ରାଜକୋଟ: ୨୨ ବର୍ଷୀୟ ଯଶସ୍ବୀ ଜୟସ୍ବାଲ ଭାରତୀୟ କ୍ରିକେଟ୍‌ର ନୂଆ ରନ୍ ମେସିନ୍ ଭାବେ ଉଭା ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ୨୧୪* ରନ୍‌ର ବିସ୍ଫୋରକ ପାଳି ଖେଳି ସେ ମଧ୍ୟ ଏକାଧିକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶନିବାର ଜୟସ୍ବାଲ ଶତକ ପୂରଣ କରି ମାଂସପେଶୀ ଯନ୍ତ୍ରଣା ପାଇଁ ସାମୟିକ ଆହତ ଅବସର ହୋଇଥିଲେ। ରବିବାର ପୁନର୍ବାର ପିଚ୍‌କୁ ଫେରି ଧୂଆଁଧାର ବ୍ୟାଟିଂ କରିବା ସହ ଲଗାତାର ଦ୍ବିଶତକୀୟ ପାଳି ଖେଳିଥିଲେ। ଏହା ପୂର୍ବରୁ ବିଶାଖାପାଟଣାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ ଉତ୍ତରପ୍ରଦେଶ ଜନ୍ମିତ ଜୟସ୍ବାଲ (୨୦୯) ଦ୍ବିଶତକ ହାସଲ କରିଥିଲେ। ଏହା କରି ସେ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟର୍ ବିନୋଦ କାମ୍ବଲି (୧୯୯୩) ଓ ବିରାଟ କୋହଲି (୨୦୧୭)ଙ୍କ କୀର୍ତ୍ତିମାନକୁ ଛୁଇଁଛନ୍ତି। ରାଜକୋଟରେ ଦ୍ବିଶତକୀୟ ପାଳି ଖେଳିବା ମଧ୍ୟରେ ଏକ ଟେଷ୍ଟ୍ ପାଳିରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ସହ ସମକକ୍ଷ ମଧ୍ୟ ହୋଇଛନ୍ତି ଜୟସ୍ବାଲ (୧୨ ଛକା)। ତାଙ୍କ ପୂର୍ବରୁ ଗୋଟିଏ ଟେଷ୍ଟ୍ ପାଳିରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ପାକିସ୍ତାନର ୱାସିମ ଆକ୍ରମଙ୍କ ନାଁରେ ଥିଲା। ଆକ୍ରମ ୨୭ ବର୍ଷ ତଳେ ୧୯୯୬ ମସିହାରେ ଜିମ୍ବାୱେ ବିପକ୍ଷରେ ଏଭଳି ବିରଳ ସଫଳତା ହାସଲ କରିଥିଲେ।

Advertisment

ସେହିଭଳି ୧୪୭ ବର୍ଷର ଟେଷ୍ଟ୍ ଇତିହାସରେ ଜୟସ୍ବାଲ ପ୍ରଥମ ଖେଳାଳି ଭାବେ କୌଣସି ଟେଷ୍ଟ୍ ଶୃଙ୍ଖଳାରେ ୨୦ କିମ୍ବା ତାଠାରୁ ଅଧିକ ଛକା ମାରିଛନ୍ତି। ଦଳଗତ ଭାବେ ଭାରତ (୪୮) ମଧ୍ୟ କୌଣସି ଟେଷ୍ଟ୍‌ରେ ସର୍ବାଧିକ ଛକା ମାରିବାରେ ନିଜେ ନିଜ କୀର୍ତ୍ତିମାନକୁ ଭାଙ୍ଗିଛି। ଏହା ପୂର୍ବରୁ ଭାରତ ୨୦୧୯ ମସିହାର ଦକ୍ଷିଣ ଆ‌ଫିକା ବିପକ୍ଷ ଶୃଙ୍ଖଳାରେ ସର୍ବାଧିକ ୪୭ ଛକା ମାରିଥିଲା। ନିଜ ମୁମ୍ବାଇ ରଣଜୀ ଦଳର ସାଥୀ ସର୍‌ଫରାଜ ଖାନ୍‌ଙ୍କ ସହ ମିଶି ମାତ୍ର ୨୬.୨ ଓଭରରେ ଜୟସ୍ବାଲ ରବିବାର ଯୋଡ଼ିଥିବା ୧୭୨ ରନ୍ ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା‌ ନେଇଥିଲା। ପ୍ରଥମ ଓ ଏକମାତ୍ର ବ୍ୟାଟର୍ ଭାବେ ଇଂଲଣ୍ଡର କିଂବଦନ୍ତି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କୁ ହ୍ୟାଟ୍ରିକ୍ ଛକା ମାରିଥିବା ଜୟସ୍ବାଲ ଏକମାତ୍ର ଭାରତୀୟ ବ୍ୟାଟର୍ ଭାବେ ୨୩ ବର୍ଷ ବୟସ ପୂରଣ କରିବା ପୂର୍ବରୁ ତିନିଟି ୧୫୦ କିମ୍ବା ତାଠାରୁ ଅଧିକ ସ୍କୋର କରିଥିଲେ। ଜୟସ୍ବାଲ ଏବେ ମାତ୍ର ୭ ଟେଷ୍ଟ୍ ଖେଳି ତିନିଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୭୧.୭୫ ହାରରେ ୮୬୧ ରନ୍ କରିଛନ୍ତି। ସେ ମଧ୍ୟ ଭାରତୀୟ କ୍ରିକେଟ୍‌ର ପରବର୍ତ୍ତୀ ସୁପରଷ୍ଟାର୍ ପାଲଟିଛନ୍ତି। ଭାରତ ବିଜୟରେ ଉଲ୍ଲସିତ ଜୟସ୍ବାଲ ନିଜ ପ୍ରଦର୍ଶନ ନେଇ କହିଛନ୍ତି, ‘‘ଟେଷ୍ଟ୍ କ୍ରିକେଟ୍ ସହଜ ନୁହେଁ, ପ୍ରତି ମୁହୂର୍ତ୍ତରେ ଆପଣଙ୍କର ପରୀକ୍ଷା ନେଇଥାଏ। ତେବେ ମୁଁ ମୋ ଶତ ପ୍ରତିଶତ ଦେଇ ସବୁବେଳେ ନିଜ ଉପସ୍ଥିତ ଜାହିର କରିବାକୁ ଚେଷ୍ଟା କରିଥାଏ’’।