ନୂଆଦିଲ୍ଲୀ: ଚଳିତ ଆଇପିଏଲର ୩୪ତମ ମ୍ୟାଚରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଦ୍ବିତୀୟ ବିଜୟ ପାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ୧୪୫ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମ୍ୟାଚରେ ବିଜୟ ପରେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର ବହୁତ ଖୁସି ହୋଇଥିଲେ। କାରଣ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବାକୁ ସେ ସବୁବେଳେ ଚାଁହୁଥିଲେ। ସନରାଇଜର୍ସ ହାଇଦ୍ରାବାଦ ମ୍ୟାନେଜମେଣ୍ଟ ଏବଂ ୱାର୍ନରଙ୍କ ମଧ୍ୟରେ କଳହ ପରେ ଆଇପିଏଲ୍ ୨୦୨୧ ସମୟରେ ତାଙ୍କୁ ଦଳରୁ ହଟାଇ ଦିଆଯାଇଥିଲା। ଏପରି ସ୍ଥିତିରେ, ଯେତେବେଳେ ସୋମବାର ରାତିରେ ୱାର୍ନରଙ୍କ ଦଳ ହାଇଦ୍ରାବାଦ ବିପକ୍ଷରେ ଜିତିଥିଲା, ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ।

Advertisment

ତେବେ, ଏହି ଖୁସିର କିଛି ସମୟ ପରେ ଆଇପିଏଲ ୱାର୍ନରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ବାସ୍ତବରେ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ସମୟରେ ଡେଭିଡ୍ ୱାର୍ନରଙ୍କୁ ଧୀର ଓଭର ବୋଲିଂ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦ୍ୱିତୀୟ ଇନିଂସରେ ଦିଲ୍ଲୀ କ୍ୟାପିଟାଲସ ଅତ୍ୟଧିକ ସମୟ ନଷ୍ଟ କରିଥିଲା। ଏହି କାରଣରୁ ସର୍ବନିମ୍ନ ଓଭରର କୋଟା ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହି କାରଣରୁ ଆଇପିଏଲ ମ୍ୟାନେଜମେଣ୍ଟ ତାଙ୍କ ଉପରେ ୧୨ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଆଇପିଏଲ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, 'ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ସମୟରେ ଧୀର ଓଭର ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ଡେଭିଡ ୱାର୍ନରଙ୍କ ଉପରେ ଜରିମାନା କରାଯାଇଛି।