାତାର ତୃତୀୟ ପେନାଲ୍ଟି କର୍ଣ୍ଣରରୁ ହର୍ମନପ୍ରୀତ୍ (୭ ମିନିଟ୍) ଗୋଲ୍ ଦେଇ ଭାରତକୁ ବରାବର ସ୍ଥିତିକୁ ଆଣିଥିଲେ ମଧ୍ୟ ଏହାକୁ ନ୍ୟୁଜିଲାଣ୍ଡ୍ ଅଧିକ ସମୟ ରଖିନଥିଲା। ଲଗାତାର ଦୁଇ ଗୋଲ୍ ଦେଇ (୯ ଓ ୧୪ ମିନିଟ୍) ଭାରତକୁ ପୁଣି ଥରେ ପଛୁଆ କରି ଦେଇଥିଲା। ସୁରେନ୍ଦରଙ୍କ ବିଫଳତାରୁ ଫାଇଦା ଉଠାଇ ସାମ୍ ଲେନ୍ ଏକ ଆକର୍ଷଣୀୟ ଗୋଲ୍ ଦେଇଥିଲେ। ଗୋଲରକ୍ଷକ ପିଆର୍ ଶ୍ରୀଜେଶ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଯାଇଥିଲେ। ଏହା ପରେ ଜ୍ୟାକବ୍ ସ୍ମିଥ୍ ପ୍ରଥମ କ୍ବାର୍ଟର ସୁଦ୍ଧା ନ୍ୟୁଜିଲାଣ୍ଡ୍କୁ ୩-୧ରେ ଆଗୁଆ ରଖିଥିଲେ। ଭାରତର ଦୁର୍ବଳ ରକ୍ଷଣଭାଗ ପ୍ରଥମ କ୍ବାର୍ଟରରେ ସମ୍ପୂର୍ଣ୍ଣ ବିଫଳତାକୁ ପ୍ରତିଫଳିତ କରିଥିଲା। ତିନିଟି ଯାକ ଗୋଲ୍ ବେଳକୁ ଶ୍ରୀଜେଶଙ୍କ ଛଡ଼ା ଅନ୍ୟ ଡିଫେଣ୍ଡର ସଜାଗ ଥିବାର ଦେଖିବାକୁ ମିଳିନଥିଲା।
ଚମତ୍କାର ପ୍ରତ୍ୟାବର୍ତନ
ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ପ୍ରତିଆକ୍ରମଣ ଆରମ୍ଭ କରି ଦେଇଥିଲା। ରକ୍ଷଣଭାଗକୁ ବି ସଜାଗ ରଖିଥିଲା। ୧୭ ମିନିଟ୍ରେ ଯୁବ ଫରୱାର୍ଡ କାର୍ତ୍ତି ସେଲଭାମ୍ ଏକା ଏକା ନ୍ୟୁଜିଲାଣ୍ଡ୍ ଗୋଲି ଡୋମିନିକ୍ ଡିକ୍ସନଙ୍କୁ ପରାସ୍ତ କରିବା ସବୁଠାରୁ ଦର୍ଶନୀୟ ଏବଂ ଆକର୍ଷଣୀୟ ଗୋଲ୍ ଥିଲା। ନିଜ ଅଷ୍ଟମ ସିନିୟର୍ ଅନ୍ତର୍ଜାତୀୟ ମ୍ୟାଚ୍ରେ ଚତୁର୍ଥ ଗୋଲ୍ ଦେଇ ଭବିଷ୍ୟତ ତାରକା ଭାବେ ଉଭା ହୋଇଛନ୍ତି କାର୍ତ୍ତି। କାର୍ତ୍ତିଙ୍କ ଗୋଲ୍ ପରେ ଭାରତର ଆକ୍ରମଣ ଜାରି ରହିଥିଲା। ଫଳତଃ ୨ ମିନିଟ୍ ପରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ୍ ସିଂହ ପୁଣି ଥରେ ଭାରତକୁ ସମତୁଲ ସ୍ଥିତିକୁ ଆଣିପାରିଥିଲେ। ୨୦ ମିନିଟ୍ ଭିତରେ ଓଡ଼ିଶା ଦର୍ଶକ ଦେଖିଥିଲେ ୬ ଗୋଲ୍। କିନ୍ତୁ ବିନା ଅଗ୍ରଣୀରେ ଭାରତ ପ୍ରଥମାର୍ଦ୍ଧକୁ ୩-୩ରେ ସ୍ଥିତିରେ ହିଁ ଶେଷ କରିଥିଲା। ପୂର୍ବ ଅଧିନାୟକ ମନପ୍ରୀତ୍ ସିଂହ ଏହି ୩ଟି ଗୋଲ୍ରେ ବଡ଼ ଯୋଗଦାନ ରଖିଥିଲେ। ପେନାଲ୍ଟି କର୍ଣ୍ଣର ଅର୍ଜନ କରାଇବା ଏବଂ ଗୋଲ୍ ସହାୟତାରେ ତାଙ୍କ ସମ୍ପୃକ୍ତି ରହିଥିଲା।
ତୃତୀୟ କ୍ବାର୍ଟର ଆରମ୍ଭରୁ ଅଗ୍ରଣୀ
ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତ ପ୍ରଥମ ଥର ମ୍ୟାଚ୍ରେ ଅଗ୍ରଣୀ ନେଇଥିଲା। ତା’ପୁଣି ଏହି କ୍ବାର୍ଟରର ୩୩ ସେକେଣ୍ଡ୍ ଭିତରେ। ପ୍ରଥମାର୍ଦ୍ଧର ପ୍ରଥମ ମିନିଟ୍ର ରିଭେଞ୍ଜ୍ ରିପ୍ଲେ ଭଳି ଥିଲା ଏହି ଗୋଲ୍। ଡାହାଣ ପାର୍ଶ୍ବରୁ ଦୁଇ ଖେଳାଳିଙ୍କ ନିକଟରୁ ପାଇଥିବା ବଲ୍କୁ ଶେଷ ସ୍ପର୍ଶ ଦେଇଥିଲେ ରାଜକୁମାର ପାଲ୍। ଅଭିଷେକଙ୍କ ସୁନ୍ଦର ଡ୍ରିବଲିଂରୁ ମନପ୍ରୀତ୍ ଠିକଣା ସମୟରେ ବଲ୍ ପାସ୍ କରି ପୁଣି ଥରେ ଗୋଲ୍ର ପ୍ରମୁଖ ଅଂଶୀଦାର ହୋଇଥିଲେ। ଯୁବ ତାମିଲ୍ ତାରକା କାର୍ତ୍ତି ସେଲଭାମ ଚମତ୍କାର ବଲ୍ ନିୟନ୍ତ୍ରଣ ଏବଂ ଷ୍ଟ୍ରାଇକ୍ର କମାଲ ଦେଖାଇ ୩୮ତମ ମିନିଟ୍ରେ ଆଉ ଏକ ସୁନ୍ଦର ଗୋଲ୍ ଦେଇଥିଲେ। ଏକଦା ୧-୩ରେ ପଛୁଆ ଥିବା ଭାରତ ୫-୩ରେ ଆଗୁଆ ହୋଇ ତୃତୀୟ କ୍ବାର୍ଟରର ଅବଶିଷ୍ଟ ଭାଗରେ ରକ୍ଷଣଭାଗକୁ ଦୃଢ଼ କରି ଅଗ୍ରଣୀକୁ କାଏମ ରଖିଥିଲା। ଶେଷ ମିନିଟ୍ରେ ବ୍ଲାକ୍ କ୍ୟାପ୍ ଦଳ ୩ଟି ଲଗାତାର ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡର୍ମାନେ ଏହାକୁ ନିଷ୍ଫଳ କରିଦେଇଥିଲେ। ତୃତୀୟଟିକୁ କିୱି ଫରୱାର୍ଡ ଟପ୍ ଆଙ୍ଗେଲରୁ ଗୋଲ୍ ପ୍ରୟାସ କରିଥିଲେ ମଧ୍ୟ ଶ୍ରୀଜେଶ ଏହାକୁ ପ୍ରତିହତ କରିନେଇଥିଲେ। ତୃତୀୟ କ୍ବାର୍ଟରରେ ଭାରତ ୨-୦ରେ ଆଗୁଆ ରହିବା ସହ ମ୍ୟାଚ୍ରେ ୫-୩ ଗୋଲ୍ରେ ପରାଜୟ ବରଣ କରିଥିଲା।
ଅନ୍ତିମ କ୍ବାର୍ଟର ପିସି ଭରା
ଚତୁର୍ଥ ତଥା ଅନ୍ତିମ କ୍ବାର୍ଟରରେ ଭାରତ ନିଜର ଆକ୍ରମଣାତ୍ମକ ହକି ଜାରି ରଖିଥିଲା। ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ଙ୍କ ପ୍ରାକ୍ ମ୍ୟାଚ୍ ପ୍ରତିଶ୍ରୁତିକୁ ଖେଳାଳିମାନେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ସଠିକ ତାଳମେଳ ଓ ଫିନିସିଂ କରି ଭାରତୀୟ ଖେଳାଳି ପ୍ରଧାନ୍ୟ ବିସ୍ତାର କରିଥିଲେ। ୫୦ତମ ମିନିଟ୍ରେ ସର୍କଲ୍ ବାହାର ବଲ୍କୁ ମନପ୍ରୀତ୍ ସ୍ଲାଇଡ୍ କରି ଭିତରକୁ ପଠାଇବା ପରେ ସୁଖଜିତ୍ ସିଂହ ଗୋଲ୍ରେ ପରିଣତ କରିଥିଲେ। ୫୩ତମ ମିନିଟରେ ପେନାଲ୍ଟି କର୍ଣ୍ଣର ମାଳାରୁ ଯୁଗରାଜ ସିଂହ ଭାରତକୁ ୭-୩ରେ ପରିଣତ କରିଦେଇଥିଲେ। ଲଗାତାର ୬ ଗୋଲ୍ ଦେବା ଭାରତର ବିଜୟକୁ ନିଶ୍ଚିତ କରିଥିଲା। ୫ ମିନିଟ୍ ଥିବାବେଳେ ପେନାଲ୍ଟି କର୍ଣ୍ଣର ପାଇଥିବା ନ୍ୟୁଜିଲାଣ୍ଡ୍ ପାଇଁ ନିକ୍ ଉଡ୍ ଗୋଲ୍ ଦେଇଥିଲେ। ଭାରତର ବଦଳ ଗୋଲ୍ରକ୍ଷକ କ୍ରିଷ୍ଣନ୍ ପାଠକ ଏହି ଗୋଲ୍ ବରଣ କରିଥିଲେ। ଏହା ପରେ କଳିଙ୍ଗ ଦର୍ଶକ ଆଉ ଗୋଲ୍ ଦେଖିନଥିଲେ କିନ୍ତୁ ପ୍ରଥମରୁ ଆଶଙ୍କାରେ ପଡ଼ିବା ସତ୍ତ୍ବେ ବଡ଼ ବିଜୟରେ ପଇସା ଅସୁଲ୍ କରିଦେବା ଭଳି ଆନନ୍ଦ ନେଇ ଫେରିଥିଲେ। ଅନ୍ତିମ କ୍ବାର୍ଟରରେ ଭାରତ ୭ଟି ପେନାଲ୍ଟି କର୍ଣ୍ଣର ସହ ମୋଟ ୧୧ଟି ଅର୍ଜନ କରିଥିଲେ।