ପ୍ରଥମ ଦିନିକିଆ: ନ୍ୟୁଜିଲାଣ୍ଡ୍‌କୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ବାର୍ବାଡସ୍‌: ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାରେ ଆରମ୍ଭରୁ ପରାଜୟ ବରଣ କରିଛି। ଏଠାରେ ଖେଳାଯାଇଥିବା‌ ପ୍ରଥମ ଦିନିକିଆ (ଦିବାରାତ୍ର)ରେ ଘରୋଇ ୱେଷ୍ଟ୍‌ଇଣ୍ଡିଜ୍‌ ୫ ୱିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଛି। ବୋଲରଙ୍କ କମାଲ ବଳରେ ଟସ୍‌ ଜିତିଥିବା ୱେଷ୍ଟଇଣ୍ଡିଜ୍‌ ଭ୍ରମଣକାରୀ ଦଳର ପାଳିକୁ ୧୯୦ ରନ୍‌ରେ ସଫା କରିଦେବା ପରେ ସାମରା ବ୍ରୁକ୍ସ (୭୯ ରନ୍‌, ୯ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ସହାୟତାରେ ୩୯ତମ ଓଭରରେ ହିଁ ମ୍ୟାଚ୍‌ ଜିତି ନେଇଥିଲା। ସାମରା ବ୍ରୁକ ଓ ଅଧିନାୟକ ନିକୋଲାସ ପୂରନ ଚତୁର୍ଥ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଏଥି ସହିତ ଚଳିତ ବର୍ଷ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଦିନିକିଆ ଆନ୍ତର୍ଜାତିକ ପରାଜୟ ଥିଲା। ଅନ୍ୟପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ କ୍ରମାଗତ ୯ ମ୍ୟାଚ୍‌ ହାରିବା ପରେ ୱେଷ୍ଟ୍‌ଇଣ୍ଡିଜ୍‌ ପରାଜୟଧାରା ଭାଙ୍ଗିଥିଲା। ସାମରା ବ୍ରୁକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ପାଳି ୪୫.୨ ଓଭରରେ ୧୯୦/୧୦ (କେନ୍‌ ୱିଲିୟମ୍‌ସନ-୩୪, ମିଚେଲ ବ୍ରାସ୍‌ୱେଲ-୩୧, ଫିନ୍‌ ଆଲେନ୍‌-୨୫, ମିଚେଲ ସାଣ୍ଟନର-୨୫, ମାର୍ଟିନ୍‌ ଗପ୍ଟିଲ-୨୪, ଡାରିଲ ମିଚେଲ-୨୦, ଅକିଲ ହୋସେନ-୩/୨୮, ଅଲ୍‌ଜେରି ଯୋଶେଫ-୩/୩୬, ଜାସନ ହୋଲ୍‌ଡର-୨/୩୯)। ୱେଷ୍ଟଇଣ୍ଡିଜ୍‌ ପାଳି ୩୯ ଓଭରରେ ୧୯୩/୫ (ସାମରା ବ୍ରୁକ୍ସ-୭୯, ନିକୋଲାନ୍‌ ପୂରନ-୨୮, ସାଇ ହୋପ୍‌-୨୬, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୪୯, ଟିମ୍‌ ସାଉଦି-୨/୩୯)।

ସମ୍ବନ୍ଧିତ ଖବର