ଏଫଆଇଏଚ ପ୍ରୋ ଲିଗ୍‌: ଭାରତର ଯୁଗଳ ବିଜୟ

ଶେଷ ମିନିଟ୍ ଗୋଲ୍‌ରେ ସ୍ପେନ୍‌କୁ ହରାଇଲେ ପୁରୁଷ

ଭୁବନେଶ୍ବର: ବାରମ୍ବାର ନାଟକୀୟ ମୋଡ଼ ନେଇଥିବା ସ୍ପେନ୍ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମାଚ୍‌କୁ ଭାରତୀୟ ପୁରୁଷ ଦଳ ରୋମାଞ୍ଚକର ଭାବେ ୫-୪ ଗୋଲ୍‌ରେ ଜିତି ନେଇଛି। ଶନିବାରର ଏହି ଘଟଣାବହୁଳ ତଥା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ଏକଦା ୧-୪ରେ ପଛୁଆ ଥିଲା। ତେବେ ସଫଳ ପ୍ରତ୍ୟାବର୍ତ୍ତନର ବଳିଷ୍ଠ ନମୁନା ଦେଖାଇ ମନପ୍ରୀତ ସିଂହଙ୍କ ଦଳ ପ୍ରଥମେ ସ୍ଥିତି ୪-୪ କରି ନେଇଥିଲା। ଏହା ପରେ ଖେଳ ଶେଷ ହେବାର ୮ ସେକେଣ୍ଡ ପୂର୍ବରୁ ମିଳିଥିବା ପେନାଲ୍ଟି ‌ଷ୍ଟ୍ରୋକ୍‌କୁ ‌ ଗୋଲ୍‌ରେ ପରିଣତ କରି ୫-୪ରେ ସ୍ପେନ୍‌କୁ ହରାଇ ତା ପଞ୍ଝାରୁ ୩ ପଏଣ୍ଟ ଛଡ଼ାଇ ଆଣିଥିଲା।

ହରମନପ୍ରୀତ ସିଂହ ଏହି ଗୋଲ୍‌ଟି କରିବା ପରେ ଭାରତୀୟ ଖେଳାଳି ଖୁସିରେ ନାଚି ଉଠିଥି‌ଲେ। ଆଜି ଭାରତୀୟ ଦଳରେ ଥିବା ଦୁଇ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ଓ ଦୀପସାନ୍ ତିର୍କି ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଶିଳାନନ୍ଦ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇଥିଲା ବେଳେ ଦୀପସାନ୍ ‌ରକ୍ଷଣଭାଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଯଶକରଣ ସିଂହ ଉଚ୍ଚକୋଟୀର ହକି ଖେଳି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଆଜି ଏହି ତୀବ୍ର ସଂଘର୍ଷଭରା ମ୍ୟାଚ୍‌ରେ ସ୍ପେନ୍ ୧୪, ୨୦, ୨୩ ଓ ୪୦ ମିନିଟ୍‌ରେ ଗୋଲ୍ କରିଥିଲା। ଅନ୍ୟପକ୍ଷରେ ଭାରତ ୧୫, ୪୧, ୪୩, ୫୫ ଏବଂ ୬୦ ମିନିଟ୍‌ରେ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଦୁଇଟି), ଶିଳାନନ୍ଦ ଲାକ୍ରା, ସମସେର ସିଂହ, ବରୁଣ କୁମାର ଗୋଲ୍ କରିଥିଲେ। ଭାରତୀୟ ରକ୍ଷଣଭାଗ ତାରକା ବରୁଣ କୁମାର ଶନିବାର ତାଙ୍କ ଖେଳ ଜୀବନର ଶତକୀୟ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଛୁଇଁଥିଲେ।

ମହିଳା ମ୍ୟାଚ୍‌ରେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ, ଇଲେକଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ପୁରୁଷ ମ୍ୟାଚ୍‌ରେ ଅତିଥି ଥିଲେ ନରିନ୍ଦର ବାତ୍ରା, ଏଲିନା ନର୍ମାନ, କ୍ରୀଡ଼ା ସଚିବ ଆର ଭିନିଲକୃଷ୍ଣା ଓ ଡିଜିପି ସୁନିଲ କୁମାର ବଂଶଲ। ପୁରୁଷ ମ୍ୟାଚ୍‌ର ମଧ୍ୟାନ୍ତରରେ ବାତ୍ରା ୨୦୨୩ ବିଶ୍ବକପ୍ ପ୍ରତିକୃତି ୫ଟି ସଚିବ ଭି କାର୍ତ୍ତିକୟନ ପାଣ୍ଡିଆନଙ୍କୁ ଉପହାର ଦେଇଥିଲେ।

ମହିଳା ଦଳ ୨-୧ରେ ଜିତିଲା

ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ଓଡ଼ିଶା ପର୍ଯ୍ୟାୟ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୨-୧ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଛି। ତା’ ସହ ନିଜ ଅପରାଜେୟ ଧାରାକୁ ଜାରି ରଖିଛି। ଶନିବାର ଅପରାହ୍‌ଣର ଏହି ମୁକାବିଲାରେ ପ୍ରଥମେ ସ୍ପେନ୍ ଗୋଲ୍ ଖାତା ଖୋଲିଥିଲା। ତେବେ ଉନ୍ନତ ତାଳମେଳ ଏବଂ କୌଶଳର ପରିଚୟ ଦେଇଥିବା ଭାରତୀୟ ଦଳର ବିଜୟକୁ ରୋକି ପାରି ନଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଅଷ୍ଟାଦଶ ମିନିଟ୍‌ରେ ଏହି ଗତିରୋଧକୁ ଦୂର କରିଥିଲେ ସ୍ପେନ୍‌ର ସେଗୁ ମାର୍ତ୍ତା।

