ଭୁବନେଶ୍ୱର: ଚଳିତ ରଣଜୀ ଋତୁର ପ୍ରଥମ ଦୁଇ ମ୍ୟାଚ୍ରୁ ମାତ୍ର ଦୁଇ ପଏଣ୍ଟ ଅର୍ଜନ କରିଥିବା ଓଡ଼ିଶା କ୍ରିକେଟ୍ ଦଳ ଆଉ ଏକ ଅଗ୍ନି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବୁଧବାରଠାରୁ କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ରଣଜୀ ଇତିହାସର ସଫଳତମ ଦଳ ମୁମ୍ବାଇର ମୁକାବିଲା କରିବ। ମୁମ୍ବାଇକୁ ଓଡ଼ିଶା କେବେବି ହରାଇ ନାହିଁ। ତଥାପି ଘରୋଇ ପରିବେଶରେ ଏହି ଧାରା ବଦଳାଇବା ଏବଂ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ପାଇଁ ଏକ ଭଲ ସୁଯୋଗ ରାଜ୍ୟ ଦଳ ପାଖରେ ଉପନୀତ ହୋଇଛି। ତେବେ ତ୍ରିପୁରା ବିପକ୍ଷ ମ୍ୟାଚ୍ ବର୍ଷାରେ ଧୋଇଯିବା ଏବଂ ଆନ୍ଧ୍ର ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶାର ପ୍ରଦର୍ଶନକୁ ଦେଖିଲେ ଏହା ନିଶ୍ଚିତ ଭାବେ କାଠିକର ପାଠ ହେବ। ଆନ୍ଧ୍ରଠାରୁ ଫଲୋଅନ୍ ହୋଇ ଅଳ୍ପକେ ପରାଜୟରୁ ବର୍ତି ଯାଇଥିବା ଓଡ଼ିଶା ଶକ୍ତିଶାଳୀ ମୁମ୍ବାଇ ବିପକ୍ଷରେ ବିଜୟୀ କିମ୍ବା ପାଳି ଅଗ୍ରଣୀ ଲାଭ କଲେ ଏହାକୁ ନିଶ୍ଚିତ ଭାବେ ଏକ ବଡ଼ ସଫଳତା ଭାବେ ବିବେଚନା କରାଯିବ। ଏକାଧିକ ଅନ୍ତର୍ଜାତୀୟ ଖେଳାଳି ଥିବା ମୁମ୍ବାଇ ଏହି ସୁଯୋଗ ସହଜରେ ଦେବା ଆଶା ଅତି କ୍ଷୀଣ।
ଗ୍ରୁପ୍-ସିରେ ସ୍ଥାନ ପାଇଥିବା ଉଭୟ ଓଡ଼ିଶା ଓ ମୁମ୍ବାଇ କିନ୍ତୁ ଆଶା ଜନକ ଆରମ୍ଭ ପାଇ ନାହାନ୍ତି। ପାରମ୍ପରିକ ଭାବେ ଏକ ବଡ଼ ରଣଜୀ ଶକ୍ତି ଭାବେ ପରିଚିତ ହୋଇ ଆସୁଥିବା ମୁମ୍ବାଇ ତା’ର ପ୍ରଥମ ଦୁଇ ମ୍ୟାଚ୍ରେ ବିଜୟର ସ୍ୱାଦ ଚାଖି ନାହିଁ। ଇନ୍ଦୋରରେ ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ମୁକାବିଲାରେ ପାଳି ଅଗ୍ରଣୀ ଆଧାରରେ ୩ ପଏଣ୍ଟ ଅର୍ଜନ କରି ମୁମ୍ବାଇ ଅଭିଯାନ ଆରମ୍ଭ କରିଥିଲା। ହେଲେ ଘରୋଇ ପରିବେଶରେ ତାମିଲନାଡୁ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଏହି ସଫଳତା ଦୋହରାଇ ନଥିଲା। ତାମିଲନାଡୁର ପଲ୍ଲା ପୂରା ଭାରି ରହିଥିଲା। ପ୍ରଥମ ପାଳିରେ ପଛୁଆ ରହି ମୁମ୍ବାଇ ମାତ୍ର ୧ ପଏଣ୍ଟ ପାଇଥିଲା। ଉଭୟ ମ୍ୟାଚ୍ ଅମୀମାଂସିତ ରହିଥିଲା।
