ନିର୍ଣ୍ଣାୟକ ପରୀକ୍ଷାରେ ଭାରତୀୟ ପୁରୁଷ ଓ ମହିଳା

ଯୁଗଳ ଶୃଙ୍ଖଳା ବିଜୟ ପାଇଁ ଉଭୟ ଦଳକୁ ସୁଯୋଗ

କେପ୍‌ ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଶନିବାର ହେବ ଭାରତୀୟ କ୍ରିକେଟ୍‌ ଦଳର ଯୁଗଳ ପରୀକ୍ଷା। ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ଦଳ ଖେଳିବେ ନିଜ ନିଜ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ନିର୍ଣ୍ଣାୟକ ଶେଷ ମ୍ୟାଚ୍‌। ବିରାଟ କୋହଲି ଏବଂ ହରମନପ୍ରୀତ୍‌ ସିଂହଙ୍କ ଦଳ ପାଇଁ ମଧ୍ୟ ରହିଛି ଶୃଙ୍ଖଳା ସଫଳତାର ସୁବର୍ଣ୍ଣ ସୁଯୋଗ। କୋହଲି ଦଳ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୧ ସ୍ଥିତିରେ ରହିଛି। ଅର୍ଥାତ କୋହଲି ସେନାଙ୍କୁ ବିଜୟ ଜରୁରୀ ରହିଛି। ମହିଳା ଦଳ କିନ୍ତୁ ୨-୧ରେ ଆଗୁଆ ଥିବାରୁ ଶୃଙ୍ଖଳା ହାରିଯିବାର ଆଶଙ୍କା ନାହିଁ। କିନ୍ତୁ ଗୋଟିଏ ଗସ୍ତରେ ଉଭୟ ପୁରୁଷ ଓ ମହିଳା ଦଳ ଦୁଇଟି ଲେଖାଏଁ ଶୃଙ୍ଖଳା ଜିତିବାର ବିରଳ କୀର୍ତିମାନ କରିପାରିବେ। ଦିନିକିଆ ଶୃଙ୍ଖଳାକୁ ଉଭୟ ପୁରୁଷ ଓ ମହିଳା ଦଳ ପୂର୍ବରୁ ଜିତି ଐତିହାସିକ ସଫଳତା ପାଇ ସାରିଛନ୍ତି।

