ନୂଆଦିଲ୍ଲୀ: ଭାରତୀୟ ହକି ଦଳର ଅଧିନାୟକ ହର୍ମନ୍‌ପ୍ରୀତ ସିଂହ ଏଫ୍‌ଆଇଏଚ୍‌ ବର୍ଷର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ମଙ୍ଗଳବାର ପୁରସ୍କାର ଦୌଡ଼ରେ ଥିବା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ହର୍ମନ୍‌ପ୍ରୀତଙ୍କ ସହ କିଂବଦନ୍ତି ଗୋଲରକ୍ଷକ ପିଆର୍‌ ଶ୍ରୀଜେଶଙ୍କ ନାମ ମଧ୍ୟ ରହିଛି। ଶ୍ରୀଜେଶ ‌ବର୍ଷର ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଦୌଡ଼ରେ ରହିଛନ୍ତି। ପ୍ରତ୍ୟେକ ମହାଦେଶର ଅଭିଜ୍ଞ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କୁ ନେଇ ଗଠିତ କମିଟି ପୁରସ୍କାର ଲାଗି ଖେଳାଳି ମନୋନୀତ କରିଛନ୍ତି।

Advertisment

ଏହି କମିଟି ୨୦୨୪ର ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଦର୍ଶନ ଆଧାରରେ ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ପ୍ୟାରିସ୍‌ ଅଲିମ୍ପିକ୍ସ ସାମିଲ ରହିଛି। ଏହି ମ‌ନୋନୀତ ଖେଳାଳି ଭୋଟିଂ ଦ୍ବାରା ପୁରସ୍କାର ଲାଗି ଚୟନ ହେବେ। ଜାତୀୟ ସଂଘ ପାଇଁ ଭୋଟିଂ ପ୍ରକ୍ରିୟା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ସଂପୃକ୍ତ ଜାତୀୟ ଦଳର ଅଧିନାୟକ, ପ୍ରଶିକ୍ଷକଙ୍କ ସହ ପ୍ରଶଂସକ, ଖେଳାଳି, ଅଧିକାରୀ ଓ ଗଣମାଧ୍ୟମ ଭୋଟ୍‌ ଦେଇପାରିବେ।  

ପ୍ୟ‌ାରିସ୍‌ ଅଲିମ୍ପିକ୍ସରେ ଭାରତର କାଂସ୍ୟ ବିଜୟରେ ହର୍ମନ୍‌ପ୍ରୀତ ଓ ଶ୍ରୀଜେଶଙ୍କ ପ୍ରମୁଖ ଯୋଗଦାନ ରହିଥିଲା। ହର୍ମନପ୍ରୀତ ୧୦ ଗୋଲ୍‌ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହର୍ମନ୍‌ପ୍ରୀତ ‌ବର୍ଷର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ନେଦରଲାଣ୍ଡ୍‌ସର ଥିଏରି ବ୍ରିଙ୍କମାନ, ହୋଏପ ଡି’ମୋଲ, ଜର୍ମାନୀର ହାନେଓ ମୁଲେର ଓ ଇଂଲଣ୍ଡର ଜାକ ୱାଲା‌ସ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଦୌଡ଼ରେ ଶ୍ରୀଜେସଙ୍କ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି ନେଦରଲାଣ୍ଡ୍‌ସର ପିରମିନ୍‌ ବ୍ଲାକ୍‌, ସ୍ପେନ୍‌ର ଲୁଇସ କାଲ୍‌ଜାଡୋ, ଜର୍ମାନୀର ଜିନ୍‌-ପଲ୍‌ ଡାନେବର୍ଗ ଓ ଆର୍ଜେଣ୍ଟିନାର ତୋମାସ ସାଣ୍ଟିଆଗୋ।