ଫିଲାଣ୍ଡର ଝଡ଼ରେ ଭାରତ ପରାସ୍ତ

ଗୋଟିଏ ଦିନ ୧୮ ଓ୍ଵିକେଟ୍‌ ପତନ

କେପ୍‌ ଟାଉନ୍‌,: ରବିବାର ବର୍ଷା ଦେଇଥିବା ଆଶା ସୋମବାର ପାଣି ଫୋଟକା ଭଳି ଉଭେଇଗଲା। ଅଭିଜ୍ଞ ଷ୍ଟେନ୍‌ ଆହତ ହୋଇ ବୋଲିଂ କରି ନଥିଲେ, କିନ୍ତୁ ଭାରତକୁ ସମାନ ପୁରୁଣା ଯନ୍ତ୍ରଣା ମିଳିଥିଲା। ଅଠରର ଅଠାକାଠି ଲଢ଼େଇରେ ଗୋଟିଏ ଦିନ ୧୮ ଓ୍ଵିକେଟ୍‌ର ପତନ ଭିତରେ ଭାରତ କେପ୍‌ ଟାଉନ୍‌ ଟେଷ୍ଟ୍‍କୁ ଅପ୍ରତ୍ୟାଶିତ ଭାବେ ୭୨ ରନ୍‌ରେ ହାରିଗଲା। ଗୋଟିଏ ଦିନ ଆଗରୁ ଏହି ଟେଷ୍ଟ୍‍ ଶେଷ ହୋଇଥିଲେ ମଧ୍ୟ ସବୁଠାରୁ ବଡ଼ କଥା ହେଲା ଏହି ଟେଷ୍ଟ୍‍ରେ ଉଭୟ ଦଳ ପ୍ରାୟ ସମତୁଲ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ଓ ବୋଲିଂରେ ସାମାନ୍ୟ ଉନ୍ନତ ଘରୋଇ ଦଳ କିନ୍ତୁ ବାଜି ମାରିନେଲା। ୩ ମ୍ୟାଚ୍‌ ଶୃଙ୍ଖଳାରେ ବି ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଦଳ ୧-୦ରେ ଆଗୁଆ ରହିଲା। ଭର୍ନାନ ଫିଲାଣ୍ଡର ଭାରତ ଦ୍ୱିତୀୟ ପାଳିରେ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର (୧୫.୪-୪-୪୨-୬) ପାଇବା ସହିତ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେଞ୍ଚୁରିଅନ୍‌ରେ ଜାନୁଆରି ୧୩ ତାରିଖରୁ ଦ୍ୱିତୀୟ ଟେଷ୍ଟ୍‍ ଆରମ୍ଭ ହେବ।
ସୋମବାର କେପ୍‌ ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ପଡ଼ିଆରେ ମାତ୍ର ୬୪ ଓଭର ଭିତରେ ୧୮ ଓ୍ଵିକେଟ୍‌ର ପତନ ହିଁ ପିଚ୍‌ ଓ ପାଗର ପ୍ରଭାବର ପ୍ରମାଣ ରଖିଥିଲା। କିନ୍ତୁ ଦ୍ରୁତ ବୋଲିଂର ଭୂସ୍ୱର୍ଗ ପାଲଟିଯାଇଥିଲା ପିଚ୍‌। ସମସ୍ତ ୧୮ ଓ୍ଵିକେଟ୍‌ର ପତନ ଘଟାଇଥିଲେ ଉଭୟ ଦଳର ଦ୍ରୁତ ବୋଲର। ଫଳରେ ନାଟକୀୟ ଭାବେ ଏହି ଟେଷ୍ଟ୍‍ ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଗଲା। ଦକ୍ଷିଣ ଆଫ୍ରିକା ୬୫/୨ରୁ ଖେଳି ପ୍ରଥମେ ୧୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ସୋମବାର ଏବି ଡି’ଭିଲିୟର୍ସ (୩୫, ୫୦ ବଲ୍‌, ୨ ଚୌକା, ୨ ଛକା) ଏବଂ କେଶବ ମହାରାଜ (୧୫)ଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ନ ଥିଲେ। ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ୩-୩ ଏବଂ ଭୁବନେଶ୍ୱର କୁମାର ଓ ହାର୍ଦିକ ପାଣ୍ଡ୍ୟା ୨-୨ ଓ୍ଵିକେଟ୍‌ ଅକ୍ତିଆର କରି ସମାନ ଅବଦାନ ରଖିଥିଲେ।

