ବ୍ଲୋଏମ୍ଫୋଣ୍ଟିନ : ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଇଂଲଣ୍ଡ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ଆସିଥିବା ଇଂଲଣ୍ଡ ଶୁକ୍ରବାର ଦିବାରାତ୍ର ପ୍ରଥମ ମ୍ୟାଚ୍ରେ ଘରୋଇ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯାଇଛି। ଏପରିକି ଏହି ମ୍ୟାଚ୍ରେ ରାସି ଭାନ୍ ଡେର୍ ଦୁସେନ୍ (୧୧୧)ଙ୍କ ଶତକ ଆଗରେ ଜାସନ୍ ରୟ (୧୧୩)ଙ୍କ ଶତକ ମଧ୍ୟ ଫିକା ପଡ଼ିଯାଇଥିଲା। ଫଳରେ ଇଂଲଣ୍ଡ ୨୭ ରନ୍ରେ ହାରି ୦-୧ରେ ପଛରେ ପଡ଼ିଯାଇଛି। ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକା ବିଜୟର ନାୟକ ସାଜିଥିବା ସିସାନ୍ଦା ମାଗାଲା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏହି ମ୍ୟାଚ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନେଇଥିଲା। ରାସି ଭାନ୍ ଡେର୍ ଦୁସେନଙ୍କ ଶତକ ସାଙ୍ଗକୁ ଡେଭିଡ୍ ମିଲର (୫୩)ଙ୍କ ଅର୍ଦ୍ଧଶତକ ଏବଂ କ୍ବିଣ୍ଟନ ଡି’ କକ୍ (୩୭), ଅଧିନାୟକ ତେମ୍ବା ବଭୂମା (୩୬) ଓ ହେନ୍ରିକ୍ କ୍ଲାସେଁ (୩୦)ଙ୍କ ଉପଯୋଗୀ ରନ୍ ବଳରେ ଘରୋଇ ଦଳ ୨୯୮/୭ କରିଥିଲା। ସାମ୍ କରନ (୩/୩୫) ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ରହିଥିଲା ବେଳେ ଜୋଫ୍ରା ଆର୍ଚର (୧/୮୧) ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଜବାବରେ ଜାସନ ରୟଙ୍କ ଶତକ ଏବଂ ଦାୱିଦ୍ ମଲାନ (୫୯)ଙ୍କ ଅର୍ଦ୍ଧଶତକ ସାଙ୍କକୁ ପ୍ରଥମ ୱିକେଟ୍ରେ ୧୪୬ ରନ୍ ଭାଗୀଦାରି ସତ୍ତ୍ବେ ଇଂଲଣ୍ଡ ପାଳି ୨୭୧ (୪୪.୨ ଓଭର)ରେ ସଫା ହୋଇଯାଇଥିଲା। ଅନ୍ରିକ୍ ନର୍ଖିୟା (୪/୬୨), ସିସାନ୍ଦା ମାଗାଲା (୩/୪୬) ଓ କାଗିସୋ ରବାଦା (୨/୪୬) ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ପରାଜୟ ପାଇଁ ବାଧ୍ୟ କରିଥିଲେ।