ଭୁବନେଶ୍ବରରେ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ସହଜ ଗ୍ରୁପ୍‌ରେ ଭାରତ

ଲୌସାନ୍‌/ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ବିଶ୍ବକପ୍‌ରେ ୬ ମାସ ପରେ ଭୁବନେଶ୍ବରେ ଆଉ ଏକ ବଡ଼ ହକି ପ୍ରତିଯୋଗିତା ଆୟୋଜିତ‌ ହେବା ଚୂଡାନ୍ତ ହୋଇଛି। ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆ ଯାଇଥିଲେ ମଧ୍ୟ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଆନୁଷ୍ଠାନିକ ଘୋଷଣା କରିଛି। ଏଫ୍‌ଆଇଏଚ୍‌ ସିରିଜ୍ ଫାଇନାଲ୍ସ ଚଳିତ ବର୍ଷ ଜୁନ୍‌ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ହକି କଂପ୍ଲେକ୍ସରେ ଅନୁଷ୍ଠିତ ହେବ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ଯୋଗ୍ୟତା ପ୍ରତିଯୋଗିତା। ଏପ୍ରିଲରୁ ଜୁନ୍‌ ମଧ୍ୟରେ ଏଭଳି ୬ଟି ସିରିଜ୍ ଫାଇନାଲ୍ସ ଖେଳାଯିବ। ପ୍ରତି ଫାଇନାଲ୍ସର ଶ୍ରେଷ୍ଠ ୨ ଦେଶ ଅକ୍ଟୋବର ଓ ନଭେମ୍ବରରେ‌ ଖେଳାଯିବାକୁ ଥିବା ଚୂଡାନ୍ତ ପର୍ଯ୍ୟାୟ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ଯୋଗ୍ୟତା ଅର୍ଜନ କରିବେ। ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ବର ଚରଣରେ ଭାରତ ସାମିଲ ରହିଛି। ଭାରତ ଏକ ସହଜ ଗ୍ରୁପ୍‌ରେ ସ୍ଥାନ ପାଇଥିବାରୁ ଅଲିମ୍ପିକ୍ସ ରାସ୍ତାର ପ୍ରଥମ ପ୍ରତିବଂଧକ ଟପିବା ନିଶ୍ଚିତ ଲାଗୁଛି। ଭାରତ ସହିତ ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ଆମେରିକା ଏବଂ ଉଜବେକିସ୍ତାନ ସାମିଲ ରହିଛନ୍ତି। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ଛାଡ଼ିଦେଲେ ଭାରତକୁ ଆଉ କୌଣସି ଦଳ ଟକ୍କର ଦେବା ଭଳି ମନେ ହେଉନାହିଁ। ଅନ୍ୟପକ୍ଷରେ ମହିଳାଙ୍କ ଏଫଆଇଏଚ୍ ସିରିଜ୍ ହିରୋସୀମାରେ ଜୁନ୍‌ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଟୋକିଓ ଅଲିମ୍ପିକ୍ସ ରାସ୍ତା ପଥରେ ଖେଳାଯିବାକୁ ଥିବା ଏହି ୬ ଇଭେଣ୍ଟ୍ ଅଧିକ ଆକର୍ଷଣୀୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଏଫଆଇଏଚ୍‌ ସିଇଓ ଥିଏରି ୱେଲ୍‌।

ସମ୍ବନ୍ଧିତ ଖବର