ଫିଞ୍ଚ୍‌ଙ୍କ ଭାରତ-ଅଷ୍ଟ୍ରେଲିଆ ଏକାଦଶରେ ରୋହିତ ନାହାନ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍ ଫିଞ୍ଚ୍‌ ଶୁକ୍ରବାର ନିଜ ପସନ୍ଦର ଭାରତ-ଅଷ୍ଟ୍ରେଲିଆ ମିଳିତ ଦିନିକିଆ ଏକାଦଶ ଦଳ ଚୟନ କରିଛନ୍ତି। ଯେଉଁଥିରେ ଏକମାତ୍ର ବଡ଼ ଆଶ୍ଚର୍ଯ୍ୟ ଭାବେ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମାଙ୍କୁ ରଖିନାହାନ୍ତି। ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଶର୍ମା ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ପରିଚିତ ଥିଲେ ମଧ୍ୟ ତାଙ୍କ ବଦଳରେ ଫିଞ୍ଚ୍‌ ଭାରତୀୟ କିଂବଦନ୍ତି ବୀରେନ୍ଦ୍ର ସେହବାଗ ଏବଂ ଅଷ୍ଟ୍ରେଲୀୟ ମହାନ ଆଦାମ ଗିଲକ୍ରିଷ୍ଟଙ୍କୁ ପ୍ରାରମ୍ଭିକ ଯୋଡ଼ି ଭାବେ ମନୋନୀତ କରିଛନ୍ତି। ବିଶ୍ବର ଏକମାତ୍ର ଖେଳାଳି ଭାବେ ଦିନିକିଆରେ ୩ ଦ୍ବିଶତକ ମାରିଥିବା ରୋହିତ ଗତ ବିଶ୍ବକପ୍‌ରେ ସର୍ବାଧିକ ୫ ଶତକ ହାସଲ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।

