ମୋହନ ବାଗାନ ବସରେ ନିଆଁ, ବର୍ତିଲେ ଖେଳାଳି

ଭୁବନେଶ୍ୱର: ଶନିବାର କଳିଙ୍ଗ ଷ୍ଟାଡିୟମରେ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଥିଲା। ମୋହନ ବାଗାନ ଦଳର ବସ୍‌ରେ ନିଆଁ ଲାଗି ଯାଇଥିଲା। ଦଳୀୟ ବସ୍‌ରେ ନିଆଁ ଲାଗିଯିବା ପରେ ତ୍ୱରିତ ପଦକ୍ଷେପ ପାଇଁ ଅଳ୍ପକେ ବର୍ତି ଯାଇଥିଲେ ଏହି ପୂର୍ବ ଭାରତ ଦଳର ଖେଳାଳିମାନେ। ଶନିବାର ପୂର୍ବାହ୍ନରେ ମୋହନ ବାଗାନ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ଅଭ୍ୟାସ ପଡ଼ିଆରେ ଅଭ୍ୟାସ ସାରି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଲାଗି ଷ୍ଟାଡିୟମ୍‌ ଭିତରକୁ ଆସୁଥିଲା ବେଳେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ବସ୍‌ ଚାଳକଙ୍କ ଅଜ୍ଞତା ପାଇଁ ଖେଳାଳିଙ୍କ ଜୀବନ ସଙ୍କଟରେ ପଡ଼ି ଯାଇଥିଲା। ବସ୍‌ ଚାଳକ ନିର୍ଧାରିତ ବାଟରେ ବସ୍‌ ନନେଇ ଷ୍ଟାଡିୟମର ଭିତର ରାସ୍ତା ଦେଇ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ। ଉପସ୍ଥିତ ସୁରକ୍ଷାକର୍ମି ମଧ୍ୟ ତାଙ୍କୁ ଅଟକାଇ ନଥିଲେ। ଫଳରେ ସ୍କାଇ ଓ୍ଵାକ୍‌ ୩ ନିକଟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଥିଲା। ସ୍କାଏ ଓ୍ଵାକ୍‌ର ଉଚ୍ଚତା କମ୍‌ ଥିବାରୁ ଏବଂ ଏସି ବକ୍ସ ପାଇଁ ବସ୍‌ର ଉଚ୍ଚତା ଅପେକ୍ଷାକୃତ ଅଧିକ ଥିବାରୁ ସେଠାରେ ହିଁ ବସ୍‌ ଲାଖି ଯାଇଥିଲା। ସ୍କାଇ ଓ୍ଵାକ୍‌ ଛାତରେ ବାଜି ଏସି ବକ୍ସ ଭାଙ୍ଗି ଯାଇଥିଲା। ସଙ୍ଗେ ସଙ୍ଗେ ସଟ୍‌ ସର୍କିଟ୍‌ ହୋଇ ସେଥିରୁ ଧୂଆଁ ବାହରିଥିଲା। ଯାହକୁ ଅବଶ୍ୟ କିଛି ମିନିଟ୍‌ ଭିତରେ କାବୁ କରି ନିଆ ଯାଇଥିଲା। ଖେଳାଳିମାନଙ୍କୁ ବି ତୁରନ୍ତ ବସ୍‌ ବାହାରକୁ ନିଆ ଯାଇଥିଲା। ଖେଳାଳିମାନେ ଢେର ସମୟ ତଳେ ବସି ରହିବା ପରେ ଶେଷରେ ଅନ୍ୟ ଏକ ବସ୍‌ରେ ହୋଟେଲକୁ ଫେରିଥିଲେ। ସେମାନେ ସୁରକ୍ଷିତ ଥିବାରୁ ରାଜ୍ୟର ସମ୍ମାନ ବି ବଞ୍ଚି ଯାଇଥିଲା।