ମାତ୍ର ୨ ମିନିଟ୍ ପରେ ଜ୍ୟୋତିଙ୍କ ଫିଲ୍ଡ ଗୋଲ୍ ବଳରେ ଭାରତ ସ୍ଥିତି ବରାବର କରି ନେଇଥିଲା। ତୃତୀୟ କ୍ବାର୍ଟର ସୁଦ୍ଧା ଏହି ସ୍କୋର ଲାଇନ୍ ଅପରିବର୍ତ୍ତିତ ରହିଥିଲା। ହେଲେ ଚତୁର୍ଥ ତଥା ଶେଷ କ୍ବାର୍ଟରର ସପ୍ତମ ମିନିଟ୍‌ରେ ନେହା ଭାରତ ପକ୍ଷରୁ ଦ୍ବିତୀୟ ଏବଂ ବିଜୟ ସୂଚକ ଗୋଲ୍ ଦେଇଥିଲେ। ପଡ଼ିଆ ଭିତରେ ସ୍ପେନ୍ ଖେଳାଳିଙ୍କୁ ବାନ୍ଧି ରଖିଥିବା ସର୍ମିଳା ଦେବୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହା ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ଚୀନକୁ ପରାସ୍ତ କରିଥିଲା। ରବିବାର ଉଭୟ ଦଳ ପାଲଟା ମୁକାବିଲାରେ ପୁଣି ଥରେ ମୁହାଁମୁହିଁ ହେବେ। ଭାରତୀୟ ମହିଳା ଦଳ ଏବେ ୩ ମ୍ୟାଚ୍‌ରୁ ପୂରା ୯ ପଏଣ୍ଟ ଅମଳ କରି ତାଲିକାର ଶ୍ରେଷ୍ଠ ୩ ସ୍ଥାନ ଭିତରେ ରହିଛି। ଆଜିର ମ୍ୟାଚ୍‌ରେ ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା ଚମତ୍କାର ଖେଳିଥିଲେ। ଷ୍ଟାଣ୍ଡବାଏ ଥିବା ମାରିଆନା କୁଜୁର ଗ୍ୟାଲେରିରେ ରହି ମ୍ୟାଚ୍ ଦେଖିଥିଲେ।

ହକି ଫେରିଲା, ହକିପ୍ରେମୀ ଫେରିପାରିଲେନି

ଦିନ ଥିଲା କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ଦର୍ଶକଙ୍କ କରତାଳି ଓ କୋଳାହଳରେ କମ୍ପୁଥିଲା। କରୋନା ଆରମ୍ଭ ହେବା ପରଠାରୁ କିନ୍ତୁ ସେ ଦୃଶ୍ୟ ଆଉ ଦେଖିବାକୁ ମିଳୁନି କିମ୍ବା ସେ ଶବ୍ଦ ଆଉ ଶୁଭୁନି। ଅଧିକାଂଶ ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଉଛି। ଶନିବାରର ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି ମ୍ୟାଚ୍ ମଧ୍ୟ ବିନା ଦର୍ଶକରେ ଖେଳାଯାଇଥିଲା। କ୍ରୀଡ଼ା ଛାତ୍ରାବାସ ଏବଂ ଅନ୍ୟାନ୍ୟ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଥିବା ପିଲାଙ୍କୁ ଛାଡ଼ି କଳିଙ୍ଗ ହକି କଂପ୍ଲେକ୍ସର ଚାରିଟି ଯାକ ଗ୍ୟାଲେରି ଆପାତତଃ ଖାଲି ପଡ଼ିଥିଲା। ଖାଁ ଖାଁ ପରିବେଶରେ ମ୍ୟାଚ୍ ଖେଳାଯାଇଥିଲା।

୨୦୨୨ରେ ଅନ୍ତର୍ଜାତୀୟ ହକି କଳିଙ୍ଗ ଷ୍ଟାଡିୟମ୍‌କୁ ଫେରିଥିଲା। ହେଲେ ଦୁଃଖର କଥା ହେଲା ସବୁ ମ୍ୟାଚ୍‌ରେ ଦ୍ବାଦଶ ଖେଳାଳିଙ୍କ ଭୂମିକା ତୁଲାଉଥିବା ଓଡ଼ିଶାର ଉତ୍ସାହୀ ହକିପ୍ରେମୀ ନଥିଲେ। ଖେଳାଳିମାନେ ମଧ୍ୟ ସେମାନଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲେ। ଲାଗୁଥିଲା କଳିଙ୍ଗ ଯେମିତି ତା’ର ପ୍ରିୟ ଦର୍ଶକଙ୍କୁ ଘୁମୁରି ଘୁମୁରି ଖୋଜୁଥିଲା। ଗତବର୍ଷ ଶେଷ ଆଡ଼କୁ ଏଠାରେ ଖେଳାଯାଇଥିବା କନିଷ୍ଠ ହକି ବିଶ୍ବକପ୍‌ ମଧ୍ୟ ବିନା ଦର୍ଶକରେ ଖେଳାଯାଇଥିଲା। ଭାରତୀୟ ମହିଳା ହକି ଦଳର ନିୟମିତ ଅଧିନାୟିକା ରାଣୀ ରାମପାଲ ଆହତ ଥିବାରୁ ମ୍ୟାଚ୍ ଖେଳି ନଥିଲେ। ତାଙ୍କ ସହ କିଛି ସଂରକ୍ଷିତ ଖେଳାଳି ଏବଂ ସୁରକ୍ଷାକର୍ମୀ ଗ୍ୟାଲେରିରେ ବସି ମ୍ୟାଚ୍ ଦେଖିଥିଲେ।

 

ସମ୍ବନ୍ଧିତ ଖବର