ଘରୋଇ ଋତୁର ଦୁଇଟି ଲେଖାଏଁ ମ୍ୟାଚ୍ ପରେ ଓଡ଼ିଶା ଏବେ ୨ ପଏଣ୍ଟରେ ଅଛି। ଅନ୍ୟପକ୍ଷରେ ୪୧ଥର ବିଜେତା ମୁମ୍ବାଇ ୪ ପଏଣ୍ଟ ପାଇଛି। ୮ ଦଳୀୟ ଗ୍ରୁପ୍-ସି ପଏଣ୍ଟ ତାଲିକାରେ ମୁମ୍ବାଇ ଚତୁର୍ଥ ସ୍ଥାନରେ ଥିଲା ବେଳେ ଓଡ଼ିଶା ତା’ର ଠିକ୍ ତଳକୁ ଅର୍ଥାତ୍ ପଞ୍ଚମ ସ୍ଥାନରେ ରହିଛି। ଦୁଇ ଦଳର ବ୍ୟାଟିଂ ପ୍ରଦର୍ଶନରେ କିନ୍ତୁ ବଡ଼ ଧରଣର ବ୍ୟବଧାନ ରହିଛି। ପ୍ରଥମ ଦୁଇ ମ୍ୟାଚ୍ରେ ମୁମ୍ବାଇର ୪ ଜଣ ଖେଳାଳି (ଜୟ ଗୋକୁଳ ବିସ୍ତ, ଅଖିଳ ହରଓ୍ଵାଦେକର, ଶ୍ରେୟସ୍ ଆୟର, ପୃଥ୍ଵୀ ସ’) ଶତକ ଅର୍ଜନ କରିଛନ୍ତି। ଅନ୍ୟ ପକ୍ଷରେ ତ୍ରିପୂରା ବିପକ୍ଷ ପ୍ରଥମ ମୁକାବିଲାରେ ବର୍ଷା ପାଇଁ ମାତ୍ର ୫ ଓଭର ବ୍ୟାଟିଂ କରିଥିବା ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିପକ୍ଷ ମୁକାବିଲାର ପ୍ରଥମ ପାଳିରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଏକମାତ୍ର ଶତକ ଅର୍ଜନ କରିଥିଲେ। ଯୁବ ତାରକା ଶୁଭ୍ରାଂଶୁ ସେନାପତି (୯୧) ଶତକରୁ ବଞ୍ଚିତ ହୋଇଥିଲା ବେଳେ ଉଭୟ ପାଳିରେ ଅର୍ଧଶତକ ଅର୍ଜନ କରି ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ପରାଜୟ ଟାଳି ଦେଇଥିଲେ। ବୋଲିଂକୁ ଦେଖିଲେ ଉଭୟ ଓଡ଼ିଶା ଓ ମୁମ୍ବାଇ ବୋଲର ପ୍ରଥମ ଦୁଇ ମ୍ୟାଚ୍ରେ ଠିକ୍ ଠାକ୍ ବୋଲିଂ କରିଛନ୍ତି।
ମୁମ୍ବାଇ ବ୍ୟାଟିଂର ମେରୁଦଣ୍ଡ ଶ୍ରେୟସ୍ ଆୟର ଭାରତୀୟ ଟେ୍ଵଣ୍ଟି-୨୦ ଦଳରେ ସ୍ଥାନ ପାଇଥିବାରୁ ଓଡ଼ିଶା ବିରୋଧରେ ଖେଳିବେ ନାହିଁ। ହେଲେ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଏବଂ ଦ୍ରୁତ ବୋଲର ସାର୍ଦୁଲ ଠାକୁର ନ୍ୟୁଜିଲାଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦ରେ ଖେଳୁ ନଥିବାରୁ ମୁମ୍ବାଇ ଏହି ଦୁଇ ଜଣକୁ ନିଜ ଦଳରେ ସାମିଲ କରିଛି। ଫଳରେ ତୁଳନାତ୍କକ ଭାବେ ଏହି ଦଳର ଶକ୍ତି ବଢ଼ିଛି। କାଗଜ କଲମ ଏବଂ ପରିସଂଖ୍ୟାନ ଦୃଷ୍ଟିରୁ ଓଡ଼ିଶାଠାରୁ ମୁମ୍ବାଇ ଢେର ଆଗରେ ରହିଛି। ହେଲେ ଘରୋଇ ପରିବେଶ ଏବଂ ଘରୋଇ ସମର୍ଥକଙ୍କ ଗହଣରେ ଓଡ଼ିଶା ଏହି ଦଳକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। କିଟ୍ ଷ୍ଟାଡିୟମରେ ମୁମ୍ବାଇ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛି। ଏହି ଷ୍ଟାଡିୟମରେ ଖେଳା ଯାଇଥିବା ରଣଜୀ ମ୍ୟାଚ୍ ସଂଖ୍ୟା ବୁଧବାର ଅଧଡଜନେ ଛୁଇଁବ। ଗତ ବର୍ଷ ଏଠାରେ ତିନିଟି ରଣଜୀ ମ୍ୟାଚ୍ ଖେଳା ଯାଇଥିଲା। ସେହିଭଳି ୨୦୧୫-୧୬ ଋତୁରେ ପ୍ରଥମ ଥର ପାଇଁ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
ଶାନ୍ତନୁଙ୍କୁ ମିଳିବ ସୁଯୋଗ
ଅନ୍ଧ୍ର ମ୍ୟାଚ୍ର ଉଭୟ ପାଳିରେ ବିଫଳ ହୋଇଥିବା ଅବିନାଶ ସାହା ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି। ସେଥିପାଇଁ ମୁମ୍ବାଇ ମ୍ୟାଚ୍ରେ ଶାନ୍ତନୁ ମିଶ୍ର ତାଙ୍କ ସ୍ଥାନରେ ଖେଳିବେ ବୋଲି ଓଡ଼ିଶା ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଶିବ ସୁନ୍ଦର ଦାସ ସୂଚନା ଦେଇଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ଶାନ୍ତନୁ ଚଳିତ ଋତୁରେ ପ୍ରଥମ ଥର ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ। ବୁଧବାର ଚୂଡ଼ାନ୍ତ ଦଳରେ ରହିଲେ ରଣଜୀ ଜୀବନ ଆରମ୍ଭ କରିବେ। ଏହାକୁ ଛାଡ଼ି ଓଡ଼ିଶା ଦଳରେ ଅନ୍ୟ କୌଣସି ବଡ଼ ଧରଣର ପରିବର୍ତନ ହେବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରି ଦେଇଛନ୍ତି। ଅଭିଜ୍ଞ ତାରକା ନଟରାଜ ବେହେରାଙ୍କ ଉପରେ ସେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ନଟରାଜ ଜଣେ ଉଚ୍ଚକୋଟୀର ଖେଳାଳି। ଗୋଟିଏ ମ୍ୟାଚ୍ର ବିଫଳତାରୁ ତାଙ୍କ ପ୍ରତିଭାକୁ ତଉଲା ଯାଇ ପାରିବ ନାହିଁ ବୋଲି ଶିବ କହିଛନ୍ତି। ସେଥିପାଇଁ ବୁଧବାର ସେ ଚୂଡ଼ାନ୍ତ ଏକାଦଶରେ ରହିବା ସମ୍ଭାବନା ଅଧିକ। ନୂଆ ମୁହଁ ଭାବେ ସାମିଲ ହୋଇଥିବା ପ୍ରୟାସ ସିଂହ ଠାକୁରଙ୍କୁ କିନ୍ତୁ ପଦାର୍ପଣ ଲାଗି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ୨୩ ବର୍ଷରୁ କମ୍ ଦଳକୁ ଫେରି ଯାଇଥିବା ଶୁଭମ ନାୟକଙ୍କ ସ୍ଥାନ ଅରବିନ୍ଦ ସିଂହ ନେଇ ପାରନ୍ତି।
ଜୋରଦାର ଟକ୍କର ଦେବୁ: ଶିବସୁନ୍ଦର