କହିଲେ ୨୦, ନେଲେ ୫୦
ଏଆଇଏଫ୍‌ଏଫ୍‌, ଫାଓ (ଫୁଟବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା) ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ଯେ ସୁପରକପ୍‌ ଆୟୋଜନ ପାଇଁ କୌଣସି ପାରସ୍ପରିକ ସହଯୋଗ ଏବଂ ସମନ୍ଵୟ ନାହିଁ ତାହା ଶନିବାର ପ୍ରତିଯୋଗିତାର ଉଦଘାଟନୀ ଦିବସରେ ସ୍ପଷ୍ଟ ହୋଇ ଯାଇଥିଲା। କ୍ରୀଡ଼ା ବିଭାଗ ଏବଂ ଫାଓ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୁପରକପ୍‌ ମ୍ୟାଚ୍‌ ଟିକେଟ ଦର ୨୦ ଟଙ୍କାକୁ କମାଇ ଦିଆଗଲା ବୋଲି ଘୋଷଣା କରିଥିଲେ। ଗଣମାଧ୍ୟମ ମଧ୍ୟ ଏହି କଥାକୁ ଜୋର ସୋରରେ ପ୍ରଚାର ପ୍ରସାର କରିଥିଲା। ହେଲେ ପ୍ରକୃତ କଥା ଭିନ୍ନ ଥିଲା। କଳିଙ୍ଗ ଷ୍ଟାଡିୟମ୍‌ର ୩ ନମ୍ବର ଗେଟ୍‌ ପାଖରେ ଖୋଲା ଯାଇଥିବା ଟିକେଟ କାଉଣ୍ଟରରେ ପୂର୍ବ ଭଳି ଭିନ୍ନ ଭିନ୍ନ ଗ୍ୟାଲେରିରେ ଭିନ୍ନ ଭିନ୍ନ ଦରରେ ଟିକେଟ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଅନଳାଇନରେ ଯେଉଁ ଦର୍ଶକ ଅଧିକ ଦର ଦେଇ ଟିକେଟ କିଣିଥିଲେ ସେମାନଙ୍କ ଅବଶିଷ୍ଟ ଟଙ୍କା ବି ମିଳି ନଥିଲା। କାଉଣ୍ଟରେ ବଳକା ଟଙ୍କା ଫେରସ୍ତ କରି ଦିଆଯିବ ବୋଲି କୁହାଯାଇଥିଲା। ଏଥିଲାଗି କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଅନଲାଇନ ଟିକେଟ କିଣି ଥିବା ଦର୍ଶକମାନେ ନିଜ ଟଙ୍କା ଫେରି ପାଇ ନଥିଲେ। ଏପରିକି କାଉଣ୍ଟରରେ ଟିକେଟ୍‌ ବିକୁଥିବା ସଂସ୍ଥାର କର୍ମଚାରୀ ଏହି ବିଷୟରେ କିଛି ଜାଣି ନଥବା କହିଥିଲେ। ସେହିଭଳି ସେମାନେ ଟିକେଟ ଦର କମ୍‌ ନେବାକୁ ମଧ୍ୟ ସଫା ସଫା ମନା କରି ଦେଇଥିଲେ।

ରଙ୍ଗ ବୋଳି ଚଳାଇଦେଲେ
କଳିଙ୍ଗ ଷ୍ଟାଡିୟମ୍‌ ଫୁଟବଲ୍‌ ପଡ଼ିଆରେ ମରି ଯାଇଥିବା ଘାସ ସ୍ଥାନରେ ନୂଆ ଘାସ ଲଗାଯାଇ ତାକୁ ମ୍ୟାଚ୍‌ ପୂର୍ବରୁ ପୂରା ଠିକ କରି ଦିଆଯିବ ବୋଲି ଫାଓ ଘୋଷଣା କରିଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବେ କେବଳ ରଙ୍ଗ ଲଗାଇ ପୋଡ଼ି ଯାଇଥିବା ଘାସକୁ ସବୁଜ କରି ଦିଆ ଯାଇଥିଲା। ଏପରିକି ଲାଇନକୁ ରଙ୍ଗ ଦେବା ଲାଗି ବ୍ୟବହାର ହୋଇଥିବା ନିମ୍ନ ମାନର ରଙ୍ଗର ରସାୟନିକ ପ୍ରତିକ୍ରିୟା ପାଇଁ ହଳଦିଆ ପଡ଼ି ଯାଇଥିବା ଘାସକୁ ଓପାଡ଼ି ଦିଆ ଯାଇଥିଲା। ଦୁଃଖର କଥା ହେଲା ମ୍ୟାଚ୍‌ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ କିଛି ଲୋକ ଘାସ ଓପାଡ଼ିବା କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଆଇଏସଏଲ୍‌ ବେଳେ ସବୁଜ ଘାସରେ ଭରିଥିବା କଳିଙ୍ଗ ପଡ଼ିଆ ସୁପର କପ୍‌ ବେଳେ ଶ୍ରୀହୀନ ଲାଗିଥିଲା। ଘାସ ନଥାଇ ସ୍ଥାନେ ସ୍ଥାନେ ମାଟି ଦେଖା ଯାଉଥିଲା।

ସମ୍ବନ୍ଧିତ ଖବର