କରାଚି: କରାଚୀସ୍ଥିତ ନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଭାରତୀୟ ତ୍ରିରଙ୍ଗା ଦେଖିବାକୁ ମିଳିଛି। ଦୁଇଦିନ ତଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଭିଡିଓରେ ଭାରତ ବାଦ୍ ଚାମ୍ପିଅନ୍ସ ଟ୍ରଫିରେ ଭାଗନେଇଥିବା ଅନ୍ୟ ୭ ଦଳର ପତାକା ଦେଖିବାକୁ ମିଳିଥିଲା। ଭାରତ ପତାକା ନଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ନିନ୍ଦା କରିଥିଲେ।
ଏବେ କରାଚୀରେ ଭାରତୀୟ ତ୍ରିରଙ୍ଗା ଉଡ଼ୁଥିବାର ଭିଡିଓ ଦେଖିବାକୁ ମିଳିଛି। ଫଳରେ ଏହି ବିବାଦ ଥମିଛି। ପାକିସ୍ତାନର ୩ଟି ସ୍ଥାନ କରାଚୀ, ଲାହୋର ଓ ରାୱଲପିଣ୍ଡି ସହ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଉଛି। ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ। ପାକିସ୍ତାନର କୌଣସି ଷ୍ଟାଡିୟମ୍ରେ ଭାରତ ଖେଳିବାର ସୂଚୀ ନଥିବାରୁ ଭାରତୀୟ ତ୍ରିରଙ୍ଗା ଷ୍ଟାଡିୟମ୍ରେ ଲାଗି ନଥିଲା ବୋଲି ପିସିବିର ଜଣେ ଅଧିକାରୀ ସଫେଇ ଦେଇଥିଲା। ହେଲେ ବିବାଦ ଦେଖାଦେବାରୁ ପିସିବି ଭାରତୀୟ ତ୍ରିରଙ୍ଗା ଷ୍ଟାଡିୟମ୍ରେ ଲଗାଇଛି।