ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଖେଳିବ ଭାରତ

ନୂଆଦିଲ୍ଲୀ,: ଆସନ୍ତାବର୍ଷଠାରୁ ଭାରତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଆୟୋଜନ କରୁଥିବା ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ରେ ଅଂଶଗ୍ରହଣ କରିବ। ମଙ୍ଗଳବାର ମହାସଂଘ ଏହି ଘୋଷଣା କରିଛି। ପୂର୍ବରୁ ଭାରତ ଏହି ପ୍ରତିଯୋଗିତା ଖେଳୁ ନଥିଲା। ଏବେ କିନ୍ତୁ ହକି ଇଣ୍ଡିଆ ତା’ର ମନ ବଦଳାଇ ଏଥିରେ ଭାଗ ନେବାକୁ ସମ୍ମତି ପ୍ରକାଶ କରିଛି। ଅନ୍ତର୍ଜାତୀୟ ହକି ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱେଲ୍ ଏଥିଲାଗି ହକି ଇଣ୍ଡିଆକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଭାରତର ପ୍ରତ୍ୟାବର୍ତନକୁ ଅନ୍ୟ ଅଂଶଗ୍ରହଣକାରୀ ଦଳଗୁଡ଼ିକ ସମର୍ଥନ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଏଫ୍‌ଆଇଏଚ୍ ହକି ଲିଗ୍‌ରେ ବିଶ୍ବର ଶ୍ରେଷ୍ଠ ମାନ୍ୟତା ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଘରୋଇ ଏବଂ ବିଦେଶ ଭିତ୍ତିରେ ପ୍ରତିଦ୍ବନ୍ଦ୍ବିତା କରିଥାଆନ୍ତି। ପ୍ରତିଯୋଗିତାର ଶ୍ରେଷ୍ଠ ୪ ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବାର ସୁଯୋଗ ମିଳିଥାଏ। ଏଫ୍‌ଆଇଏଚ୍ ମଙ୍ଗଳବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ନେଇ କୌଣସି ସୂଚନା ଦିଆଯାଇନାହିଁ। ଚଳିତ ବର୍ଷ ଆରମ୍ଭ ହୋଇଥିବା ମହିଳା ପ୍ରୋ ହକି ଲିଗ୍‌ରୁ ଭାରତ ଦୂରେଇ ରହିଥିଲା। ଆସନ୍ତାବର୍ଷ ମଧ୍ୟ ଭାରତୀୟ ମହିଳା ହକି ଦଳ ଏଥିରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଭାରତ ସାମିଲ ହେବା ପରେ ଏଫ୍‌ଆଇଏଚ୍ ତା’ ପ୍ରୋ ହକି ଲିଗ୍‌ରେ କେତେକ ପରିବର୍ତନ କରିଛି। ବିଶେଷ କରି ଘରୋଇ ଏବଂ ବିଦେଶ ସୂତ୍ର ଏଣିକି ଦୁଇଟି ଲଗାତାର ଋତୁରେ ବିଭା‌ଜିତ ହେବ। ଉଦାହରଣ ସ୍ବରୂପ ୨୦୨୦ରେ ‘ଏ’ ଦଳ ନିଜ ଘରୋଇ ମାଟିରେ ‘ବି’ ଦଳ ବିପକ୍ଷରେ ଦୁଇ ଦିନ ଭିତରେ ଦୁଇଟି ମ୍ୟାଚ୍ ଖେଳିବ। ୨୦୨୧ରେ ‘ବି’ ଦଳ ନିଜ ଘରୋଇ ପରିବେଶରେ ‘ଏ’ ଦଳ ବିପକ୍ଷରେ ଦୁଇ ଦିନ ଭିତରେ ଦୁଇଟି ମ୍ୟାଚ୍ ଆୟୋଜନ କରିବ। ଏହା ଦ୍ବାରା ଯାତାୟତରେ ହେଉଥିବା ଅଯଥା ସମୟ ନଷ୍ଟକୁ ରୋକାଯାଇପାରିବ। ଫଳରେ ଦଳୀୟ ପରିଚାଳନା ଖର୍ଚ ବି କମିବ। ଏହି ଅର୍ଥ ଖେଳାଳିଙ୍କ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରା‌ଯିବ ବୋଲି ଏଫ୍‌ଆଇଏଚ୍ କହିଛି।

ସମ୍ବନ୍ଧିତ ଖବର