ବିଗ୍ ଥ୍ରୀ’ଙ୍କ ବିକଳ୍ପ ଖୋଜା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଏମାନେ ଭାରତୀୟ କ୍ରିକେଟ୍‌କୁ ଅନେକ ସ୍ମରଣୀୟ ମୁହୂର୍ତ ପ୍ରଦାନ କରିଛନ୍ତି। କିନ୍ତୁ ସମୟ ବଦଳିଯାଇଛି ଏବଂ ଏବେ ବିଫଳତା ସେମାନଙ୍କ ପିଛା କରୁଛି। ଭାରତୀୟ କ୍ରିକେଟ୍‌ର ବିଗ୍‌ ଥ୍ରୀ’ ତଥା ସ୍ବଚ୍ଛ ତ୍ରିମୂର୍ତି ଭାବେ ପରିଚିତ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ରୋହିତ ଶର୍ମାଙ୍କ ଭବିଷ୍ୟତ ଏବେ ବିତର୍କିତ ବେଳାରେ। ସେମାନେ ନିଜ ନିଜ ଖେଳର ଲୟକୁ ପୁନଃପଥକୁ ଫେରାଇ ଆଣିବେ ନା ବିସିସିଆଇକୁ ଏମାନଙ୍କ ବିକଳ୍ପ ଖୋଜିବାକୁ ପଡ଼ିବ ଏବେ ସମୟର ଆହ୍ବାନ। ଆଇସିସି ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍‌ରେ ପରାଜୟ ବରଣ କରିବା ପରେ ଭାରତୀୟ ବ୍ୟାଟିଂର ଏହି ତିନି ତାରକାଙ୍କ ଉପରେ ଅଧିକାଂଶ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟ ସ୍ବାଭାବିକ। ରୋହିତ ଶର୍ମା ଏବଂ ବିରାଟ କୋହଲି ଆଇପିଏଲ୍‌ ଖେଳିବାର ସପ୍ତାହକ ପରେ ଡବଲ୍ୟୁଟିସି ଫାଇନାଲ୍ ଖେଳିଥିଲେ। ଦୁଇ ମାସିଆ ଆଇପିଏଲ୍‌ ନିଶ୍ଚିତ ସେମାନଙ୍କୁ କ୍ଲାନ୍ତ କରିଥିବ। କିନ୍ତୁ ବିସିସିଆଇ କି ସେମାନେ ବ୍ୟକ୍ତିଗତ ଭାବେ କେହି ଯୋଜନା କରିନଥିଲେ। ଅନ୍ୟପକ୍ଷରେ ଏହି ମର୍ଯ୍ୟଦାଜନକ ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ପୂଜାରା ମାସ ମାସ ଧରି ଇଂଲିସ୍ କାଉଣ୍ଟିରେ ସସେକ୍ସ ପାଇଁ ଖେଳି ପ୍ରଚୁର ରନ୍ ସଂଗ୍ରହ କରିଥିଲେ। ଫାଇନାଲ୍‌ର ଉଭୟ ପାଳିରେ କିନ୍ତୁ ଏହାର କୌଣସି ଫାଇଦା ମିଳିନଥିଲା।

ପୂଜାରା ୨୦୨୧-୧୩ ଡବ୍‌ଲ୍ୟୁଟିସି ଚକ୍ରରେ ୧୭ ଟେଷ୍ଟରୁ ୩୨ ହାରରେ ମାତ୍ର ଗୋଟିଏ ଶତକ ସହ ୯୨୮ ରନ୍‌ ସଂଗ୍ରହ କରିଥିଲେ। ୨୦୨୧ ସିଡନି ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ୭୭ ରନ୍‌କୁ ଛାଡ଼ିଦେଲେ ସେ ଅଧିକାଂଶ ଥର ନିରାଶ କରିଥିଲେ। ତାଙ୍କୁ ବାଦ୍ ଦିଆଯିବା ସମୟରେ ବିସିସିଆଇ ହନୁମା ବିହାରୀଙ୍କୁ ପରୀକ୍ଷା କରିଥିବା‌ବେଳେ ୨୦୨୨ ପ୍ରାରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ୩ ପାଳିରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ପୂଜାରାଙ୍କ ବ୍ୟାଟିଂ ପୋଜିସନ୍‌ ୩ ନମ୍ବରକୁ ନେଇ କେବଳ ଚିନ୍ତା ନାହିଁ। ୪ ନମ୍ବରରେ ଖେଳୁଥିବା କିଙ୍ଗ୍ କୋହଲିଙ୍କ ଟେଷ୍ଟ୍ ପ୍ରଦର୍ଶନ ମଧ୍ୟ ଅଧିକ ଚିନ୍ତାଜନକ। ଧଳାବଲରେ କୋହଲି ଲୟକୁ ଫେରିଥିଲେ ମଧ୍ୟ ଲାଲ୍ ବଲ୍‌ ଖେଳରେ ପୁଣି ନିଜକୁ ସୁରକ୍ଷିତ ରଖିବାର ଆହ୍ବାନ ଆସିଛି। ଆସନ୍ତା ମାସରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାରୁ କୋହଲିଙ୍କୁ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଭାବେ ଅଧିକ ‌ଦେଖିବାକୁ ପସନ୍ଦ କରିବେ ପ୍ରଶଂସକ। ସଦ୍ୟ ସମାପ୍ତ ୨୦୨୧-୨୩ ଟେଷ୍ଟ୍ ଚକ୍ରରେ କୋହଲି ୧୭ ଟେଷ୍ଟରୁ ୯୩୨ ରନ୍‌ ସଂଗ୍ରହ କରିଛନ୍ତି। ଅହମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବର୍ଷ ମାରିଥିବା ଗୋଟିଏ ମାତ୍ର ଶତକ (୧୮୬) ସହିତ ମାତ୍ର ୩୨.୧୩ ହାରରେ ଖେଳିଛନ୍ତି। ବିଦେଶ ମାଟିରେ କୋହଲିଙ୍କ ହାରାହାରି ଆହୁରି ଖରାପ (୨୮.୪୩)। କିନ୍ତୁ ତାଙ୍କ ବିକଳ୍ପ କିଏ? ଶ୍ରେୟସ ଆୟର ଏବେ ଆହତ ଥିଲେ ମଧ୍ୟ ସର୍ଟ ବଲ୍‌ ଦୁର୍ବଳତା ପାଇଁ ତାଙ୍କୁ ୫ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ବିବେଚନା କରାଯାଉଛି। ସର୍ଫରାଜ ଖାନ୍ ଘରୋଇ କ୍ରିକେଟ୍‌ରେ ପ୍ରଚୁର ରନ୍‌ ସଂଗ୍ରହ କରୁଥିଲେ ମଧ୍ୟ ଭାରତ ‘ଏ’ ପାଇଁ ଖେଳିଥିବା ୭ ଟେଷ୍ଟ୍‌ରେ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି।

ରୋହିତ ଶର୍ମା ମାତ୍ର ୫୦ ଟେଷ୍ଟ୍ ଖେଳିଛନ୍ତି। ଗତ ଡବଲ୍ୟୁଟିସି ସମୟରେ ଅବଶ୍ୟ ‌ତୁଳନାତ୍ମକ ଭାବେ ଭଲ ଖେଳିଛନ୍ତି। ୧୧ ଟେଷ୍ଟରୁ ୪୨.୧୧ ହାରରେ ୨ ଶତକ ସହ ୭୫୮ ରନ୍ ସଂଗ୍ରହ କରିଛନ୍ତି। ବିଦେଶରେ ଅପେକ୍ଷାକୃତ ଭଲ ଖେଳିଛନ୍ତି। ୩୬.୮୮ ତୁଳନାରେ ସେ ୫୨.୫୭ ହାରରେ ବ୍ୟାଟିଂ କରୁଥିବାରୁ ଏବେ ରୋହିତଙ୍କ ଉପରେ ତତ୍କାଳ ବିପଦ ନାହିଁ। କିନ୍ତୁ ୩୬ ବର୍ଷ ହୋଇଯାଇଥିବାରୁ ରୋହିତ ୨୦୨୩-୨୫ ଡବଲ୍ୟୁଟିସି ଚକ୍ର ଶେଷ ପର୍ଯ୍ୟନ୍ତ ସେ ଖେଳିବେ କି ନାଁ ସନ୍ଦେହ ରହିଛି। ଶୁବମନ ଗିଲ୍‌ଙ୍କ ପାର୍ଟନର ଭାବେ ମୟଙ୍କ ଅଗ୍ରୱାଲ ମଧ୍ୟ ସୀମିତ ସୁଯୋଗରେ ଭଲ କରିଛନ୍ତି। ଅଭିମନ୍ୟୁ ଈଶ୍ବରନ, ଯଶସ୍ବୀ ଜୟସ୍ବାଲଙ୍କ ଭଳି କିଛି ନାମ ଉଭା ହେଉଥିଲେ ମଧ୍ୟ ସେମାନଙ୍କ ନାମକୁ ଗମ୍ଭୀରତାର ସହ ବିଚାର କରିବାର ବେଳ ଆସିଗଲାଣି। ଭାରତ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରି ୨୦୨୩-୨୫ ଡବଲ୍ୟୁଟିସି ଚକ୍ର ଅଭିଯାନ ଆରମ୍ଭ କରିବ। ୨୦୨୪ ପ୍ରାରମ୍ଭରେ ଇଂଲଣ୍ଡ ଭାରତ ଆସିବ ଏବଂ ଅଷ୍ଟ୍ରେଲିଆ ଯିବ ଭାରତ। ୨୦୨୫ରେ ପ୍ରାରମ୍ଭରେ ଇଂଲଣ୍ଡ ପୁଣି ଫେରିବ।

ସମ୍ବନ୍ଧିତ ଖବର