ଚଳିତ ଋତୁର ଏହି ତୃତୀୟ ମ୍ୟାଚ୍ରେ ଓଡ଼ିଶା ଭଲ କରିବ ବୋଲି ଓଡ଼ିଶା ପ୍ରଶିକ୍ଷକ ଶିବ ସୁନ୍ଦର ଦାସ ଆଶାବାଦୀ ଅଛନ୍ତି। ମୁମ୍ବାଇ ଦଳରେ ବହୁ ଅନ୍ତର୍ଜାତୀୟ ଖେଳାଳି ଥିଲେ ମଧ୍ୟ ଓଡ଼ିଶା ନିଜ ମୌଳିକତା ଉପରେ ଧ୍ୟାନ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ଟେଷ୍ଟ୍ କ୍ରିକେଟ୍ର ଶ୍ରୀ ଦାସ କହିଛନ୍ତି ଯେ ଆମେ ଭଲ ପ୍ରସ୍ତୁତି କରିଛୁ। ଆତ୍ମବିଶ୍ୱାସ ବି ଅଛି। ଅତୀତରେ ଆମେ ବେଙ୍ଗଲ, କର୍ଣ୍ଣାଟକ, ପଞ୍ଜାବ ଭଳି ବଡ଼ ଦଳକୁ ହରାଇଛୁ। ଏଣୁ ମୁମ୍ବାଇକୁ ଜୋରଦାର ଟକ୍କର ଦେବୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ। ନଟରାଜ ବେହେରା ଏହି ମ୍ୟାଚ୍ରେ ଲୟକୁ ଫେରିବେ ବୋଲି ଆଶା କରୁଛୁ। ଯୋଜନାର ସଫଳ ରୂପାୟନ କରିପାରିଲେ ଆମ ପାଇଁ ନିଶ୍ଚିତ ଭାବେ ସୁଯୋଗ ରହିବ। ଗତ ଦୁଇ ମ୍ୟାଚ୍ରେ ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି ଏବଂ ବିପ୍ଳବ ଭଲ କରିଥିଲେ। ମୁମ୍ବାଇ ମ୍ୟାଚ୍ରେ ନଟରାଜ ସେମାନଙ୍କ ସହ ଯୋଗ ଦେବେ ବୋଲି ଭାବୁଛି। ପିଚ୍ ଭଲ ରହିଛି। ଆମ ପାଖରେ ଭଲ ବୋଲର ଅଛନ୍ତି। ମୁମ୍ବାଇର ପ୍ରତି ଖେଳାଳିଙ୍କ ପାଇଁ ଅଲଗା ଅଲଗା ଯୋଜନା ପ୍ରସ୍ତୁତ କରିଛୁ। ଆଶା କରୁଛି ଏସବୁ କାମରେ ଆସିବ।
ସର୍ବାଧିକ ପଏଣ୍ଟ ନେବାକୁ ଚେଷ୍ଟା କରିବୁ: ତାରେ
ଓଡ଼ିଶା ମ୍ୟାଚ୍କୁ ଏକ ସୁଯୋଗ ଭାବେ ନେଇଛନ୍ତି ମୁମ୍ବାଇ ଅଧିନାୟକ ସାର୍ଦୁଲ ଠାକୁର। ଏହି ମ୍ୟାଚ୍କୁୁ କଳେ ବଳେ ଜିତିବାକୁ ସେ ଲକ୍ଷ୍ୟ କରିଛନ୍ତି। ଏଥିନେଇ ମଙ୍ଗଳବାର ସେ କହିଛନ୍ତି ଯେ ସକାରାତ୍ମକ କ୍ରିକେଟ୍ ଖେଳି ସର୍ବାଧିକ ପଏଣ୍ଟ ନେବା ଆମର ଲକ୍ଷ୍ୟ ରହିବ। ତଦନୁଯାୟୀ ଆମେ ରଣନୀତି ପ୍ରସ୍ତୁତ କରିଛୁ। ଶ୍ରେୟସଙ୍କୁ ନ ପାଇବା ଏକ ବଡ଼ କ୍ଷତି। ହେଲେ ରାହାଣେ ଫେରିବା ପରେ ଆମର ବ୍ୟାଟିଂ ଶକ୍ତି ବଢ଼ିଛି। ସାର୍ଦୁଲଙ୍କ ପାଇବା ମଧ୍ୟ ଆମ ପାଇଁ ଏକ ବଡ଼ ବୋନସ ହୋଇଛି। ତାଙ୍କ ପାଇଁ ଆମେ ପ୍ରତିପକ୍ଷ ଉପରେ ଅତିରିକ୍ତ ଚାପ ପକାଇ ପାରିବୁ ବୋଲି ଭାବୁଛି। ପିଚ୍ ବେଶ୍ ଭଲ ରହିଛି। ଆମେ ଏଠାରେ ଭଲ ଖେଳିବୁ ବୋଲି ଭାବୁଛି। ଓଡ଼ିଶା ଏକ ଭଳ ଦଳ। ସେମାନେ ସବୁବେଳେ ଭଲ ଖେଳି ଆସିଛନ୍ତି। ଶେଷ ଥର ପାଇଁ ଆମେ ସେମାନଙ୍କୁ ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ଭେଟିଥିଲୁ। ଶତ ଚେଷ୍ଟା ପରେ ମଧ୍ୟ ହରାଇ ପାରି ନଥିଲୁ। ଏଣୁ ଏଥର ବି ଆମେ ଓଡ଼ିଶାକୁ ହାଲକା ଭାବେ ନେବୁ ନାହିଁ।
