ଲଣ୍ଡନ୍: ଆରୋନ୍ ଫିଞ୍ଚ୍ଙ୍କ ଲଢ଼ୁଆ ୧୫୩ ରନ୍ ବଳରେ ଶନିବାର ବର୍ତମାନର ବିଜେତା ଅଷ୍ଟ୍ରେଲିଆ ୮୭ ରନ୍ରେ ଏସୀୟ ଦଳ ଶ୍ରୀଲଙ୍କାକୁ ହରାଇ ଚଳିତ ବିଶ୍ବକପ୍ର ପ୍ରଥମ ଦଳ ଭାବେ ଚତୁର୍ଥ ବିଜୟ ହାସଲ କରିଛି। ଏଥି ସହିତ କଙ୍ଗାରୁ ଦଳ ମଧ୍ୟ ପ୍ରଥମ ଥର ପଏଣ୍ଟ ଟେବୁଲ ଶୀର୍ଷକୁ ଲମ୍ଫ ମାରିଛି। ଅନ୍ୟପକ୍ଷରେ ସମାନ ୫ ମ୍ୟାଚ୍ ଖେଳି ଶ୍ରୀଲଙ୍କା ଦ୍ବିତୀୟ ପରାଜୟ ବରଣ କରିଥିଲେ ମଧ୍ୟ ବର୍ଷା ପାଇଁ ୪ ପଏଣ୍ଟରେ ସୀମିତ ରହିଛି।
କେନିଙ୍ଗଟନ୍ ଓଭାଲରେ ଶନିବାର ଶ୍ରୀଲଙ୍କା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଡେଭିଡ୍ ୱାର୍ନର ଏବଂ ଆରୋନ୍ ଫିଞ୍ଚ୍ ପ୍ରଥମରୁ ସତର୍କତାର ସହ ଖେଳିଥିଲେ। ପ୍ରଥମ ପାୱରା ପ୍ଲେ ୧୦ ଓଭର ଭିତରେ ୱିକେଟ୍ ନ ହରାଇ ୫୩ ରନ୍ କରିଥିଲେ। ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଗତ ମ୍ୟାଚ୍ ଶତକ ହାସଲକାରୀ ୱାର୍ନର (୨୬, ୪୮ ବଲ୍) କିନ୍ତୁ ଧନଞ୍ଜୟ ଡି’ସିଲଭାଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଉସମାନ ଖୱାଜା (୧୦)ଙ୍କୁ ଦ୍ବିତୀୟ ଶିକାର କରି ଡି’ସିଲଭା ମଧ୍ୟ ଅଷ୍ଟ୍ରେଲିଆକୁ ରୋକିବାକୁ ପ୍ରୟାସ କରିଥିଲେ। ତେବେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥଙ୍କୁ ପାଇବା ପରେ ଫିଞ୍ଚ୍ ଅଧିକ ଆକ୍ରାମକ ବ୍ୟାଟିଂ କରିଥିଲେ। ୫୩ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ସେ ୯୭ ବଲରୁ ଛକା ସହିତ ଶତକ ଅତିକ୍ରମ କରିଥିଲେ। ୧୫୩ ରନ୍ର ବ୍ୟକ୍ତିଗତ ପାଳି ଲାଗି ସେ ୧୩୨ ବଲ୍ ଖେଳିଥିଲେ। ଯାହା ମଧ୍ୟରେ ୧୫ ଚୌକା ଏବଂ ୫ ଛକା ସାମିଲ ଥିଲା। ଚଳିତ ବିଶ୍ବକପ୍ର ଏହା ପ୍ରଥମ ୧୫୦+ ସ୍କୋର୍ ଥିଲା। ଗତ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଥିବା ଫିଞ୍ଚଙ୍କର ଏହା ଦ୍ବିତୀୟ ବିଶ୍ବକପ୍ ଶତକ। ସ୍ମିଥ୍ (୭୩, ୫୯ ବଲ୍, ୭ ଚୌକା, ୧ ଛକା)ଙ୍କୁ ସାଥି କରି ଫିଞ୍ଚ୍ ତୃତୀୟ ୱିକେଟ୍ ଭାଗୀଦାରିରେ ୧୭୩ ରନ୍ ଯୋଡ଼ିଥିଲେ। ଉଦାନା ଏବଂ ମାଲିଙ୍ଗା ବଲରେ ଉଭୟ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ସମ୍ଭାବ୍ୟ ୩୫୦ ସୁଦୂର ପରାହତ ହୋଇଥିଲା। ତଥାପି ଗ୍ଲେନ୍ ମ୍ୟାକ୍ସୱେଲ (୪୬*, ୨୫ ବଲ୍, ୫ ଚୌକା, ୧ ଛକା)ଙ୍କ ପାଇଁ ଅଷ୍ଟ୍ରେଲିଆ ୩୩୪ ରନ୍ କରି ନେଇଥିଲା।
ଜବାବରେ ଶ୍ରୀଲଙ୍କା କିନ୍ତୁ ଲଢ଼ୁଆ ଜବାବ ଦେଇଥିଲା। ପ୍ରଥମ ୧୦ ଓଭରରେ ଦଳ ୮୭ ରନ୍ କରିଥିଲା ବିନା କ୍ଷତିରେ। ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେ (୯୭, ୧୦୮ ବଲ୍, ୯ ଚୌକା) ଏବଂ ସାଥି ପ୍ରାରମ୍ଭିକ ଖେଳାଳି କୁସାଲ ପେରେରା (୫୨, ୩୬ ବଲ୍, ୫ ଚୌକା, ୧ ଛକା)ଙ୍କ ବିଦାୟ ପରେ କିନ୍ତୁ ଶ୍ରୀଲଙ୍କାର ପାଳି ଦିଗହରା ହୋଇଯାଇଥିଲା। ଅଷ୍ଟ୍ରେଲିଆକୁ ବିଜୟ ଧମକ ଦେଇଥିଲେ ମଧ୍ୟ ଢ଼େର ଦୂରରେ ରହିଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୨୪୭ ରନ୍ରେ ଅଟକିଯାଇଥିଲା। ଦଳର ୪ ପେସ୍ ବୋଲର୍ ମିଚେଲ ଷ୍ଟାର୍କ (୪/୫୫), କେନ୍ ରିଚାର୍ଡସନ (୩/୪୭), ପ୍ୟାଟ୍ କମିନ୍ସ (୨/୩୮) ଏବଂ ବେହେରନ୍ଡର୍ଫ (୧/୫୯) ୱିକେଟ୍ ବାଣ୍ଟି ନେଇଥିଲେ। ଫିଞ୍ଚ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/3-Aaron-Finch..jpg)