ଲାହୋର, ବିବାଦ ପାକିସ୍ତାନୀ କ୍ରିକେଟର ଉମର ଆକମଲଙ୍କ ପିଛା ଛାଡ଼ୁନାହିଁ। ଦୁଇ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ଉମର ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଦିନିକିଆ ପୂର୍ବରୁ ବିନା ଅନୁମତିରେ ଦଳୀୟ ହୋଟେଲ ବାହାରକୁ ଯାଇ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଦ୍ବାରା ଦଣ୍ଡିତ ହୋଇଛନ୍ତି। ତେବେ ଉମରଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ବେଳେ ଫିଟନେସ୍ ପରୀକ୍ଷାରେ ବିଫଳ ହେବା ପରେ ପିସିବି ତାଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ଏହା ପରେ ପ୍ରଶିକ୍ଷକ ମିକି ଆର୍ଥରଙ୍କୁ ଖୋଲାଖୋଲି ସମାଲୋଚନା କରି ଉମର ବେଶ୍ ବିବାଦୀୟ ହୋଇଥିଲେ। ନିକଟରେ ୟୁଏଇରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ସେ ଦଳକୁ ଫେରିଥିଲେ। ତେବେ ଅଭ୍ୟାସଗତ ଭାବେ ପୁଣି ଥରେ ଦଳୀୟ ଆଚରଣ ସଂହିତା ଉଲ୍ଲଘନ କରିଥିଲେ। ବିନା ଅନୁମତିରେ ରାତିରେ ବାହାରକୁ ଯାଇଥିବାରୁ ଉମରଙ୍କୁ ପିସିବି କଡ଼ା ଚେତାବନୀ ଦେବା ସହ ମ୍ୟାଚ୍ ପାଉଣାର ୨୦ ପ୍ରତିଶତ ଜରିମାନା କରିଛି। ସେ ଅବଶ୍ୟ ନିଜ କର୍ମ ପାଇଁ କ୍ଷମା ମାଗିଛନ୍ତି। ତା ସହ ଦଣ୍ଡବିଧାନକୁ ଗ୍ରହଣ କରି ନେଇଛନ୍ତି। ୨୦୦୯ରେ ମାତ୍ର ୧୯ ବର୍ଷ ବୟସରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଉମରଙ୍କୁ ପାକିସ୍ତାନ କ୍ରିକେଟ୍ର ଭବିଷ୍ୟତ ଭାବେ ବର୍ଣ୍ଣନା କରାଯାଉଥିଲା। ହେଲେ ସେ ମାତ୍ର ୧୬ ଟେଷ୍ଟ୍ରେ ସୀମିତ ରହି ଯାଇଥିଲେ। ଶେଷ ଥର ପାଇଁ ସେ ୨୦୧୧ରେ ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ସବୁ ମ୍ୟାଚ୍ ଖେଳି ଉମର ମାତ୍ର ୧୫୦ ରନ୍ କରିଥିଲେ। ଏହି ଶୃଙ୍ଖଳାକୁ ପାକିସ୍ତାନ ୦-୫ରେ ହାରି ଯାଇଥିଲା।
ଆକମଲଙ୍କୁ ଜରିମାନା
/sambad/media/post_attachments/wp-content/uploads/2019/04/umar-akmal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)