ନୂଆଦିଲ୍ଲୀ: ଆଇପିଏଲ୍ର ଚଳିତ ଷୋଡ଼ଶ ସଂସ୍କରଣ ଗୁରୁବାର ୩ ସପ୍ତାହ (୨୧ ଦିନ) ଅତିକ୍ରମ କରିଛି। ତେବେ ଗୁରୁବାର ଯୁଗଳ ମୁକାବିଲା ପୂର୍ବରୁ ବୁଧବାର ପର୍ଯ୍ୟନ୍ତ ଖେଳାଯାଇଥିବା ୨୦ ଦିନର ମ୍ୟାଚ୍ଗୁଡ଼ିକର କିଛି ପ୍ରମୁଖ ପରିସଂଖ୍ୟାନ ଉପରେ ଆସନ୍ତୁ ନଜର ପକାଇବା। ଏହି ୨୦ ଦିନ ମଧ୍ୟରେ ଏକାଧିକ ରେକର୍ଡ ପ୍ରତିଷ୍ଠା ହୋଇଛି। ୧୫ ବର୍ଷ ପରେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ତାରକା ଗୋଟିଏ ମ୍ୟାଚ୍ରେ ୪ କ୍ୟାଚ୍ ନେବା ଏକ ରେକର୍ଡ ହୋଇଛି। ଏକ୍ଷେତ୍ରରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ଟିମ୍ ଡେଭିଡ୍। ଚଳିତ ସଂସ୍କରଣରେ ଡେଭିଡ୍ ଗତ ୧୮ ତାରିଖରେ ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ୪ କ୍ୟାଚ୍ ନେଇଥିଲେ। ଫଳରେ ସଚିନଙ୍କ ପରେ ସେ ଦ୍ବିତୀୟ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଭାବେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ୨୦୦୮ ପ୍ରଥମ ସଂସ୍କରଣ (ମେ’ ୧୬ ତାରିଖ)ରେ ହିଁ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ରେ ସଚିନ ୪ କ୍ୟାଚ୍ ନେଇଥିଲେ। ତେବେ ଆଇପିଏଲ୍ର ଗୋଟିଏ ମ୍ୟାଚ୍ରେ ୪ କ୍ୟାଚ୍ ନେବାରେ ଡେଭିଡ୍ ମୋଟ ଉପରେ ଏକାଦଶ କ୍ଷେତ୍ରରକ୍ଷକ ହୋଇଛନ୍ତି।
ଚଳିତ ଆଇପିଏଲ୍ର ପ୍ରଥମ ୨୦ ଦିନ ମଧ୍ୟରେ ୧୨ ମ୍ୟାଚ୍ରେ ୨୦୦+ ଦଳଗତ ସ୍କୋର୍ ରେକର୍ଡ ହୋଇଛି। ସେମଧ୍ୟରେ ପିଛା ବେଳେ ୫ ୨୦୦+ ସ୍କୋର୍ ସାମିଲ ରହିଛି। ୨୦୦ରୁ ଅଧିକ ଦଳଗତ ସ୍କୋର୍ ହୋଇଥିବା ଏହି ୧୨ ମ୍ୟାଚ୍ ମଧ୍ୟରୁ ଏପ୍ରିଲ ୧୪ ତାରିଖରେ ଇଡେନ୍ ଗାର୍ଡେନ୍ସରେ କେକେଆର୍ ବିପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦର ୨୨୮/୪ ଯେକୌଣସି ଦଳ ପାଇଁ ସର୍ବାଧିକ ରହିଥିଲା ବେଳେ ଏପ୍ରିଲ ୧୭ରେ ବେଙ୍ଗାଲୁରୁରେ ଆର୍ସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ୨୨୬/୬ ଦ୍ବିତୀୟ ସର୍ବାଧିକ ରହିଛି।
ଚଳିତ ସଂସ୍କରଣ ୫ ମ୍ୟାଚ୍ରେ ମୋଟ ୪୦୦+ ସ୍କୋର୍ ଦେଖିବାକୁ ମିଳିଛି। ସେମଧ୍ୟରୁ ବେଙ୍ଗାଲୁରୁରେ ଏପ୍ରିଲ ୧୭ ତାରିଖ ଆର୍ସିବି-ସିଏସ୍କେ ମୁକାବିଲାରେ ୪୪୪/୧୪ ସ୍କୋର୍ ହୋଇଥିଲା। ଯାହାକି ଏଥରର ସର୍ବାଧିକ ରେକର୍ଡ।
ପୀୟୂଷ ଚାୱାଲା ଆଇପିଏଲ୍ ଇତିହାସରେ ସର୍ବାଧିକ ୧୮୫ ଛକା ଖାଇବାର ଅଲୋଡ଼ା କୀର୍ତ୍ତି ବହନ କରିଛନ୍ତି।
ବେଙ୍ଗାଲୁରୁରେ ଏପ୍ରିଲ ୧୭ ତାରିଖ ଆର୍ସିବି ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ ଡିସ୍ମିସାଲ ପାଇଥିଲେ। ଏଥିସହିତ ସେ ଆଇପିଏଲ୍ ଇତିହାସରେ ୨୩୨ ପାଳିରୁ ମୋଟ ୧୭୫ ଡିସ୍ମିସାଲ (୧୩୬ କ୍ୟାଚ୍, ୩୯ ଷ୍ଟମ୍ପିଂ) ପୂରଣ କରିବାରେ ପ୍ରଥମ ୱିକେଟ୍ରକ୍ଷକର କୀର୍ତ୍ତିମାନ ରଚିଛନ୍ତି।
ଗ୍ଲେନ୍ ମ୍ୟାକ୍ସୱେଲ (ଆର୍ସିବି) ୫ ମ୍ୟାଚ୍ରୁ ୧୯ ଛକା ମାରିସାରିଛନ୍ତି। ଯାହାକି ଚଳିତ ସଂସ୍କରଣରେ ସର୍ବାଧିକ। ମ୍ୟାକ୍ସୱେଲଙ୍କ ପଛକୁ ଫାଫ୍ ଡୁ’ପ୍ଲେସିସ୍ (ଆର୍ସିବି) ୧୮ ଛକା ସହ ଦ୍ବିତୀୟରେ ରହିଛନ୍ତି।
ଚଳିତ ସଂସ୍କରଣରେ ୬ ଜଣ ଖେଳାଳି ପ୍ରତ୍ୟେକ ଦୁଇ ଥର ଲେଖାଏଁ ଡକ୍ ପାଇବାରେ ଅଲୋଡ଼ା ରେକର୍ଡ ପାଇଛନ୍ତି। ସେମାନେ ହେଲେ ମିଚେଲ ମାର୍ଶ, ସଞ୍ଜୁ ସାମ୍ସନ, ଦୀନେଶ କାର୍ତିକ, ପୃଥ୍ବୀ ସ, ପ୍ରଭ୍ସିମ୍ରନ ସିଂହ ଏବଂ ସୁନିଲ ନାରାୟଣ।