ଭୁବନେଶ୍ବର: ଏକ ଅଭିନବ ଚେସ୍‌ ପ୍ରତିଯୋଗିତା ‘ଚେସ୍‌ ଟର୍ଫ’ର ପ୍ରଥମ ସଂସ୍କରଣ ଶନିବାର ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ଆରମ୍ଭ ହୋଇଛି। ଯାହା ଓଡ଼ିଶାର ଚେସ୍‌ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏଥିରେ ୨ ଜଣ ଆଇଏମ୍‌, ୪ ଜଣ ଏଫ୍‌ଏମ୍‌ ଏବଂ ୫ ଜଣ ସିଏମ୍‌ ଟାଇଟଲ୍‌ଧାରୀଙ୍କ ସହିତ ତାରକା ଖଚିତ ୨୪୫ ଜଣ ଭାଗ ନେଇଛନ୍ତି। ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ସବୁଠାରୁ ବଡ଼ ରୢାପିଡ୍ ଏବଂ ବ୍ଲିଜ୍ ଟୁର୍ଣ୍ଣାମେଣ୍ଟ୍ ଭାବେ ଏହା ସ୍ବୀକୃତି ପାଇବାକୁ ଯାଉଛି। ୨୫ ଜଣ ଦୃଷ୍ଟିହୀନ ଖେଳାଳି ମଧ୍ୟ ସାମିଲ ଅଛନ୍ତି।

Advertisment

ଚେସ୍‌ ଟର୍ଫ ଟ୍ରଫି ରାଜ୍ୟରେ ଚେସ୍ ଇଭେଣ୍ଟ୍ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବାର ପ୍ରତିଶ୍ରୁତି ରଖୁଛି। ୫ ରାଉଣ୍ଡ୍‌ ସୁଦ୍ଧା ୬ ଜଣ ଖେଳାଳି ପୂର୍ଣ୍ଣ ୫ ପଏଣ୍ଟରେ ଅଛନ୍ତି। ‌ସେମାନେ ହେଉଛନ୍ତି ଆଇଏମ୍‌ ସମ୍ବିତ ପଣ୍ଡା, ଏଫ୍‌ଏମ୍‌ ମହିତୋଷ ଦେ, ରାଜେଶ ନାୟକ, ତପନ ବଡ଼ମୁଣ୍ଡି, ଲଳିତ ରଞ୍ଜନ ସାହୁ, ସିଏମ୍‌ ହର୍ଷିତ ରଞ୍ଜନ ସାହୁ। ପୂର୍ବ ରାଉଣ୍ଡ୍‌ରେ ଟପ୍ ସିଡ୍ ଅନ୍ବେଷ ଉପାଧ୍ୟାୟଙ୍କ ସହ ରାଜ୍ୟ ମହିଳା ବିଜୟିନୀ ୟାଶିତା ରାଉତ ଡ୍ର’ କରିବା ଉଲ୍ଲେଖନୀୟ ଥିଲା। ଉଦଘାଟନୀ ଉତ୍ସବରେ ଜିଏମ୍ ସ୍ୱୟମ୍ସ ମିଶ୍ର, ଏସଏସଇପିଡି ବିଭାଗ ଅତିରିକ୍ତ ସଚିବ ଦୀପକ ରାଉତରାୟ, ପ୍ରୋଚେଷ୍ଟା ପ୍ରଶାସକ ତଥା ଆଇଏମ୍‌ ସ୍ବୟଂଶୁ ସତ୍ୟପ୍ରଜ୍ଞ, ଓଏସିଏ ସଭାପତି ସତ୍ୟରଂଜନ ପଟ୍ଟନାୟକ ଏବଂ ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।