କେପ୍‌ ଟାଉନ୍‌ରେ ଖେଳିବେ ପୁରୁଷ ଦଳ। ଜୋହାନେସ୍‌ବର୍ଗରେ ଭାରତ ୨୮ ରନ୍‌ରେ ଜିତିବା ପରେ ସେଞ୍ଚୁରିଅନ୍‌ରେ ଘରୋଇ ଦଳ ବୁଧବାର ରାତିରେ ୬ ଓ୍ଵିକେଟ୍‌ରେ ଜିତି ଯାଇଥିଲା। ଏବେ ଶନିବାର ଶୃଙ୍ଖଳା ଭାଗ୍ୟ ନିର୍ଣ୍ଣାୟକ ମ୍ୟାଚ୍‌ ନ୍ୟୁଲାଣ୍ଡ୍‌ସରେ ଖେଳାଯିବାକୁ ଯାଉଛି। ଏହି ପଡ଼ିଆରେ ଭାରତ ପୂର୍ବରୁ କେବେ ବି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିନାହିଁ। ଅନ୍ୟପକ୍ଷରେ ଏହି ପଡ଼ିଆ ଦକ୍ଷିଣ ଆଫ୍ରିକା ପାଇଁ ସ୍ୱଳ୍ପ ସଫଳତା ପଡ଼ିଆର ଦୁର୍ନାମ ରଖିଛି। ଘରୋଇ ଦଳ ଏଠାରେ ୮ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫ଟି ହାରିଯାଇଛି। ଏହା ମଧ୍ୟରେ ଘରୋଇ ଦଳ ୨୦୦୭ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ରେ ୨ଟି ଜିତିଥିଲା। ଦ୍ୱିପାକ୍ଷିକ ମୁକାବିଲା ଦେଖିଲେ ଏକମାତ୍ର ବିଜୟ ଦଳ ୨୦୧୬ ମସିହାରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲା। ତେବେ ଭାରତ ପାଇଁ ଏହା କିଛି ଫାଇଦା ଦେବାର ନାହିଁ। କାରଣ ସୀମିତ ଓଭରରେ, ବିଶେଷ କରି ଟେ୍ଵଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ଅଧିକ ଆରାମଦାୟକ ଦଳ। ବର୍ଷା ବାଧାପ୍ରାପ୍ତ କାଣ୍ଟଛାଣ୍ଟ ଗୋଲାପୀ ଦିନିକିଆକୁ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ସେହି ଓ୍ଵଣ୍ଡରର୍ସରେ ଅନୁଷ୍ଠିତ ପ୍ରଥମ ଟେ୍ଵଣ୍ଟି-୨୦ରେ ୨୦୪ ରନ୍‌କୁ ପିଛା କରି ପ୍ରାୟ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଏବେ ସେଞ୍ଚୁରିଅନରେ ପାଇଥିବା ପୂର୍ବ ମ୍ୟାଚ୍‌ ବିଜୟ ଘରୋଇ ଦଳର ଆତ୍ମବିଶ୍ୱାସକୁ ବଢ଼ାଇଛି। ଅଧିନାୟକ ଜେପି ଡୁମିନି ମଧ୍ୟ କରିଥିବା ଯୋଜନା ସେଠାରେ କାମ କରିଥିଲା ବୋଲି ସେ ସୂଚନା ଦେଇଥିଲେ। ସୁପରସ୍ପୋର୍ଟସ ପାର୍କରେ ଦକ୍ଷିଣ ଆଫ୍ରିକା କୌଣସି ଖେଳାଳିଙ୍କୁ ପରିବର୍ତନ କରିବା ସମ୍ଭାବନା କମ୍‌। ୟୁଜବେନ୍ଦ୍ର ଚହଲ ୮ ଓଭରରେ ୧୦୩ ରନ୍‌ ବିନିମୟରେ ଗୋଟିଏ ଓ୍ଵିକେଟ୍‌ ନେବା ଏବଂ ଜୟଦେବ ଉନାଦକତ୍‌ ୯.୭୮ ହାରରେ ୭୫ ରନ୍‌ ଦେଇ ୨ ଓ୍ଵିକେଟ୍‌ ପାଇବା ଭାରତର ଚିନ୍ତା ବଢ଼ାଇଛି। ସେ ଦୃଷ୍ଟିରୁ ବିରାଟ କୋହଲିଙ୍କୁ ପୁଣି ଥରେ ବୋଲିଂ ବିଭାଗ ଉପରେ ବିଶେଷ ନଜର ପକାଇବକୁ ପଡ଼ିବ। କେପ୍‌ଟାଉନର ନ୍ୟୁଲାଣ୍ଡ୍‌ସ ପିଚ୍‌ ପାରମ୍ପରିକ ଭାବେ ମନ୍ଥର ରହୁଥିବାରୁ ଶନିବାର ମଧ୍ୟ ଏଭଳି ବ୍ୟବହାର ମିଳିବା ଆଶା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଭାରତ ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଏକମାତ୍ର ପରିବର୍ତନ ଭାବେ ଖେଳାଇବା ସମ୍ଭାବନା ରହିଛି। ଟେଷ୍ଟ୍‍ ଶୃଙ୍ଖଳା ହାରିଯିବା ପରେ ଦିନିକିଆରେ ୫-୧ ବିଜୟ ପାଇଥିବା ଭାରତୀୟ ଦଳ ଏବେ ନିଶ୍ଚିତ ଟେ୍ଵଣ୍ଟି-୨୦ ଗୌରବ ଲକ୍ଷ୍ୟରେ ରହିବ। ପେଟ ସମସ୍ୟା ପାଇଁ ଗତ ମ୍ୟାଚ୍‌ ଖେଳି ନ ଥିବା ଯଶପ୍ରୀତ ବୁମରାଙ୍କ ଫେରିବା ନିଶ୍ଚିତ ରହିଛି। ତାଙ୍କ ପାଇଁ ଜୟଦେବ ଉନାଦକତ୍‌ କିମ୍ବା ସାର୍ଦୁଲ ଠାକୁର ବାହାରକୁ ଯିବେ। ସେହିଭଳି ମହଙ୍ଗା ହେଉଥିବା ଚହଲଙ୍କ ବଦଳରେ କୁଲଦୀପ ଖେଳିବା ଯୋଜନା ରହିଛି।