ତେବେ ପ୍ରଥମ ପାଳିରେ ପାଇଥିବା ୭୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହିଁ ଦକ୍ଷିଣ ଆଫ୍ରିକା ପାଇଁ ବଡ଼ ପୁଞ୍ଜି ଓ ନର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭାରତ ସମ୍ମୁଖରେ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଯିବା ପରେ କୋହଲି ସେନାଠାରୁ କ୍ରିକେଟ୍‌ ପ୍ରଶଂସକ କରିସ୍ମା ଆଶା କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଭଳି ଭାରତ ପାଳି ମଧ୍ୟ ୪୨ ଓଭର ଓ ୧୩୫ ରନ୍‌ରେ ଶେଷ ହୋଇଯାଇଥିଲା। ଭୟଙ୍କର ଭେର୍ନନ୍‌ ଫିଲାଣ୍ଡରଙ୍କ ସୁଇଙ୍ଗ୍‌ ଆଗରେ ଶୋଇ ଯାଇଥିଲେ ଭାରତର ବ୍ୟାଟିଂ ବୀରମାନେ। କୌଣସି ବଲ୍‌କୁ ଖେଳିବା ଲାଗି ଯେଭଳି ସେମାନଙ୍କ ପାଖରେ ଆଦୌ ବ୍ୟାଟ୍‌ ନଥିଲା। ବିରାଟ କୋହଲି (୨୮, ୪୦ ବଲ୍‌)ଙ୍କ ବିଦାୟ ପରେ ଭାରତ ୮୨ ରନରେ ୭ ଓ୍ଵିକେଟ୍‌ ହରାଇ ପରାଜୟକୁ ନିମନ୍ତ୍ରଣ କରିଥିଲା। ଆର୍‌ ଅଶ୍ୱିନ୍‌ (୩୭, ୫୩ ବଲ୍‌, ୫ ଚୌକା) ଏବଂ ଭୁବନେଶ୍ୱର କୁମାର (୧୩, ୪୧ ବଲ୍‌, ୧ ଚୌକା) ଅଷ୍ଟମ ଓ୍ଵିକେଟ୍‌ ପାଇଁ ୪୯ ରନ୍‌ ଯୋଡ଼ିବା ପରେ ଲାଗୁଥିଲା କିଛି କରିସ୍ମା ହୋଇଯିବ। କିନ୍ତୁ ଭେର୍ନନ୍‌ (ଫିଲାଣ୍ଡର)ଙ୍କ ବିଷାକ୍ତ ସୁଇଙ୍ଗ୍‌ ଗୋଟିଏ ଓଭରର ୪ ବଲ୍‌ ଭିତରେ ଭାରତର ଶେଷ ୩ ଓ୍ଵିକେଟ୍‌ (ଅଶ୍ୱିନ୍‌, ସାମି, ବୁମରା)ଙ୍କୁ ଝାମ୍ପି ନେଇଥିଲା। ଫିଲାଣ୍ଡରଙ୍କୁ ଠିକଣା ସହାୟତା କରି ମର୍କେଲ ଓ ରବାଦା ମଧ୍ୟ ୨-୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଚତୁର୍ଥ ଦିନ ଚା’ପାନ ବିରତିର ପରେ ଭାରତ ୪୨.୪ ଓଭରରେ ୧୩୫ ରନ୍‌ର ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଏଥି ସହ ଅଠରର ପ୍ରଥମ ପରୀକ୍ଷାରେ ଭାରତ ଫେଲ୍‌ ହୋଇଗଲା।

ସମ୍ବନ୍ଧିତ ଖବର