ରାହାଣେ, ସାର୍ଦୁଲଙ୍କ ପାଇଁ ବଢ଼ିଛି ମୁମ୍ବାଇ ଶକ୍ତି
ଓଡ଼ିଶା ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇ ଦୁଇ ଅନ୍ତର୍ଜାତୀୟ ତାରକା ଅଜିଙ୍କ୍ୟ ରାହାଣେ ଏବଂ ସାର୍ଦୁଲ ଠାକୁରଙ୍କୁ ନିଜ ଦଳରେ ସାମିଲ କରିଛି। ସେହିଭଳି ଏହି ଦଳରେ ଅଭିଷେକ ନାୟାର, ପୃଥ୍ଵୀ ସ’ଙ୍କ ଭଳି ଖେଳାଳି। ଅଖିଳ ଅଛନ୍ତି। ହରଓ୍ଵାଦେକର ବି ଭଲ ଲୟରେ ଅଛନ୍ତି। ଜୟ ଗୋକୁଳ ବିସ୍ତ ମଧ୍ୟପ୍ରଦେଶ ବିପକ୍ଷରେ ଶତକ ଅର୍ଜନ କରିଥିଲେ ମଧ୍ୟ ରାହାଣେ ଫେରିବା ପରେ ସେ ଓଡ଼ିଶା ବିପକ୍ଷରେ ଖେଳିବାର ସମ୍ଭାବନା କମ୍। ଅଧିନାୟକ ଆଦିତ୍ୟ ତାରେ ଏହି ସଂକେତ ଦେଇଛନ୍ତି। ରାହାଣେଙ୍କ ସହ ସାର୍ଦୁଲ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିବେ ବୋଲି ସେ କହିିଛନ୍ତି।
ଆକର୍ଷଣରେ ପୃଥ୍ଵୀ ସ’
ମୁମ୍ବାଇ ଦଳରେ ବହୁ ତାରକା ଖେଳାଳି ଥିଲେ ମଧ୍ୟ ଆକର୍ଷଣରେ ରହିଛନ୍ତି ୧୭ ବର୍ଷୀୟ ତାରକା ପୃଥ୍ଵୀ ସ’। ୨୦୧୩ ମସିହାରେ ବିଦ୍ୟାଳୟ ସ୍ତରୀୟ କ୍ରିକେଟରେ ୫୦୧ ରନ୍ର ପାଳି ଖେଳିଥିବା ସ’ ଚଳିତ ଋତୁରେ ଗୋଟିଏ ଶତକ ଅର୍ଜନ କରି ସାରିଛନ୍ତି। ଏହି ୧୭ ବର୍ଷୀୟ ତାରକା ବ୍ୟାଟିଂ ସହ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ କରନ୍ତି। ଏଣୁ ଅନେକ ସମୟରେ ତାଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଏ। ମଙ୍ଗଳବାର ଅଭ୍ୟାସ କରୁଥିଲା ବେଳେ ଏହି କିଶୋର କ୍ରିକେଟରଙ୍କ କ୍ରିକେଟ୍ ଦକ୍ଷତା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା। ଗତ ଜାନୁଆରିରେ ରଣଜୀ ସେମିଫାଇନାଲରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ଦ୍ୱିତୀୟ ପାଳିରେ ଶତକ ଅର୍ଜନ କରିବା ସହ ସ’ ସେହି ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେ ମଧ୍ୟ ନିଜ ପଦାର୍ପଣ ଦିଲୀପ ଟ୍ରଫି ମ୍ୟାଚ୍ରେ ଶତକ ଅର୍ଜନ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଥିଲେ। ସ’ ୧୯୯୯ ମସିହା ନଭେମ୍ବର ୯ ତାରିଖରେ ମୁମ୍ବାଇର ଥାନେଠାରେ ଜନ୍ମ ଗ୍ରହଣ କରିଥିଲେ।