କେପ୍‌ ଟାଉନ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଦଳର ସଫଳତା ୩-୧୨ ରହିଛି। ସେହିଭଳି ୧୫୪ ରନ୍‌ ହେଉଛି ସର୍ବନିମ୍ନ ସୁରକ୍ଷିତ ରହିଥିବା ସ୍କୋର୍‌। ପଡ଼ିଆରେ ଦକ୍ଷିଣ ଆଫ୍ରିକା ଶେଷ ୬ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରୁ ମାତ୍ର ଗୋଟିଏ ଜିତିଛି ଇଂଲଣ୍ଡ ବିପକ୍ଷରେ (୨୦୧୬)। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଅଧୀନରେ ଭାରତ ଏ ପର୍ଯ୍ୟନ୍ତ ଦୁଇରୁ ଅଧିକ ମ୍ୟାଚ୍‌ ଥିବା କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳା ହାରିନାହିଁ।

ଅନ୍ୟପକ୍ଷରେ ମହିଳା ଦଳର ଶୃଙ୍ଖଳା ଭାଗ୍ୟ ମଧ୍ୟ ଶନିବାର ଶେଷ ହୋଇଯିବ। ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ଏବେ ୫ ମ୍ୟାଚ୍‌ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ପ୍ରଥମ ଦୁଇଟି ଭାରତ ଜିତିଯିବା ପରେ ତୃତୀୟଟି ଦକ୍ଷିଣ ଆଫ୍ରିକା ଜିତିଥିଲା। ଚତୁର୍ଥଟି ବର୍ଷା ଅଧାରୁ ଧୋଇ ନେଇଥିଲା। ହରମନପ୍ରୀତ୍‌ଙ୍କ ଦଳ ଏହାର ଦୁଇ ବରିଷ୍ଠ ବ୍ୟାଟର୍‌ ମିତାଲି ରାଜ ଏବଂ ସ୍ମୃତି ମାନ୍ଧାନାଙ୍କ ସଫଳତା ଉପରେ ନିର୍ଭର କରିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ସୁରେଶ ରାଇନା, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା, ଜୟଦେବ ଉନାତକତ୍‌, ସାର୍ଦୁଲ ଠାକୁର।
ଦକ୍ଷିଣ ଆଫ୍ରିକା ଦଳ: ଜେପି ଡୁମିନି (ଅଧିନାୟକ), ଫାରହାନ୍‌ ବେହାରଦିନ୍‌, ଜୁନିଅର ଡାଲା, ରିଜା ହେଣ୍ଡ୍ରିକ୍‌ସ, କ୍ରିଷ୍ଟିଆନ୍‌ ଜୋଙ୍କର୍‌, ହେନରିକ୍‌ କ୍ଲାସେଁ (ଓ୍ଵିକେଟରକ୍ଷକ), ଡେଭିଡ୍‌ ମିଲର୍‌, କି୍ରସ୍‌ ମୋରିସ୍‌, ଡେନ୍‌ ପାଟରସନ୍‌, ଆରୋନ୍‌ ଫାଙ୍ଗିସୋର, ଆନ୍ଦିଲ୍‌ ଫେଲୁକ୍ୱାୟୋ, ତାବ୍ରିଜ୍‌ ସାସ୍‌ମୀ, ଜନ୍‌ ସ୍ମଟ୍‌ସ।

ସମ୍ବନ୍ଧିତ ଖବର