ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ୧୯୮୩ ମସିହା ବିଶ୍ବକପ୍ ବିଜୟକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘୮୩’କୁ ନେଇ ତତ୍କାଳୀନ ଅଧିନାୟକ ତଥା କିଂବଦନ୍ତି କ୍ରିକେଟର କପିଳ ଦେବ ଚିନ୍ତା ପ୍ରକଟ କରିଛନ୍ତି। ଆସନ୍ତା ଏପ୍ରିଲ ମାସ ୧୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ସମଗ୍ର ଭାରତୀୟ ଦଳ ଅପେକ୍ଷା ଦର୍ଶକଙ୍କ ନଜର ତାଙ୍କ ଉପରେ ଅଧିକ ରହିବ ବୋଲି ସେ ଆଶଙ୍କା ଜାହିର କରିଛନ୍ତି।
ଏଥିନେଇ କପିଳ କହିଛନ୍ତି ଯେ ମୁଁ ଆଶା କରୁଛି, କେବଳ ମୋ ଉପରେ ଦର୍ଶକଙ୍କ ଧ୍ୟାନ ରହିବ ନାହିଁ। ମୁଁ ସେତେବେଳେ ଅଧିନାୟକ ଥିଲି। ହେଲେ ଦଳରେ ଥିବା ସମସ୍ତ ଖେଳାଳିଙ୍କୁ ସେମାନଙ୍କ ସମ୍ମାନ ମିଳିବା ଦରକାର। ମୁଁ ଭାବୁନି କେବଳ ମୋ ପ୍ରଦର୍ଶନ ବଳରେ ଭାରତ ବିଶ୍ବବିଜୟୀ ହୋଇଥିଲା। ଏହା ଦଳଗତ ପ୍ରଦର୍ଶନର ଫଳ ଥିଲା। ପ୍ରଥମେ ପ୍ରଥମେ ଏହି ଚଳଚ୍ଚିତ୍ରକୁ ନେଇ ମୁଁ ଆଶା ଓ ଆଶଙ୍କାରେ ଥିଲି। ଏହି ଐତିହାସିକ ସଫଳତାକୁ ନିର୍ମାତା କିଭଳି ଭାବେ ପରଦା ଉପରେ ପ୍ରକାଶ କରିବେ ସେ ନେଇ ସବୁବେଳେ ଚିନ୍ତାରେ ରହୁଥିଲି। ସବୁକିଛି ଠିକ୍ ଥିବ ବୋଲି ଆଶା କରୁଛି। ତାଙ୍କ ଲୋକପ୍ରିୟ ନଟରାଜ ସଟ୍କୁ ଚଳଚ୍ଚିତ୍ରର ନାୟକ ରଣବୀର ସିଂହ ଭଲ ଭାବରେ ଖେଳୁଥିବା ନେଇ କପିଳ କିନ୍ତୁ ଖୁସି ଜାହିର କରିଛନ୍ତି।
‘୮୩’ ଚଳିତ ବର୍ଷର ଅନ୍ୟତମ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇଥିଲା ବେଳେ ଏହାର ନିର୍ଦେଶନା କବୀର ଖାନ୍ ଦେଇଛନ୍ତି। ରଣବୀର ସିଂହଙ୍କ ସହ ତାହିର ରାଜ୍ ଭାସିନ, ପଙ୍କଜ ତ୍ରିପାଠୀ, ସକିବ ସଲିମ ଓ ହାର୍ଡି ସାନ୍ଧୁ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ରଣବୀରଙ୍କୁ କପିଳ ନିଜେ କ୍ରିକେଟ୍ କଳା କୌଶଳ ଶିଖାଇଛନ୍ତି।