ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ଆରୋନ୍ ଫିଞ୍ଚ୍ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୀମିତ ଓଭର କ୍ରିକେଟରେ ଚମତ୍କାର ଖେଳିଥିବା ଫିଞ୍ଚ୍ଙ୍କ ୧୨ ବର୍ଷର ଖେଳ ଜୀବନ ଏଥି ସହ ଶେଷ ହୋଇଛି। ନିଜ ଫର୍ମ ସମୟରେ ବିସ୍ଫୋରକ ବ୍ୟାଟର୍ ଭାବେ ନିଜକୁ ପ୍ରମାଣିତ କରିଥିବା ଫିଞ୍ଚ୍ ଅଷ୍ଟ୍ରେଲିଆ ପାଇଁ ୫ ଟେଷ୍ଟ, ୧୪୬ ଦିନିକିଆ ଅନ୍ତର୍ଜାତୀୟ, ୧୦୩ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଗତବର୍ଷ ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ନକ୍ ଆଉଟ୍ ନେବାରେ ବିଫଳ ହୋଇଥିଲେ। ୨୦୧୧ରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିବା ଫିଞ୍ଚ୍ ଖେଳିଥିବା ୧୦୩ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମଧ୍ୟରୁ ୭୬ଟିରେ ଅଧିନାୟକତ୍ବ କରିଥିଲେ। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମୁଁ ଖେଳିନପାରିବା ଅନୁଭବ ହେବାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଦେଲି ବୋଲି ଫିଞ୍ଚ୍ ମଙ୍ଗଳବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଛନ୍ତି।
‘ଦୀର୍ଘ ୧୨ ବର୍ଷ ଧରି ଅଷ୍ଟ୍ରେଲିଆ ପାଇଁ ଖେଳିବା ଏବଂ ବହୁ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଙ୍କ ସହିତ ଓ ବିପକ୍ଷରେ ଖେଳିବା ମୋ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ’ ବୋଲି ୩୬ ବର୍ଷୀୟ ଫିଞ୍ଚ୍ ପ୍ରକାଶ କରିଥିଲେ। ୨୦୧୮ରେ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ବ୍ୟାଟର୍ ବିବେଚିତ ଫିଞ୍ଚ୍ ୨୦୨୧ରେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା କରାଇଥିଲେ। ୨୦୧୫ରେ ଦିନିକିଆ ବିଶ୍ବକପ୍ ଜିତିଥିବାରୁ ସୀମିତ ଓଭରରୁ ଦୁଇ ବିଶ୍ବମୁକୁଟ ସହ ଅବସର ନେଇଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ମଧ୍ୟ ଫିଞ୍ଚ୍ (୭୬ ବଲ୍ରୁ ୧୭୨ ରନ୍ ବନାମ ଜିମ୍ବାୱେ, ୨୦୧୮)ଙ୍କ ନାମରେ ରହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ଲାଚଲାନ୍ ହେଣ୍ଡରସନ୍ କହିଛନ୍ତି ‘ଫିଞ୍ଚ୍ ଅଷ୍ଟ୍ରେଲିଆର ଅନ୍ୟତମ ଉତ୍କୃଷ୍ଟ ଧଳାବଲ୍ କ୍ରିକେଟର୍’। ପଡ଼ିଆରେ ସେ ହସ ହସ ମୁହଁରେ ଖେଳିଥା’ନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍ ଇତିହାସରେ ସେ ନିଶ୍ଚିତ ସ୍ବତନ୍ତ୍ର ସ୍ଥାନ ବହନ କରିବେ। ଫିଞ୍ଚ୍ଙ୍କ ମେଲବର୍ଣ୍ଣ ରେନେଗ୍ରେଡ୍ କ୍ଲବ୍ ତାଙ୍କୁଂ ‘ଅଷ୍ଟ୍ରେଲିଆ କ୍ରିକେଟ୍ର ମହାନ’ ଅଭିହିତ କରିଛି। ଅବସର ପରେ କିନ୍ତୁ ଫିଞ୍ଚ୍ ଅଷ୍ଟ୍ରେଲିଆର ଘରୋଇ ଟ୍ବେଣ୍ଟି-୨୦ ଲିଗ୍ରେ ଖେଳ ଜାରି ରଖିବା ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/aron-finch.jpg)