‘ସେହବାଗ ମୋ ପ୍ରଥମ ପସନ୍ଦର ‌ଖେଳାଳି। ସେ ପ୍ରଧାନ୍ୟ ବିସ୍ତାର କରନ୍ତି, ସେ ଆସିବା ମାତ୍ରେ ଖେଳ ଶେଷ କରିଦିଅନ୍ତି। ମୁଁ ରୋହିତ ଶର୍ମାଙ୍କ ସହ ଯିବାକୁ ଚାହୁଁଥିଲି, ତାଙ୍କ ରେକର୍ଡ ମଧ୍ୟ ଚମତ୍କାର। କିନ୍ତୁ ମୁଁ ଆଦାମ ଗିଲକ୍ରିଷ୍ଟଙ୍କ ଖେଳ ଦେଖିବାକୁ ଚାହିଁବାରୁ ସେହବାଗଙ୍କୁ ତାଙ୍କ ସହ ରଖିଛି’ ବୋଲି ଫିଞ୍ଚ୍‌ ପ୍ରକାଶ କରିଥିଲେ। ୩ ନମ୍ବରରେ ମୁଁ ରିକି ପଣ୍ଟିଂ ଏବଂ ୪ ନମ୍ବରରେ ବିରାଟ କୋହଲିଙ୍କୁ ରଖିଛି। ୫ ନମ୍ବରରେ ବ୍ୟାଟିଂ କରିବା କଷ୍ଟକର ଥାଏ। ହାର୍ଦିକ ପାଣ୍ଡ୍ୟାଙ୍କୁ ମୁଁ ସେହି ସ୍ଥାନରେ ଖେଳାଇବାକୁ ଚାହିଁଛି, ୬ ନମ୍ବରରେ ଆଣ୍ଡ୍ରିଉ ସାଇମଣ୍ଡସ୍‌ଙ୍କୁ ରଖିଛି ବୋଲି ମଧ୍ୟ ଫିଞ୍ଚ୍ ପ୍ରକାଶ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୭ ନମ୍ବର ସ୍ଥାନ ଲାଗି ମନୋନୀତ କରାଯାଇଛି। କିଏ ୱିକେଟରକ୍ଷକ ରହିବେ ବୋଲି ପ୍ରଶ୍ନ ହେବାରୁ ଫିଞ୍ଚ୍ କହିଥିଲେ ଗିଲକ୍ରିଷ୍ଟ୍ କିମ୍ବା ଧୋନିଙ୍କ ଭିତରୁ ଯିଏ ହେଲେ ବି ସେଥିରେ କିଛି ଯାଏ ଆସେ ନାହିଁ। ଆଇପିଏଲ୍‌ ହେଉ କି ଅନ୍ତର୍ଜାତୀୟ କ୍ରିକେଟ୍‌ ‌ଧୋନି ସବୁବେଳେ ଚାପରେ ଶାନ୍ତ ରୁହନ୍ତି। ଦଳକୁ ସୀମା ସେପାଖକୁ‌ ନେଇଯାଆନ୍ତି। କୌଣସି ଦଳ ଯଦି ୧୦ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିବ ଧୋନି ଆସି ରନ୍‌ କଲେ ଦଳ ବିଜୟୀ ହୋଇପାରିବ ବୋଲି ଫିଞ୍ଚ୍ ପ୍ରକାଶ କରିଥିଲେ। ବୋଲିଂ ୟୁନିଟ୍‌ ଚୟନ ବେଳେ ଫିଞ୍ଚ୍ ସାମାନ୍ୟ ଆସୁବିଧାରେ ପଡ଼ିଥିଲେ। ବିଶେଷ କରି ସ୍ପିନର ବାଛିବାକୁ ସଂଘର୍ଷ କରିଥିଲେ। ପେସ୍ ବୋଲିଂ ୩ ଜଣ ଗ୍ଲେନ୍ ମ୍ୟାକଗ୍ରା, ବ୍ରେଟ୍ ଲି ଏବଂ ଯଶପ୍ରୀତ୍ ବୁମରାଙ୍କୁ ନିର୍ଦ୍ବନ୍ଦ୍ବରେ ବାଛିଥିଲେ। କିନ୍ତୁ ସ୍ପିନରଙ୍କୁ ଚୟନ କରିପାରିନଥିଲେ। ବ୍ରାଡ୍ ହଗ୍‌ଙ୍କ ଭଲ ରେକର୍ଡ ରହିଛି, ହରଭଜନ ସିଂହ ମଧ୍ୟ ଭଲ। କିନ୍ତୁ ହରଭଜନ କି ରବୀନ୍ଦ୍ର ଜାଦେଜାଙ୍କ ସହ ଯିବି ଭାବି ପାରିନଥିଲି। ୮ ନମ୍ବରରେ ବ୍ୟାଟିଂ ପାଇଁ ଜାଦେଜାଙ୍କୁ ରଖିଲେ ଭଲ ବିକଳ୍ପ, କିନ୍ତୁ ମୁଁ ଚୂଡାନ୍ତ ନିଷ୍ପତ୍ତି ନେଇପାରୁନି। ଏହି ନିଷ୍ପତ୍ତି ନେବା କଷ୍ଟକର ଥିଲା। ମୁଁ କେବଳ ନିଜେ ଯେଉଁମାନଙ୍କ ଖେଳ‌ ଦେଖିବାକୁ ଭଲପାଏ ସେମାନଙ୍କୁ ବାଛିଛି ବୋଲି ଫିଞ୍ଚ୍ କହିଥିଲେ।

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଏକାଦଶ: ବୀରେନ୍ଦ୍ର ସେହବାଗ, ଆଦାମ ଗିଲକ୍ରିଷ୍ଟ୍‌, ରିକି ପଣ୍ଟିଂ, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଆଣ୍ଡ୍ରିଉ ସାଇମଣ୍ଡସ, ମହେନ୍ଦ୍ର ସିଂହ ଧୋନି, ବ୍ରେଟ୍ ଲି, (ସ୍ପିନର୍‌ ଚୟନ ନିଷ୍ପତ୍ତି ଅସମ୍ପୂର୍ଣ୍ଣ), ଗ୍ଲେନ୍ ମ୍ୟାକଗ୍ରା, ଯଶପ୍ରୀତ୍ ବୁମରା।

ସମ୍ବନ୍ଧିତ ଖବର