ଇଢୋଭେନ (ନେଦରଲାଣ୍ଡ୍ସ) : ଲଣ୍ଡନ ଅଭିଯାନ ଶେଷ କରିବା ପରେ ଭାରତୀୟ ପୁରୁଷ ହକି ଦଳ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେଶେଷ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ନେଦରଲାଣ୍ଡ୍ସରେ ପହଞ୍ଚିଛି। ଲଣ୍ଡନରେ ବେଲ୍ଜିୟମ ଓ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳି ଉଭୟ ପରାଜୟ ବିଜୟ ସ୍ବାଦ ପାଇଥିଲା। ନେଦରଲାଣ୍ଡ୍ସରେ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାର ଲକ୍ଷ୍ୟ ରଖିଛି। ସଂପ୍ରତି ୧୨ ମ୍ୟାଚ୍ ଖେଳି ଭାରତ ୨୪ ପଏଣ୍ଟ ସହ ଗ୍ରେଟ୍ ବ୍ରିଟେନ୍ (୨୬ ପଏଣ୍ଟ) ପଛକୁ ଦ୍ବିତୀୟରେ ରହିଛି।
ବୁଧବାର ହର୍ମନପ୍ରୀତ ସିଂହ ନେତୃତ୍ବାଧୀନ ଭାରତ ଘରୋଇ ନେଦରଲାଣ୍ଡ୍ସକୁ ଭେଟିବ। ଏହାପରେ ୮ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ଚରଣ ମ୍ୟାଚ୍ ଖେଳିବ। ୧୦ ଓ ୧୧ ତାରିଖରେ ଦ୍ବିତୀୟ ଚରଣ ମ୍ୟାଚ୍ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ବିପକ୍ଷରେ ଖେଳି ୟୁରୋପ ଗସ୍ତ ଶେଷ କରିବ। ‘‘ଲଣ୍ଡନରେ ପ୍ରଥମ ଚରଣରେ ବେଲ୍ଜିୟମ ଓ ଗ୍ରେଟ୍ ବ୍ରିଟେନ୍ଠୁ ହାରି ଯାଇଥିଲୁ। କିନ୍ତୁ ଏହାପରେ ପ୍ରତ୍ୟାବର୍ତ୍ତନ କରି ବେଲ୍ଜିୟମକୁ ୫-୧ ଏବଂ ଗ୍ରେଟ୍ ବ୍ରିଟେନ୍କୁ ୪-୨ (୪-୪) ସୁଟ୍ଆଉଟ୍ରେ ପରାସ୍ତ କରିଥିଲୁ। ତେଣୁ ଆମ ମନୋବଳ ଦୃଢ଼ ରହିଛି। ତଥାପି ଘରୋଇ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ଆମ ପାଇଁ ବଡ଼ ଆହ୍ବାନ ହେବ। କିନ୍ତୁ ଆମେ ଉଭୟ ଦଳ ବିପକ୍ଷରେ ଆମର ଶ୍ରେଷ୍ଠ ଦେବାକୁ ଚେଷ୍ଠା କରିବୁ’’ ବୋଲି ଭାରତର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/fih.jpg)