ରାକେଶଙ୍କୁ ମିଳିଲା ନ୍ୟାୟ

ଭାରତୀୟ ରାଜ୍ୟଗୋଷ୍ଠୀ ଦଳରେ ସାମିଲ

ଭୁବନେଶ୍ୱର: ଚାରିଆଡ଼ୁ ସମର୍ଥନର ସୂଅ ଛୁଟିବା ପରେ ଓଡ଼ିଆ ଜିମ୍ନାଷ୍ଟିକ୍ସ ତାରକା ରାକଶ କୁମାର ପାତ୍ରଙ୍କୁ ଶେଷରେ ନ୍ୟାୟ ମିଳିଛି। ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ରାକେଶ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ରିଙ୍ଗ୍ସ ଏବଂ ପାରାଲାଲ ବାର୍‌ରେ ଭାରତର ପ୍ରତିନିଧିତ୍ୱ କରିବେ। ମେଲମର୍ନରେ ଆୟୋଜିତ ବିଶ୍ୱକପ୍‌ରେ ଚତୁର୍ଥ ସ୍ଥାନ ପାଇବା ସତ୍ତ୍ୱେ ତାଙ୍କୁ ଭାରତୀୟ ଦଳରୁ ବାଦ ଦେବା ଲାଗି ଷଡ଼ଯନ୍ତ୍ର ହୋଇଥିଲା। ଯାହାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଅଲିମ୍ପିକ୍ସ ପଦକ ବିଜେତା ଗଗନ ନାରଙ୍ଗ ଏବଂ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘର ସଂପାଦକ ଅଶୋକ ସାହୁ ତୀବ୍ର ବିରୋଧ କରିଥିଲେ। ସମ୍ବାଦରେ ମଧ୍ୟ ଗତ ଦୁଇ ଦିନ ହେବ ଏଥିନେଇ ଖବର ପ୍ରକାଶ ପାଇଥିଲା। ଶେଷରେ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ମହାସଂଘ ମାମଲାରେ ହସ୍ତକ୍ଷେପ କରିଥିଲା। ଏହା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ ଓ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧୀକରଣ) ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ଏବେ ତାଙ୍କୁ ଅନ୍ୟ ୬ ଜଣଙ୍କ ସହ ଭାରତୀୟ ଦଳରେ ସ୍ଥାନ ମିଳିଛି। ଯାହା ଓଡ଼ିଶା କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜିମ୍ନାଷ୍ଟିକ୍ସ ସଂଘ ଏକ ୭ ଜଣିଆ ତାଲିକା ପ୍ରସ୍ତୁତ କରିଥିଲା। ଯେଉଁଥିରେ ରିଙ୍ଗସ ଓ ପାରାଲାଲ୍‌ ସ୍ପେଶାଲିଷ୍ଟ୍‍ ରାକେଶ ପାତ୍ରଙ୍କ ନାମ ରଖାଯାଇ ନଥିଲା। ସେହିଭଳି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଧ୍ୟ ଏକ ଚୟନ ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ରାକେଶ ରିଙ୍ଗ୍‌ସ ଓ ପାରାଲେଲ୍‌ରେ ପ୍ରଥମ ସ୍ଥାନରେ ରହିବା ସହିତ ହରାଇଜଣ୍ଟାଲ୍‌ରେ ତୃତୀୟ ହୋଇଥିଲେ। କିନ୍ତୁ ଅନ୍ୟ ୩ଟିରେ ଭାଗ ନେଇନଥିଲେ। ଏହା ବାଧ୍ୟତାମୂଳକ ନ ଥିବାବେଳେ ପରବର୍ତୀ ସମୟରେ ଏହାକୁ ଆଳ କରି ରାକେଶଙ୍କୁ ଏଡ଼ାଇଯିବାକୁ ମସୁଧା ହୋଇଥିଲା। ସାଇରେ ଭେଦଭାବ କାରଣରୁ ଏଭଳି କରାଯାଉଛି ବୋଲି ରାକେଶ ଅଭିଯୋଗ କରଥିଲେ। ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ସାଇ ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲା। ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘର ସମ୍ପାଦକ ଅଶୋକ ସାହୁ ରାକେଶ ରାଜ୍ୟଗୋଷ୍ଠୀ ଦଳରେ ସ୍ଥାନ ପାଇଥିବା ସ୍ୱୀକାର କରିଛନ୍ତି। ତେବେ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଜାତୀୟ ସଂଘରୁ ମିଳି ନଥିବା ଜଣାଇଛନ୍ତି। ଜାତୀୟ ମହାସଂଘ କିନ୍ତୁ ନିଜ ଫେସବୁକ୍‌ ପୃଷ୍ଠାରେ ପ୍ରକାଶ କରିଥିବା ଭାରତୀୟ ଜିମ୍ନାଷ୍ଟିକ୍ସ ଦଳରେ ରାକେଶଙ୍କ ନାଁ ରହିଛି। ଭାରତୀୟ ଦଳ: ଯୋଗେଶ୍ୱର ସିଂହ, ଆଶିଷ କୁମାର, ରାକେଶ କୁମାର ପାତ୍ର, ଅରୁଣା ରେଡ୍ଡୀ, ପ୍ରଣତି ଦାସ, ପ୍ରଣତି ନାୟକ।

ସମ୍ବନ୍ଧିତ ଖବର