ଏସୀୟ ବାସ୍କେଟ୍‌ବଲ୍‌ରେ ପ୍ରଥମ: ଭାରତୀୟ ଯୁବ ଦଳ କ୍ବାର୍ଟର ଫାଇନାଲ୍‌ରେ

ଦୋହା, (କାତାର) : ଭାରତୀୟ ଯୁବ ଦଳ ଏଠାରେ ଚାଲିଥିବା ଫିବା ୧୬ ବର୍ଷରୁ କମ୍‌ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ଇତିହାସ ରଚିଛି। ଏହି ଦଳ ଏସୀୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି। ଏହା ପୂର୍ବରୁ ଏସୀୟ ପ୍ରତିଯୋଗିତାରେ ଦଶମ ସ୍ଥାନ ଭାରତୀୟ ବାଳକ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୧୩ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଆୟୋଜିତ ଏସୀୟ ପ୍ରତିଯୋଗିତାରେ ଭାରତ (୨୦୦୯)କୁ ଏହି ସ୍ଥାନ ମିଳିଥିଲା।

ଏହାପରେ ୨୦୧୧ରେ ଭାରତ ଲିଗ୍‌ ପର୍ଯ୍ୟାୟରେ ଲାଗ ଲାଗ ଦୁଇଟି ବିଜୟ ହାସଲ କରିଥିଲେ ମଧ୍ୟ କ୍ବାର୍ଟର ଫାଇନାଲ୍‌ ପହଞ୍ଚିବାରେ ବିଫଳ ହୋଇଥିଲା। ଏପରିକି ସେହି ସଂସ୍କରଣରେ ଦଳ ଦ୍ବାଦଶ ସ୍ଥାନରେ ରହିଥିଲା। ଏଥର କିନ୍ତୁ ପୂର୍ବ ବାଧାକୁ ଅତିକ୍ରମ କରି ସଫଳତାର ପାହାଚ ଚଢ଼ିଛି। ଗୁରୁବାର କ୍ବାର୍ଟର ଫାଇନାଲ୍‌ ପ୍ରବେଶ ପାଇଁ ହୋଇଥିଲା ମୁକାବିଲାରେ ବିଶ୍ବ ମାନ୍ୟତାର ୫୦ ଭାରତୀୟ ବାଳକ ଦଳ ନିଜଠୁ ନିମ୍ନ ମ‌ାନ୍ୟତାପ୍ରାପ୍ତ ଇଣ୍ଡୋନେସିଆକୁ ୯୭-୫୩ ପଏଣ୍ଟରେ ପରାସ୍ତ କରି ଏସିଆର ଶ୍ରେଷ୍ଠ ୮ ଦଳ ଭାବେ ପରିଗଣିତ ହୋଇଛି। ବିଶେଷକରି ଭାରତୀୟ ତ୍ରିରଥୀ ଲୋକେନ୍ଦ୍ର ସିଂହ (୩୦), ଜୟଦୀପ ରାଠୋର (୨୭) ଓ କୁଶାଲ ସିଂହ (୨୬) ମିଳିତ ଭା‌ବେ ୮୩ ପଏଣ୍ଟ ସ୍କୋର୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହର୍ଷ ଡଗର ୧୧ ପଏଣ୍ଟ ସ୍କୋର୍‌ ଯୋଡ଼ିଥିଲେ। ତେବେ ପ୍ରଥମ ଥର ପାଇଁ ଏସୀୟ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ଭାରତ ପାଇଁ ଆଗକୁ କଡ଼ା ଆହ୍ବାନ ଅପେକ୍ଷା‌ କରିଛି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଏହାର ମୁକାବିଲା ଦୁଇ ଥର କାଂସ୍ୟ ବିଜେତା ତଥା ୩୨ତମ ମାନ୍ୟତାପ୍ରା‌ପ୍ତ ଜାପାନ ସହ ହେବ।

ସମ୍ବନ୍ଧିତ ଖବର